Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମଦ ପିଇ ପ୍ରଧାନଶିକ୍ଷକ ନିଲମ୍ବିତ

    Share on :
    ajab-Image
    Date: Sep 10, 2026    Views: 4045

    ଡେରାବିଶ: ବିଦ୍ୟାଳୟ ପରି ଏକ ପବିତ୍ର ସ୍ଥାନରେ ମଦ୍ୟପାନ କରିବା ଘଟଣାରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଶିକ୍ଷା ବିଭାଗ । ବୁଧବାର ପୂର୍ବାହ୍ନରେ ଶିକ୍ଷା ବିଭାଗ ପକ୍ଷରୁ କୁରୁଜଙ୍ଗା ପଞ୍ଚାୟତ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନାକର ନାୟକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।
    ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନାକର ନାୟକ ଖେଳ ଛୁଟି ବେଳେ ତାଙ୍କ ପ୍ରକୋଷ୍ଠରେ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କବାଟ ଭିତରପଟୁ ବନ୍ଦ କରି ଶୋଇ ପଡ଼ିଥିଲେ । ଅପରପକ୍ଷରେ ଖେଳ ଛୁଟି ପରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ଶ୍ରେଣୀ ଗୃହକୁ ଯାଇଥିଲେ । ତେବେ ନିଶାସକ୍ତ ଅବସ୍ଥାରେ ଥିବା ପ୍ରଧାନଶିକ୍ଷକ ଶ୍ରୀ ନାୟକ ସେମାନଙ୍କୁ ପଢ଼ାଇବା ପାଇଁ ଆସିନଥିଲେ । ତେବେ ସେ ମଦ୍ୟପାନ ପୂର୍ବରୁ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିବାରୁ ପିଲାମାନେ ବାହାରକୁ ଆସିବା ସମ୍ଭବ ହୋଇନଥିଲା ।
    ଛାତ୍ରଛାତ୍ରୀଙ୍କ ପାଟି ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଡାକିବା ପରେ ବି ପ୍ରଧାନଶିକ୍ଷକ କବାଟ ଖୋଲିନଥିଲେ । ଗ୍ରାମବାସୀଙ୍କଠାରୁ ଖବର ପାଇ ଅପରାହ୍ନ ପ୍ରାୟ ୪ଟାରେ ବିଇଓ ମଦନ ମୋହନ କର ଓ ଏବିଇଓ ଦେବଦତ୍ତ ଶତପଥୀ ବିଦ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ଡକାଡକି ପରେ ନିଶାସକ୍ତ ଶ୍ରୀ ନାୟକ ଅପରାହ୍ନ ପ୍ରାୟ ୫ଟାରେ ନିଦରୁ ଉଠି କବାଟ ଖୋଲିଥିଲେ । ଏହା ପରେ ତାଙ୍କଠାରୁ ଚାବି ଆଣି ସ୍କୁଲ ଗେଟ୍ ଖୋଲାଯାଇ ଛାତ୍ରଛାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା । ଏହି ସମୟରେ ପ୍ରଧାନଶିକ୍ଷକଙ୍କ ଟେବୁଲ୍ ଉପରେ ମଦ ବୋତଲ ସମେତ ଖାଦ୍ୟ ସାମଗ୍ରୀ ରଖାଯାଇଥିବା ଦୃଷ୍ଟିଗୋଚର ହୋଇଥିଲା । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବିଇଓ ଶ୍ରୀ କର ଆଜି ମଦ୍ୟପ ପ୍ରଧାନଶିକ୍ଷକ ଶ୍ରୀ ନାୟକଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook