ମୁଖ୍ୟ ଖବର
ନୂଆଦିଲ୍ଲୀ : ନବ ନିର୍ମିତ ସଂସଦ ଭବନର ଉଦ୍ଘାଟନକୁ ନେଇ ଉଠିଥିବା ବିବାଦ କେବଳ ରାଜନୀତିକ ଦଳ ମଧ୍ୟରେ ସୀମିତ ରହିନାହିଁ। ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ନୂଆ ସଂସଦ ଭବନର ଉଦ୍ଘାଟନ ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ କରା ନଯିବା ପରିପ୍ରେକ୍ଷୀରେ ମାମଲା ଦାଏର କରାଯାଇଛି। ବିରୋଧୀଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଆଇନଜୀବୀ ସି ଆର ଜୟସୁକିନ ଏନେଇ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରି ଉଦ୍ଘାଟନ ଉପରେ ରୋକ୍ ଲଗାନ୍ତୁ ବୋଲି ମଧ୍ୟ ପିଟିସନରେ ଆବେଦନ କରାଯାଇଛି। ତେବେ ସୁପ୍ରିମକୋର୍ଟରେ ଆଜି ଏହାର ଶୁଣାଣି ହୋଇପାରେ ବୋଲି ଜଣାପଡିଛି।
ସମ୍ବିଧାନର ଧାରା ୭୯କୁ ଆଧାର କରି ବିରୋଧୀ ଦଳମାନଙ୍କ ପକ୍ଷରୁ କୁହାଯାଇଛି ଯେ, ସଂସଦର ଅଭିନ୍ନ ଅଙ୍ଗ ହେଲେ ରାଷ୍ଟ୍ରପତି। ସଂସଦୀୟ ବ୍ୟବସ୍ଥାର ମୁଖ୍ୟ ଭାବେ ତାଙ୍କ ନେତୃତ୍ବରେ ଲୋକସଭା ଏବଂ ରାଜ୍ୟସଭା ପରିଚାଳିତ ହେଉଛି। କିନ୍ତୁ କେନ୍ଦ୍ର ସରକାର ନୂତନ ସଂସଦ ଭବନର ଲୋକାର୍ପଣକୁ ନେଇ ଏହି ସାମ୍ବିଧାନିକ ନିୟମକୁ କୁଠାରଘାତ କରୁଛନ୍ତି। ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ନୂଆ ଭବନର ଉଦ୍ଘାଟନ କରାଯାଉ ବୋଲି ଏହି ଯାଚିକାରେ ଦାବି କରାଯାଇଛି। ଅନ୍ୟ ପକ୍ଷରେ ଆସନ୍ତା ୨୮ ତାରିଖରେ ନୂଆ ଭବନର ଲୋକାର୍ପଣ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଥିପାଇଁ ଲୋକସଭା ବାଚସ୍ପତି ଆମନ୍ତ୍ରଣ ଜଣାଇ ସାରିଥିବା ବେଳେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇସାରିଛି।
ତେବେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟନକୁ ବିରୋଧ କରି ଏବେ କଂଗ୍ରେସ ସମେତ ଅନ୍ୟ ୨୧ଟି ରାଜନୈତିକ ଦଳ ଏହି ଉଦ୍ଘାଟନୀ ଉତ୍ସବକୁ ବର୍ଜନ କରିବାକୁ ଧମକ ଦେଇଛନ୍ତି। ଅନ୍ୟପଟେ ୧୭ଟି ଦଳ କେନ୍ଦ୍ର ସରକାରଙ୍କ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ସହମତ ହୋଇଛନ୍ତି।
Comments ସମସ୍ତ ମତାମତ