Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୋଟର ତାଲିକାରୁ ନାଁ ହଟିଲେ କାହାରି ନାଗରିକତା ଯିବ ନାହିଁ: ସୁପ୍ରିମକୋର୍ଟ

    Share on :
    ajab-Image
    Date: Jul 18, 2026    Views: 2527

    ନୂଆଦିଲ୍ଲା:  ଭୋଟର ତାଲିକାରୁ ଲୋକଙ୍କ ନାଁ କଟିବା ସହ ଜଡ଼ିତ ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଭୋଟର ତାଲିକାରୁ ନାଁ ହଟିଲେ କାହାରି ନାଗରିକତା ଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପଶ୍ଚିମବଙ୍ଗରେ ଯେଉଁ ଲୋକଙ୍କ ନାଁ ଏସ୍‌ଆଇଆର୍‌ ପରେ ଭୋଟର ତାଲିକାରୁ କଟିଛି ସେମାନଙ୍କୁ ସରକାରୀ ଯୋଜନାର ଲାଭ ମିଳିବା ଯେପରି ବନ୍ଦ ନ ହେଉ ଏବଂ ଚୂଡ଼ାନ୍ତ ଫଇସଲା ହେବା ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବା ଦାବିରେ ସୁପ୍ରିମକୋର୍ଟରେ ପିଟିସନ ହୋଇଛି ।

    ଏହା ଉପରେ ଶୁଣାଣି କରି ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଏବଂ ଜଷ୍ଟିସ୍‌ ଭି ମୋହନାଙ୍କ ଖଣ୍ଡପୀଠ ଉକ୍ତ ଟିପ୍ପଣୀ ଦେଇଛନ୍ତି । ଏ ନେଇ ସର୍ବୋଚ୍ଚ ଅଦାଲତ ନିର୍ବାଚନ କମିଶନ (ଇସି) ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି । ଶୁଣାଣି ବେଳେ ଜଷ୍ଟିସ୍‌ ବାଗ୍‌ଚୀ କହିଥିଲେ, ସୁପ୍ରିମକୋର୍ଟ ପ୍ରଥମରୁ ହିଁ କହିସାରିଛନ୍ତି ଯେ, ନିର୍ବାଚନ କମିଶନଙ୍କ କାମ କେବଳ ଭୋଟର ତାଲିକା ପ୍ରସ୍ତୁତ କରିବା ଏବଂ ମତଦାନ ସହ ଜଡ଼ିତ ମାମଲା ତଦାରଖ କରିବା । କୌଣସି ବ୍ୟକ୍ତିଙ୍କ ନାଗରିକତା ସ୍ଥିର କରିବା ଇସିଙ୍କ ଅଧିକାର ନୁହେଁ । ଯଦି ନାଗରିକତା ଉପରେ ବିବାଦ ହୁଏ ତେବେ ଏହି ମାମଲା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବା ଉଚିତ । ପିଟିସନର ତଥା ପଶ୍ଚିମବଙ୍ଗ କଂଗ୍ରେସ ନେତା ପ୍ରସନଜିତ୍‌ ବୋଷଙ୍କ ଓକିଲ ଗୋପାଳ ଶଙ୍କରନାରାୟଣ କହିଥିଲେ, ନାଗରିକତା ସହ ଜଡ଼ିତ ୩୪ ଲକ୍ଷ ମାମଲା ଏବେ ବି ବିଚାରାଧୀନ ଅଛି । ଏବେ କେବଳ ୩୮ ହଜାର ମାମଲାର ଫଇସଲା ହୋଇଛି । ଏବେ କେବଳ ୧୯ ଟ୍ରିବ୍ୟୁନାଲ କାମ କରୁଛନ୍ତି ।

    ସେହିପରି ଭୋଟର ତାଲିକାରୁ ନାଁ କଟିବା ପରେ ଅନେକ ଲୋକଙ୍କୁ ରାଶନ, ଅନ୍ନପୂର୍ଣ୍ଣା କିମ୍ବା ଅନ୍ୟ ଯୋଜନା ଦ୍ୱାରା ସରକାରୀ ସୁବିଧାର ଲାଭ ନେବାରେ ଅସୁବିଧା ହେଉଛି । ଯେଉଁ ଲୋକଙ୍କ ପାଖରେ ପାସ୍‌ପୋର୍ଟ ଭଳି ବୈଧ ଦସ୍ତାବିଜ୍‌ ରହିଛି, ସେମାନଙ୍କୁ ନାଗରିକତା ପ୍ରମାଣ ଲାଗି ଅନ୍ୟ ଦସ୍ତାବିଜ୍‌ ବାରମ୍ବାର ମଗା ନ ଯାଉ ବୋଲି ପିଟିସନର କହିଥିଲେ । ପିଟିସନରେ ପଶ୍ଚିମବଙ୍ଗରେ ଏସ୍‌ଆଇଆର୍‌ ପ୍ରକ୍ରିୟା ସହ ଜଡ଼ିତ ବିଧାନସଭା ନିର୍ବାଚନମଣ୍ଡଳୀ ଆଧାରରେ ସମସ୍ତ ତଥ୍ୟ ସାର୍ବଜନିନ କରିବାକୁ, କେତେ ଆବେଦନ ସ୍ୱୀକାର କରାଯାଇଛି ଏବଂ କେତେ ଖାରଜ ହୋଇଛି, ଟ୍ରିବ୍ୟୁନାଲ ପାଖରେ ପଡ଼ିରହିଥିବା ଏବଂ ବିଚାର ସରିଥିବା ମାମଲା ବାବଦରେ ସମସ୍ତ ବିବରଣୀ ପ୍ରଦାନ କରାଯିବାକୁ ମଧ୍ୟ ଦାବି ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook