Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସିଇସି ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

    Share on :
    ajab-Image
    Date: May 15, 2026    Views: 2630

    ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ କମିସନର (ସିଇସି) ଏବଂ ଅନ୍ୟ ନିର୍ବାଚନ କମିସନରମାନଙ୍କ ନିଯୁକ୍ତି ପାଇଁ ପ୍ରଚଳିତ ପ୍ରକ୍ରିୟା ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପ୍ରଚଳିତ ପ୍ରକ୍ରିୟା ଅନୁଯାୟୀ ସିଇସି ଓ ନିର୍ବାଚନ କମିସନର ମନୋନୟନ ପାଇଁ ଗଠିତ କମିଟିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରୁଥିବାବେଳେ ଏଥିରେ ଲୋକସଭା ବିରୋଧୀ ଦଳ ନେତା ଓ ଜଣେ କ୍ୟାବିନେଟ୍ ମନ୍ତ୍ରୀ ସଦସ୍ୟ ରହିଛନ୍ତି। ଏପରି କ୍ଷେତ୍ରରେ ସିଇସି ମନୋନୟନ ଅବାଧ ଓ ନିରପେକ୍ଷ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କାରଣ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଭିନ୍ନ ମତ ଦେଇପାରିବେ ନାହିଁ।

    ଫଳରେ ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମର୍ଥନ ଆଧାରରେ ସରକାରଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଯିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନ କମିସନ ସମ୍ପୂର୍ଣ୍ଣ ସ୍ୱାଧୀନ ରହିବା ଜରୁରୀ। ନିଯୁକ୍ତି କମିଟିରେ ଅତିକମ୍‌ରେ ଜଣେ ସମ୍ପୂର୍ଣ୍ଣ ନିରପେକ୍ଷ ବ୍ୟକ୍ତି ରହିବା ଆବଶ୍ୟକ। ସୁପ୍ରିମକୋର୍ଟ କହିଛନ୍ତି ଯେ ସିବିଆଇ ନିର୍ଦେଶକ ନିଯୁକ୍ତି କମିଟିରେ ଯଦି ପ୍ରଧାନ ବିଚାରପତି ସାମିଲ ହୋଇପାରୁଛନ୍ତି ତେବେ ସିଇସି ଓ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ପ୍ରକ୍ରିୟାରେ କାହିଁକି ପ୍ରଧାନ ବିଚାରପତିଙ୍କୁ ସାମିଲ କରାଯାଇପାରିବ ନାହିଁ। ସିବିଆଇ ନିର୍ଦେଶକ ନିଯୁକ୍ତି ଠାରୁ ନିର୍ବାଚନ କମିସନ ନିଯୁକ୍ତି ପ୍ରକ୍ରିୟା ଅଧିକ ଗୁରୁତ୍ବପୂର୍ଣ୍ଣ। କାରଣ ନିର୍ବାଚନ କମିସନ ଦେଶର ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରୁଛନ୍ତି। ନିର୍ବାଚନ ହେଉଛି ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ବଡ ଅଂଶ। ଆଉ ଏହି ନିର୍ବାଚନ ମୁକ୍ତ ଓ ଅବାଧ ହେବା ଦରକାର।
    ୨୦୨୩ ମସିହାରେ ସୁପ୍ରିମକୋର୍ଟ ଏକ ରାୟ ଦେଇଥିଲେ ଯେ ସିଇସି ଓ ଅନ୍ୟ ନିର୍ବାଚନ କମିସନର ନିଯୁକ୍ତି କମିଟିରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ। ମାତ୍ର କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣି ପ୍ରଧାନ ବିଚାରପତିଙ୍କୁ କମିଟିରୁ ବାହାର କରିଦେଇଥିଲେ ଏବଂ ତାଙ୍କ ସ୍ଥାନରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ଥାନ ଦେଇଥିଲେ। ଏହାକୁ ନେଇ ଏବେ ସୁପ୍ରିମକୋର୍ଟରେ ପୁନର୍ବାର ବିଚାର ଚାଲିଛି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ନିର୍ବାଚନ କମିସନରଙ୍କୁ ନିଯୁକ୍ତି ଦେଉଥିବା କମିଟିରେ କେବଳ ସରକାରୀ ପକ୍ଷର ବହୁମତ ରହିବା ଅନୁଚିତ। ଯଦି ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥା ନିରପେକ୍ଷ ନରହେ, ତେବେ ଗଣତନ୍ତ୍ର ବିପଦରେ ପଡ଼ିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook