Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଦୀପଥୁନରେ ଦୀପ ଜାଳିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

    Share on :
    ajab-Image
    Date: Nov 28, 2026    Views: 2318

    ନୂଆଦିଲ୍ଲୀ: ଥିରୁପରନକୁନ୍ଦ୍ରମସ୍ଥିତ ବିବାଦୀୟ ଦୀପଥୁନ ସ୍ତମ୍ଭରେ କାର୍ତ୍ତିଗାଇ ଦୀପମ ପ୍ରଜ୍ଜ୍ୱଳନ ପାଇଁ ନଭେମ୍ବର ୨୦ରେ ଦିଆଯାଇଥିବା ନିର୍ଦ୍ଦେଶର ଜାଣିଶୁଣି ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ସୁପ୍ରିମକୋର୍ଟ ଶୁକ୍ରବାର ତାମିଲନାଡୁ ମୁଖ୍ୟ ଶାସନ ସଚିବ, ଡିଜିପି, ମଦୁରାଇ ଜିଲାପାଳ ଏବଂ ଅନ୍ୟମାନଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। କୋର୍ଟ ତାମିଲନାଡୁ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ସହ ଏହି ମାମଲାରେ ଅଧିକାରୀମାନଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଇମେଲ୍‌, ଫୋନ୍‌ କଲ୍‌ ଏବଂ ମେସେଜର ବିବରଣୀ ଦେଇ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଅରୁଲମିଗୁ ସୁବ୍ରମଣ୍ୟସ୍ବାମୀ ମନ୍ଦିରର ଟ୍ରଷ୍ଟି ବୋର୍ଡକୁ ମଧ୍ୟ ନିଲମ୍ବନ କରିଛନ୍ତି ଏବଂ ଶନିବାର ଉଚିପିଲ୍ଲୈୟାର ମଣ୍ଡପମରୁ ଅଗ୍ନି ଆଣି ଦୀପଥୁନରେ ଦୀପ ପ୍ରଜ୍ଜ୍ୱଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ବିପୁଲ ଏମ୍‌ ପାଞ୍ଚୋଲିଙ୍କ ଖଣ୍ଡପୀଠ କହିଛନ୍ତି, ବିଶେଷକରି କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଦ୍ୱାରା ଏହାର ନିର୍ଦ୍ଦେଶର ଅବମାନନାକୁ ଅଣଦେଖା କରାଯାଇପାରିବ ନାହିଁ ଏବଂ ଏହାର କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ।
    ତାମିଲନାଡୁ ପୋଲିସ ଏହାର ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ଦର୍ଶାଇ କୋର୍ଟ ମନ୍ଦିର ଏବଂ ଥିରୁପରନକୁନ୍ଦ୍ରମ ପାହାଡ଼ର ସୁରକ୍ଷା ଦାୟିତ୍ୱ ସିଆର୍‌ପିଏଫ୍‌କୁ ହସ୍ତାନ୍ତର କରିଛନ୍ତି। ମଙ୍ଗଳବାର ଏକକାଳୀନ ପଦକ୍ଷେପ ଭାବରେ ଦୀପଥୁନରେ ଦୀପ ଜାଳିବାକୁ ଅନୁମତି ଦେଇଥିବା ନଭେମ୍ବର ୨୦ର ନିର୍ଦ୍ଦେଶ ପାଳନ ନ କରିବା ନେଇ ଦାଖଲ ହୋଇଥିବା ଅଦାଲତ ଅବମାନନା ଆବେଦନ ଏବଂ ଅନ୍ୟାନ୍ୟ ଆବେଦନର ଶୁଣାଣି ସମୟରେ ଏହି ଘଟଣାକ୍ରମ ସାମ୍ନାକୁ ଆସିଛି। ତାମିଲନାଡୁ ସରକାର ଦୀପଥୁନରେ ପାରମ୍ପରିକ ଦୀପ ପ୍ରଜ୍ଜ୍ୱଳନ କରିବାରେ ବିଫଳ ହୋଇଥିବାରୁ ବୁଧବାର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଥିଲେ ଏବଂ ଏଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। କୋର୍ଟଙ୍କ ଅନୁମତି ସତ୍ତ୍ୱେ ନଭେମ୍ବର ୨୪ରେ ଦୀପଥୁନ ପରିବର୍ତ୍ତେ କେବଳ ପାରମ୍ପରିକ ଉଚିପିଲ୍ଲୈୟାର ମଣ୍ଡପମରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।
    ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ତାମିଲନାଡୁ ସରକାରଙ୍କ ବିରୋଧରେ ଗୁରୁତର ଅଦାଲତ ଅବମାନନା ଏବଂ ପ୍ରଶାସନିକ ଅହଂକାରର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ନଭେମ୍ବର ୨୦ ଅପରାହ୍ନ ୩ଟାରେ ପୋଲିସ ଏଏସ୍‌ଆଇ ଅଧିକାରୀମାନଙ୍କୁ ସ୍ତମ୍ଭ ନିକଟକୁ ଯିବାକୁ ଅଟକାଇଥିଲା। ମନ୍ଦିର ଟ୍ରଷ୍ଟିମାନେ ଏଏସ୍‌ଆଇକୁ ଜଣାଇଥିଲେ ଯେ ଟିମ୍‌ର ପ୍ରବେଶ ସମ୍ପର୍କରେ ସେମାନେ ବରିଷ୍ଠ ଅଧିକାରୀଙ୍କଠାରୁ କୌଣସି ନିର୍ଦ୍ଦେଶ ପାଇନାହାଁନ୍ତି। ଅବମାନନା ଅଭିଯୋଗ ହୋଇଥିବା ଅଧିକାରୀଙ୍କ ଶୁଣାଣି କରିବା ପୂର୍ବରୁ ଦୀପ ପ୍ରଜ୍ଜ୍ୱଳନ ସୁନିଶ୍ଚିତ କରିବାକୁ ମେହେଟ୍ଟା କୋର୍ଟଙ୍କୁ ଅନୁରୋଧ କରିଥିଲେ। ପୋଲିସ କର୍ମଚାରୀମାନେ ସମଗ୍ର ପରିସରକୁ କବଜା କରିନେଇଥିବା ଅଭିଯୋଗ କରି ସେ ଏକ ସ୍ବାଧୀନ ଏଜେନ୍ସି ଦ୍ୱାରା ତଦାରଖ କରିବାକୁ ମଧ୍ୟ ଦାବି କରିଥିଲେ। ତେବେ ମଦୁରାଇ ଜିଲାପାଳଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ ଏଏସ୍‌ଆଇର ଏହି ବୟାନକୁ ଖଣ୍ଡନ କରି କହିଛନ୍ତି, ଏହାର ଅଧିକାରୀମାନଙ୍କ ସହ ପରାମର୍ଶ କରାଯାଇଥିଲା ଏବଂ ସେମାନଙ୍କ ସହ ଅନେକ ବୈଠକ ମଧ୍ୟ ହୋଇଥିଲା। ଦୀପମ୍‌ ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ସମର୍ଥନ କରି ଏକ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ତାମିଲ ବାକ୍ୟାଂଶ ‘ଭେଟ୍ରିଭେଲ୍‌ ମୁରୁଗାନୁକ୍କୁ ଅରୋଗରା’ ଲେଖା ରହିଛି, ଯାହାର ଅର୍ଥ ହେଉଛି ‘ଭଗବାନ ମୁରୁଗାନଙ୍କ ଜୟ ହେଉ’।

    Maximum 500 characters

    ଦେଶ ବିଦେଶ View all

    Find Us on Facebook