ମୁଖ୍ୟ ଖବର
ଦିଲ୍ଲୀର ଜନ୍ତରମନ୍ତରଠାରେ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ସମ୍ମିଳିତ ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୁଲିସ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ତଥା ଅନ୍ୟ ସୁରକ୍ଷାକର୍ମୀମାନଙ୍କ ଅତ୍ୟଧିକ ବଳପ୍ରୟୋଗ ଅଭିଯୋଗକୁ ମାନ୍ୟବର ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ଏହି ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ୫ ଜଣିଆ ହାଇପାୱାର ଏକ୍ସପର୍ଟ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର.ସୁଭାଷ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରବି ଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଶୈଳେନ୍ଦ୍ର କୌର, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରିଷି କୁମାର ଶୁକ୍ଳା ଏବଂ ମେଘାଳୟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏଲ.ଆର.ବିଷ୍ଣୋଇ ସାମିଲ ଅଛନ୍ତି ।
ଗୁରୁବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜେ.ବାଗ୍ଚୀ ଏବଂ ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଘୋଷଣା କରିଛନ୍ତି । ଏହି ଉଚ୍ଚସ୍ତରୀୟ କମିଟି ସବୁ ଗୋଷ୍ଠୀର ମତାମତ ଶୁଣି, ତଥ୍ୟ ସଂଗ୍ରହ କରି ନିଜ ରିପୋର୍ଟ କୋର୍ଟଙ୍କୁ ପ୍ରଦାନ କରିବ । ମହିଳା ପ୍ରଦର୍ଶନକାରୀମାନଙ୍କ ଉପରେ ହୋଇଥିବା ଶାରୀରିକ ନିର୍ଯାତନା ଅଭିଯୋଗକୁ କମିଟି ପ୍ରାଥମିକତା ଦେବେ । ଏଥିସହ ପୋଲିସର ଅତ୍ୟଧିକ ବଳପ୍ରୟୋଗ ଯୋଗୁ କେତେକ ଆନ୍ଦୋଳନକାରୀ ଗୁରୁତର ଆହତ ହୋଇଥିବା ଅଭିଯୋଗକୁ ମଧ୍ୟ କମିଟି ପ୍ରାଥମିକତା ଦେବ ବୋଲି ସୁପ୍ରିମକୋର୍ଟଙ୍କ ଏହି ଖଣ୍ଡପୀଠ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍ରୋଚ ଜନତା ପାର୍ଟି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଜୁଲାଇ ୨୦ ତାରିଖରେ ଆନ୍ଦୋଳନକାରୀମାନେ ସଂସଦ ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ବଳପ୍ରୟୋଗ କରିଥିଲା । ତେବେ ଆନ୍ଦୋଳନକାରୀମାନଙ୍କୁ ଘଉଡ଼ାଇବାକୁ ପୋଲିସ ଅତ୍ୟଧିକ ବଳ ପ୍ରୟୋଗ କରିଥିବା ନେଇ ଅଭିଯୋଗ ପରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହି ନିଷ୍ପତି ନେଇଛନ୍ତି ।
Comments ସମସ୍ତ ମତାମତ