Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସୁଶାନ୍ତ ନାଥଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା

    Share on :
    ajab-Image
    Date: Nov 11, 2026    Views: 3105

    ଭୁବନେଶ୍ୱର: ତତ୍କାଳୀନ ଜେଲ ଡିଜି ତଥା ବର୍ତ୍ତମାନର ଗୃହ ବିଭାଗର ଓଏସଡି ସୁଶାନ୍ତ କୁମାର ନାଥଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ସୁଶାନ୍ତଙ୍କ ବିରୋଧରେ ଜଣେ ନିଲମ୍ବିତ ଜେଲର ସାଂଘାତିକ ଅଭିଯୋଗ ଆଣିଛନ୍ତି। ନିଲମ୍ବିତ ବାଲେଶ୍ଵର ଜିଲ୍ଲା ଜେଲର ପ୍ରଦୀପ୍ତ କୁମାର ମହାଳିକ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଲିଖିତ ଏତଲା ଦେଇଛନ୍ତି। କଏଦୀଙ୍କ ପକେଟରେ ବ୍ରାଉନସୁଗାର ରଖିବାକୁ ସୁଶାନ୍ତ ଚାପ ପକାଇଥିଲେ ଏବଂ କାମ ନ କରିବାରୁ ନିଲମ୍ବିତ କରାଯାଇଥିଲା ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
    କମିଶନରେଟ୍ ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ପ୍ରଦୀପ୍ତ ବାଲେଶ୍ଵର ଜିଲ୍ଲା ଜେଲର ଭାବେ କାମ କରୁଥିବା ବେଳେ ସୁଶାନ୍ତ ଏଭଳି କାମ କରିଥିଲେ। ବାଲେଶ୍ଵର ଜେଲରେ ଥିବା ଜଣେ ବିଚାରଧୀନ କଏଦୀଙ୍କ ପକେଟରେ ବ୍ରାଉନସୁଗାର ପୁରାଇ ତାଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ସୁଶାନ୍ତ କୁମାର ନାଥ ଚାପ ପକାଇଥିଲେ। ଏଭଳି ବେଆଇନ କାମ କରିବାକୁ ରାଜି ନ ହେବାରୁ ତାଙ୍କୁ ଆକ୍ରୋଶମୂଳକ ଭାବେ ନିଲମ୍ବିତ କରାଯାଇଥିଲା। ଏନେଇ ପ୍ରଦୀପ୍ତ ନଭେମ୍ବର ୨ ତାରିଖରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ମଧ୍ୟ ଚିଠି ଲେଖି ଅଭିଯୋଗ କରିଥିଲେ।

    ଏ ସଂକ୍ରାନ୍ତରେ କ୍ୟାପିଟାଲ ଥାନା ଅଧିକାରୀ ରାଧାକାନ୍ତ ସାହୁ କହିଛନ୍ତି, ଏହି ଘଟଣାରେ ଅଭିଯୋଗ ହୋଇଥିଲେ ମଧ୍ୟ ମାମଲା ରୁଜୁ ହୋଇନାହିଁ। ଅଭିଯୋଗର ତଦନ୍ତ ହେବ ବୋଲି ଆଇଆଇସି କହିଛନ୍ତି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ବିରୋଧରେ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଆଣିଥିବା ଅଭିଯୋଗରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ହାଇକୋର୍ଟରେ ଶୁଣାଣି ଚାଲୁ ରହିଛି। ସୁଶାନ୍ତ ଏହି ମାମଲାକୁ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଯାହା ହାଇକୋର୍ଟରେ ବିଚାରଧୀନ ରହିଛି।

    ଚୌଦ୍ୱାର ଜେଲ୍‌ର ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଚୌଦ୍ୱାର ଥାନାରେ ଏକ ଲିଖିତ ଏତଲା ଦେଇ ସୁଶାନ୍ତ ଏବଂ ତାଙ୍କ ସହଯୋଗୀ କୁଲଦୀପ ରଥଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗ ଅନୁଯାୟୀ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ କୁଲଦୀପଙ୍କ ମାଧ୍ୟମରେ ସୁଶାନ୍ତ ହୋଟେଲକୁ ଏକାକୀ ସାକ୍ଷାତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଅଶ୍ଳୀଳ ମେସେଜ୍ ପଠାଇ ଯୌନ ନିର୍ଯାତନା ଦିଆଯାଇଥିଲା । ସେ ଏହି ପ୍ରସ୍ତାବରେ ରାଜି ନ ହେବାରୁ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ମିଥ୍ୟା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଦରମା ବନ୍ଦ କରିଦିଆଯାଇ ଆକ୍ରୋଶର ଶିକାର କରାଯାଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ BNS ର ଧାରା ୭୫(୨), ୩୫୧(୨) ଏବଂ ୩(୫) ଅଧୀନରେ ଚୌଦ୍ୱାର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook