Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆରପିଏଫ୍‌ ଇନ୍ସପେକ୍ଟର ସସ୍‌ପେଣ୍ଡ

    Share on :
    ajab-Image
    Date: Jun 7, 2026    Views: 3187

    ରାଉରକେଲା: ରାଉରକେଲା ରେଲୱେ  ଷ୍ଟେସନରେ ଲାଇସେନ୍ସବିହୀନ ଭେଣ୍ଡରଙ୍କୁ ଭୟଭୀତ କରାଇ ଲକ୍ଷାଧିକ ଟଙ୍କା ମାସିକିଆ ଦାଦାବଟି ଆଦାୟ କରି ଫସିଛନ୍ତି  ଆର୍‌ପିଏଫ୍‌ ଇନ୍ସପେକ୍ଟର କମଲେଶ ସମାଦାର । ବିଭାଗୀୟ  କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ନିଲମ୍ବିତ କରାଯାଇଥିବା  ଚକ୍ରଧରପୁର ରେଳ ଡିଭିଜନର ସିନିୟର ଡିସିଏମ୍‌  ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି । ଅପରପକ୍ଷେ  ଟଙ୍କା ଆଦାୟରେ ମଧ୍ୟସ୍ଥି ସାଜିଥିବା ଦଲାଲ ଅଜୟ ମିଶ୍ରକୁ  ସିବିଆଇ ଗିରଫ କରିଛି । ଅଭିଯୁକ୍ତ ଇନ୍ସପେକ୍ଟର କମଲେଶ  ଓ ଅନ୍ୟ ଜଣେ ଦଲାଲ ସୁଧୀର ଆନନ୍ଦ ଓରଫ ବିଟୁ ଫେରାର  ଅଛନ୍ତି । ସେମାନଙ୍କୁ ଗିରଫ କରିବାକୁ ଚଢ଼ଉ ଜାରି ରହିଛି ।  ଦୁଇଦିନିଆ ସିବିଆଇ ଚଢ଼ଉରୁ ଲାଞ୍ଚଖୋର ଅଧିକାରୀ ଓ  ମଧ୍ୟସ୍ଥିଙ୍କ କଳାଚିଠାର ଗୁମର ଖୋଲିଛି ।  
    ରାଉରକେଲା ରେଳ ଷ୍ଟେସନରେ ଭେଣ୍ଡରମାନେ  ଖାଦ୍ୟ ସାମଗ୍ରୀ, ଚା’ ଓ ପାଣି ବୋତଲ ବିକ୍ରି କରୁଥିଲେ ।  ହେଲେ ସେମାନଙ୍କ ନିକଟରେ ଏଥିନିମନ୍ତେ ବୈଧ  ଲାଇସେନ୍ସ ନ ଥିଲା । ଭେଣ୍ଡରମାନଙ୍କୁ ସପ୍ଲାୟର ବିଟୁ  ବିସ୍କୁଟ, ପାଣି ବୋତଲ ଯୋଗାଇ ଆସୁଥିଲେ । ପୂର୍ବରୁ  ପରିଚିତ ଥିବା ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ଜାଣିଥିଲା । ସେମାନଙ୍କ ପରିଚୟ, ବିନା ଲାଇସେନ୍ସରେ  ବ୍ୟବସାୟ କରୁଥିବା ସମ୍ପର୍କିତ ଟିକିନିଖି ତଥ୍ୟ ଇନ୍ସପେକ୍ଟର  କମଲେଶ ଏବଂ ଅଜୟକୁ ଦେଇଥିଲା । ଏହାପରେ  ସେମାନଙ୍କଠାରୁ ଟଙ୍କା ଆଦାୟ କରିବାକୁ ସମସ୍ତେ ଯୋଜନା କରିଥିଲେ । କିଛିମାସ ହେଲା ଅଜୟ ଓ ବିଟୁ ଭେଣ୍ଡରମାନଙ୍କୁ ଧମକାଇ ମାସିକିଆ ବଟି ଆଦାୟ କରୁଥିଲେ । ଆଦାୟ ଟଙ୍କାକୁ ଇନ୍ସପେକ୍ଟର କମଲେଶଙ୍କ ସହ ମିଶି ଭାଗବାଣ୍ଟି  ନେଉଥିଲେ । ବେଆଇନ କାର୍ଯ୍ୟରେ ଆର୍‌ପିଏଫ୍‌ର ଜଣେ  ପଦସ୍ଥ ଅଧିକାରୀଙ୍କ ହାତ ଥିବାରୁ କେହି ପାଟି ଖୋଲିବାକୁ  ସାହସ କରିପାରୁ ନ ଥିଲେ । ଜୀବିକା ବୁଡ଼ିବା ଭୟ ମଧ୍ୟ  ଥିଲା । ବଟି ଯନ୍ତ୍ରଣା ଅସହ୍ୟ ହେବା ପରେ ଏନେଇ ସିବିଆଇ  ନିକଟରେ ଅଭିଯୋଗ କରିଥିଲେ କେତେଜଣ ଭେଣ୍ଡର ।  ଯାଞ୍ଚ ପରେ ସିବିଆଇକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା ।  

    ଗତ ଶୁକ୍ରବାର ସନ୍ଧ୍ୟାରେ ସିବିଆଇର ୪ ଜଣିଆ ଟିମ୍‌ ରେଳ ଷ୍ଟେସନରେ ଚଢ଼ଉ କରିଥିଲେ । ଜଣେ ଭେଣ୍ଡରଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଅଜୟକୁ କାବୁ କରିଥିଲେ । ପଚରାଉଚରା ପରେ ଏଥିରେ ଇନ୍ସପେକ୍ଟର କମଲେଶଙ୍କ ସମ୍ପୃକ୍ତି ଥିବା ସେ ସ୍ୱୀକାର କରିଥିଲା । ରାତି ୯ଟାରେ ରେଲୱେ କଲୋନିର ଛୋଟା ପାର୍କ ନିକଟରେ ଥିବା୍‌ ଇନ୍ସପେକ୍ଟରଙ୍କ  ସରକାରୀ ବାସଭବନରେ ଚଢ଼ଉ କରିବାକୁ ସିବିଆଇ ଟିମ୍‌  ଯାଇଥିଲା। ହେଲେ ଘର ଲୋକ ବିରୋଧ କରିଥିଲେ । ଯୁକ୍ତିତର୍କ ମଧ୍ୟରେ ଇନ୍ସପେକ୍ଟର ଖସି ପଳାଇବାରେ ସଫଳ  ହୋଇଥିଲେ । ସିବିଆଇ ଟିମ୍‌ ଘରେ ଛାନ୍‌ଭିନ୍‌ କରିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି । ଗୋପବନ୍ଧୁପାଲିରେ ରହୁଥିବା ଅଜୟ ଏବଂ ମଧୁସୂଦନ ମାର୍ଗ ଅଞ୍ଚଳର ବାସିନ୍ଦା ବିଟୁର ଘରେ ମଧ୍ୟ ଚଢ଼ଉ କରାଯାଇଥିଲା । ବିଟୁର ଘରୁ ଅନେକ କାଗଜପତ୍ର ଜବତ କରାଯାଇଛି । ଅଜୟର ମୋବାଇଲ ଫୋନ୍‌ ଜବତ କରି ସିବିଆଇ ଟିମ୍‌ ଖୋଳତାଡ଼ କରିଛି । ତାକୁ ଗିରଫ କରି ଭୁବନେଶ୍ୱର ନିଆଯାଇଛି । ଫେରାର ଇନ୍ସପେକ୍ଟର କମଲେଶ ଏବଂ ବିଟୁକୁ ଧରିବା  ଲାଗି ସିବିଆଇର ଅନ୍ୟ ଏକ ଟିମ୍‌ ଚଢ଼ଉ ଜାରି ରଖିଛି ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook