ମୁଖ୍ୟ ଖବର
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଏକ ଅପ୍ରୀତିକର ଘଟଣା ଘଟିଛି। ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନର ଶୁଣାଣି ବେଳେ ଆବେଦନକାରୀ ନିଜେ କୋର୍ଟରେ ହାଜର ହୋଇ ବିଚାରପତିଙ୍କ ପ୍ରତି ଅସମ୍ମାନଜନକ ଆଚରଣ କରିଥିଲେ। ସେ ବିଚାରପତିଙ୍କୁ ନିର୍ଦ୍ଦେଶ ଦେବା ଭଳି ଭାଷା ବ୍ୟବହାର କରିବା ସହ ସେମାନଙ୍କ ଆଡ଼କୁ ମାମଲା ସମ୍ବନ୍ଧୀୟ କାଗଜପତ୍ର ଫିଙ୍ଗି ଦେଇଥିଲେ ଏବଂ ଉଚ୍ଚ ସ୍ୱରରେ ଗାଳିଗୁଲଜ କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ତାଙ୍କୁ କୋର୍ଟ କକ୍ଷରୁ ବାହାରକୁ ନେଇଯାଇଥିଲେ।ଏହି ଘଟଣା ଜଷ୍ଟିସ କେ.ଭି. ବିଶ୍ୱନାଥନ ଓ ଜଷ୍ଟିସ ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଘଟିଥିଲା। ନିଜ ପକ୍ଷ ଉପସ୍ଥାପନ କରିବା ସମୟରେ ଆବେଦନକାରୀ କହିଥିଲେ, “ହେ ନ୍ୟାୟିକ ସେବକ (Mr Judicial Servant), ଲକ୍ଷ୍ନୌ ଏସିପିଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ମୁଁ ଆପଣଙ୍କୁ ଆଦେଶ ଦେଉଛି।”
ଆବେଦନକାରୀଙ୍କ ଏହି ମନ୍ତବ୍ୟରେ ଆଶ୍ଚର୍ଯ୍ୟ ପ୍ରକାଶ କରି ଜଷ୍ଟିସ ବିଶ୍ୱନାଥନ ପଚାରିଥିଲେ, “ଆପଣ ମୋତେ ଆଦେଶ ଦେଉଛନ୍ତି? ଆପଣ ଆମକୁ ଆଦେଶ ଦେଉଛନ୍ତି?” ଏହାର ଉତ୍ତରରେ ଆବେଦନକାରୀ କହିଥିଲେ, “ମୋ ପକ୍ଷରୁ ଏତିକି ହିଁ କହିବାର ଅଛି। ସବୁ କିଛି ରେକର୍ଡରେ ଅଛି।”
ଏହା ପରେ ପରିସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ଆବେଦନକାରୀ ମାମଲା ସମ୍ପର୍କିତ କାଗଜପତ୍ର ବିଚାରପତିଙ୍କ ଆଡ଼କୁ ଫିଙ୍ଗି ଦେବା ସହ ପ୍ରଧାନ ବିଚାରପତିଙ୍କୁ ନେଇ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିବା ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ଯେ, ସେହି ସମୟରେ ପ୍ରଧାନ ବିଚାରପତି ଏହି ଖଣ୍ଡପୀଠର ସଦସ୍ୟ ନଥିଲେ।ଘଟଣା ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ଆବେଦନକାରୀଙ୍କୁ କୋର୍ଟ କକ୍ଷରୁ ବାହାର କରିଦେଇଥିଲେ। ଏହା ପରେ କୋର୍ଟ କକ୍ଷରେ ପୁଣି ଶାନ୍ତ ପରିବେଶ ଫେରିଥିଲା।
ସମ୍ପୂର୍ଣ୍ଣ ଘଟଣା ସମୟରେ ଖଣ୍ଡପୀଠ ଧୈର୍ଯ୍ୟ ଓ ସଂଯମର ପରିଚୟ ଦେଇଥିଲେ। ଆବେଦନକାରୀଙ୍କ ଉତ୍ତେଜନାପୂର୍ଣ୍ଣ ଆଚରଣ ଉପରେ ବିଚାରପତିମାନେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ତେବେ ଏହି ଘଟଣାକୁ ନେଇ ଆବେଦନକାରୀଙ୍କ ବିରୋଧରେ କୌଣସି ଆଇନଗତ କିମ୍ବା ଅବମାନନା ଜନିତ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯାଇଛି କି ନାହିଁ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
Comments ସମସ୍ତ ମତାମତ