ମୁଖ୍ୟ ଖବର
ନୂଆଦିଲ୍ଲୀ :କମ୍ପାନୀ ବିରୋଧରେ ଚାଲୁଥିବା ଆପରାଧିକ ମାମଲାକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବ୍ୟକ୍ତି ଅଭିଯୁକ୍ତ ନ ହେଲେ ବି କମ୍ପାନୀ ବିରୋଧରେ ମାମଲା ଚାଲିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି। ବିଚାରପତି ଜେବି ପାରଦିବାଲା ଓ ମନୋଜ ମିଶ୍ରଙ୍କ ପୀଠ କହିଛନ୍ତିି ଯେ ଅପରାଧ କରିଥିବା କର୍ମଚାରୀ କିମ୍ବା ଅଧିକାରୀଙ୍କୁ ଚିହ୍ନଟ ନ କରିପାରିଲେ କିମ୍ବା କେହି ଅଭିଯୁକ୍ତ ନ ହୋଇଥିବା ଆଧାରରେ କମ୍ପାନୀ ବିରୋଧରେ ଚାଲୁଥିବା ମାମଲାକୁ ବନ୍ଦ କରିଦିଆଯିବ ନାହିଁ। ଯେଉଁ ମାମଲାରେ ଦଣ୍ଡ ଭାବେ େଜଲ କିମ୍ବା ଅପରାଧର ଇଚ୍ଛା ଧାର୍ଯ୍ୟ କରିବା ଜରୁରୀ ହୋଇଥାଏ, ସେହି ଭଳି କ୍ଷେତ୍ରରେ କମ୍ପାନୀ ବିରୋଧରେ ମାମଲା ଚାଲିପାରିବ। ଭାରତୀୟ ଆଇନରେ ଏହା ସ୍ପଷ୍ଟ କରିଦିଆଯାଇଛି। ଏଥିସହିତ କୋର୍ଟ ଫାର୍ମା କମ୍ପାନୀ ସାନୋଫି ଇଣ୍ଡିଆ ଲିମିଟେଡର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହି କମ୍ପାନୀ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ପୂର୍ବରୁ କମ୍ପାନୀ ବିରୋଧରେ ଚାଲିଥିବା ମାମଲା ଖାରଜ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ମନା କରି ଦେଇଥିଲେ। ଏହା ବିରୋଧରେ କମ୍ପାନୀ ସୁପ୍ରିମକୋର୍ଟ ଯାଇଥିଲା। ଏବେ ଏହି ନିଷ୍ପତ୍ତି ଅନ୍ୟ ମାମଲା ପାଇଁ ଦୃଷ୍ଟାନ୍ତ ପାଲଟିବ। ଅପରାଧ କରିିଥିବା ବ୍ୟକ୍ତିକୁ ଚିହ୍ନଟ ନ କରିପାରିଲେ କମ୍ପାନୀ ବିରୋଧରେ ମାମଲା ବନ୍ଦ ହେବ ନାହିଁ। ଏହା ବଦଳରେ ଜୋରିମାନା ଲଗାଯାଇପାରିବ।
୯୮ ପୃଷ୍ଠାର ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଆରୋପପତ୍ରରେ କମ୍ପାନୀ ଅପରାଧ କରିଛି କିମ୍ବା ଅପରାଧରେ ଭୂମିକା ରହିଛି ବୋଲି ଜଣାପଡ଼େ, ତେବେ କମ୍ପାନୀ ବିରୋଧରେ ମାମଲା ଚାଲିପାରିବ। ଯଦି ଅପରାଧରେ କେବଳ ଜେଲ ଦଣ୍ଡ ବ୍ୟବସ୍ଥା ଥିବ କିମ୍ବା ବ୍ୟକ୍ତିଗତ ଖରାପ ଉଦ୍ଦେଶ୍ୟର ଅପରାଧ ହୋଇଥିବ ଓ କମ୍ପାନୀ ଏପରି ଅପରାଧ କରିପାରିବନି ଜଣାପଡ଼ିଲେ ମାମଲା ଚାଲିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ମାମଲା ଔଷଧ କ୍ରୟ ସମ୍ବନ୍ଧିତ। ଆରୋପପତ୍ରରେ କୁହାଯାଇଛି ଯେ ବିଏଆରସି ଜଣେ ଅଧିକାରୀ ସାନୋଫି ଇଣ୍ଡିଆ ସହ ମିଶି ମହଙ୍ଗା ଦରରେ ଔଷଧ କିଣିଥିଲେ ଓ ଖରାପ ଉଦ୍ଦେଶ୍ୟ ରଖି ଲାଞ୍ଚ ଦେଇଥିଲେ।
Comments ସମସ୍ତ ମତାମତ