Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଛେଳି, କୁକୁଡ଼ାଙ୍କର କ’ଣ ଜୀବନ ନାହିଁ- ସୁପ୍ରିମକୋର୍ଟ

    Share on :
    ajab-Image
    Date: Jan 8, 2026    Views: 2732

    ନୂଆଦିଲ୍ଲୀ: ବୁଲା କୁକୁରଙ୍କ ସୁରକ୍ଷା ଦାବି କରି ଦାୟର ସଂଖ୍ୟାଧିକ ଆବେଦନଗୁଡିକ ଉପରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ବୁଲା କୁକୁରଙ୍କୁ ସର୍ବସାଧାରଣ ସ୍ଥାନରୁ ହଟାଇବା, ସେମାନଙ୍କୁ ବନ୍ଧ୍ୟାକରଣ କରିବା ଭଳି ନିଷ୍ପତ୍ତିକୁ ବିରୋଧ କରି ଦାୟର ଆବେଦନଗୁଡିକ ଉପରେ  ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହେଟ୍ଟା ଓ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ପୀଠ ଶୁଣାଣି କରିଥିଲେ। ଶୁଣାଣି ସମୟରେ ବୁଲା କୁକୁରଙ୍କ ସୁରକ୍ଷା ପାଇଁ ଅନେକ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟଙ୍କ ପୀଠ କହିଥିଲେ ଯେ ବୁଲା କୁକୁରଙ୍କ ପ୍ରତି ଯେପରି ଦରଦ ଦେଖାଯାଉଛି ଅନ୍ୟ ଜୀବ ପ୍ରତି କାହିଁକି ସେତିକି ଦରଦ ଦେଖାଯାଉ ନାହିଁ।
    ଦେଶରେ ଦୈନିକ ଲକ୍ଷ ଲକ୍ଷ ଛେଳି ଓ କୁକୁଡା ହତ୍ୟା କରାଯାଉଛି। ଏହି ଜୀବଗୁଡିକଙ୍କର କ’ଣ ଜୀବନ ନାହିଁ। ସେଥିପ୍ରତି କାହିଁକି କେହି କିଛି କହୁ ନାହାନ୍ତି। ଏହି ପ୍ରସଙ୍ଗରେ ଜଣେ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଓକିଲ କପିଲ ସିବଲ କହିଥିଲେ ଯେ କୁକୁର ପ୍ରେମୀମାନେ ହେଉଛନ୍ତି ଏକ ପ୍ରକାର ପରିବେଶ ପ୍ରେମୀ। ତେଣୁ ସେମାନେ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ କୁକୁରଙ୍କୁ ସୁରକ୍ଷା ଦାବି କରୁଛନ୍ତି। ଆମ ପରିବେଶ ଏକ ଶୃଙ୍ଖଳରେ ବନ୍ଧା ହୋଇଛି। ଗୋଟିଏ ଶୃଙ୍ଖଳ ଛିଣ୍ଡିଗଲେ ପୂରା ବ୍ୟବସ୍ଥା ବିଗିଡିଯିବ। ସିବଲଙ୍କ ଏପରି ଯୁକ୍ତି ପରେ ସୁପ୍ରିମକୋର୍ଟ ଛେଳି ଓ କୁକୁଡାଙ୍କ ଭଳି ଅନ୍ୟ ଜୀବଙ୍କ ପ୍ରସଙ୍ଗ ଉଠାଇଥିଲେ। ମାତ୍ର ସିବଲ କହିଥିଲେ ଯେ ‘ମୁଁ ଚିକେନ ଖାଇବା ବନ୍ଦ କରିଦେଇଛି। କାରଣ କୁକୁଡାଗୁଡିକୁ ନିଷ୍ଠୁର ଭାବେ ପିଞ୍ଜରାରେ ରଖାଯାଉଛି। ଆଉ ଗୋଟିଏ କଥା ହେଲା ଗୋଟିଏ ବାଘ ମଣିଷ ଖାଇଲା ବୋଲି ସବୁ ବାଘକୁ ମଣିଷଖିଆ କହି ହତ୍ୟା କରାଯାଇପାରିବ ନାହିଁ।’
    ସିବଲ କହିଥିଲେ ଯେ ବୁଲା କୁକୁରଙ୍କୁ ଧରି ସମସ୍ତଙ୍କୁ ବନ୍ଧ୍ୟାକରଣ କରାଗଲେ କୁକୁର ସଂଖ୍ୟା ନିୟନ୍ତ୍ରଣ ହେବ। ଏହି ଧାରାବାହିକ ପ୍ରକ୍ରିୟା ଦ୍ବାରା ବୁଲାକୁକୁରଙ୍କ ସଂଖ୍ୟା ଶୂନ୍ୟ ହୋଇଯିବ। ତେବେ ଭାରତ ଭଳି ଦେଶରେ ବୁଲାକୁକୁର ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ବଡ ଭୂମିକା ନିର୍ବାହ କରୁଛନ୍ତି। ବସ୍ତି ଅଞ୍ଚଳର ଲୋକେ ଏଣେ ତେଣେ ବାସି ଓ ପଚା ଖାଦ୍ୟ ଫୋଫାଡିଥାନ୍ତି। ବୁଲା କୁକୁର ଏସବୁ ଖାଇବା ଦ୍ବାରା ପରିବେଶ ସୁରକ୍ଷା ହୋଇଥାଏ। ଆଉ ବୁଲାକୁକୁରଙ୍କ ପାଇଁ ସହରରେ ଆଶ୍ରୟଗୃହ ନିର୍ମାଣ କରାଗଲେ ଦେଶ ଉପରେ ଆର୍ଥିକ ବୋଝ ପଡିବ। ଅନ୍ୟପଟେ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିବା ବିଭିନ୍ନ ପୀଡିତାଙ୍କ ପକ୍ଷରୁ ମଧ୍ୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଯେଉଁମାନେ କି ଜାପାନ ଓ ଆମେରିକାର ଉଦାହରଣ ଦେବା ପୂର୍ବକ ବୁଲାକୁକୁରଙ୍କୁ ହତ୍ୟା କରିବା ଲାଗି ଦାବି କରିଥିଲେ। ଆମେରିକାରେ ବୁଲା କୁକୁରଙ୍କୁ ନେଇ ଆଶ୍ରୟ ଗୃହରେ ରଖାଯାଏ। ଧାର୍ୟ୍ୟ ସମୟରେ ଯଦି ଏହାକୁ କେହି ଲାଲନପାଳନ (ପୋଷ୍ୟ) ପାଇଁ ଗ୍ରହଣ ନକରନ୍ତି ତେବେ ଏହାକୁ ମାରି ଦିଆଯାଏ। ଜାପାନରେ ବୁଲା କୁକୁର ସମସ୍ୟା ନାହିଁ। ୧୯୫୦ ମସିହା ଠାରୁ ଏହି ଦେଶରେ କେହି ଜଳାତଙ୍କରେ ପ୍ରାଣ ହରାଇ ନାହାନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook