ମୁଖ୍ୟ ଖବର
ନୂଆଦିଲ୍ଲୀ: ୨୭ ବର୍ଷର ସଫଳ କ୍ୟାରିୟର ପରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ନାସାରୁ ଅବସର ନେଇଛନ୍ତି । ତାଙ୍କ ଅବସର ଗତ ଡିସେମ୍ବର ୨୦୨୫ରୁ କାର୍ଯ୍ୟକାରୀ ହୋଇଥିବା ନାସା ଘୋଷଣା କରିଛି । ଗତବର୍ଷ ତାଙ୍କର ୧୦ ଦିନିଆ ମହାକାଶ ମିଶନ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ସାଢେ ୯ ମାସ ରହିବା ପରେ ଶେଷ ହୋଇଥିଲା । ସୁନୀତା ନାସାରେ ୨୭ ବର୍ଷ କାର୍ଯ୍ୟ କରିଛନ୍ତି । ସୁନୀତାଙ୍କ ଅବସର ସମ୍ପର୍କରେ ନାସା ଅଧିକାରୀ ଜାରେଡ୍ ଆଇଜାକମ୍ୟାନ୍ କହିଛନ୍ତି, ସୁନୀତା ୱିଲିୟମ୍ସ ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ମହାକାଶ ଷ୍ଟେସନରେ ତାଙ୍କ ନେତୃତ୍ୱରେ ଗବେଷଣା ବେଶ୍ ଉଚ୍ଚକୋଟୀର । ତାଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିମ୍ନ ପୃଥିବୀ କକ୍ଷପଥକୁ ବାଣିଜ୍ୟିକ ମିଶନ ପାଇଁ ପଥ ପ୍ରଶସ୍ତ କରିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢାଇବା ପାଇଁ ତାଙ୍କର କାର୍ଯ୍ୟ ଚନ୍ଦ୍ରକୁ ଆର୍ଟେମିସ୍ ମିଶନ ଓ ମଙ୍ଗଳ ଗ୍ରହକୁ ଯାତ୍ରା ପାଇଁ ମୂଳଦୁଆ ପକାଇଥିଲା । ତାଙ୍କର ଅସାଧାରଣ ସଫଳତା ନୂଆ ପିଢ଼ିକୁ ବଡ଼ ସ୍ୱପ୍ନ ଦେଖିବା ଓ ମହାକାଶ କ୍ଷେତ୍ରରେ ଯାହା ସମ୍ଭବ ତାହାର ସୀମାକୁ ଆଗକୁ ବଢାଇବାକୁ ପ୍ରେରଣା ଦେବ ।
ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ୱିଲିୟମ୍ସ ୧୯୯୮ ମସିହାରେ ନାସାରେ ଯୋଗ ଦେଇଥିଲେ । ୩ଟି ମିଶନରେ ୬୦୮ ଦିନ ମହାକାଶରେ ବିତାଇଛନ୍ତି । ଏହା କୌଣସି ନାସା ମହାକାଶଚାରୀଙ୍କ ଦ୍ୱାରା ମହାକାଶରେ ବିତାଇଥିବା ମୋଟ ସମୟ ମଧ୍ୟରୁ ଦ୍ୱିତୀୟ ସର୍ବାଧିକ । ସେ ଜଣେ ଆମେରିକୀୟ ମହାକାଶଚାରୀ ତାଲିକାରେ ଏଭଳି କରି ସେ ଷଷ୍ଠ ସ୍ଥାନରେ ରହିଛନ୍ତି। ନାସା ମହାକାଶଚାରୀ ବୁଚ୍ ୱିଲମୋରଙ୍କ ସହିତ ସେ ସମକ୍ଷକ ହୋଇ ଛନ୍ତି। ୱିଲମୋରଙ୍କ ସହିତ ସୁନିତା ନାସାର ବୋଇଂ ଷ୍ଟାରଲାଇନର ଓ ସ୍ପେସ-ଏକ୍ସ କ୍ରୁ-୯ ମିଶନରେ ୨୮୬ ଦିନ ବିତାଇଥିଲେ । ସୁନିତା ମୋଟ ୬୨ ଘଣ୍ଟା ୬ ମିନିଟ୍ର ୯ଟି ସ୍ପେସୱାକ୍ କରିଛନ୍ତି । ମହିଳା ମହାକାଶଚାରୀଙ୍କ ଦ୍ୱାରା ଏହା ସର୍ବାଧିକ ଓ ନାସାର ତାଲିକାରେ ଚତୁର୍ଥ । ସେ ମହାକାଶରେ ମାରାଥନ୍ ଦୌଡ଼ିବାରେ ମଧ୍ୟ ପ୍ରଥମ ବ୍ୟକ୍ତି ଥିଲେ ।
ସୁନୀତା ପ୍ରଥମ ଥର ପାଇଁ ଡିସେମ୍ବର ୨୦୦୬ରେ ସ୍ପେସ୍ ସଟଲ୍ ଡିସ୍କଭରୀରେ ଅଭିଯାନ ୧୪/୧୫ର ଅଂଶ ଭାବରେ ଉଡ଼ିଥିଲେ । ତାଙ୍କର ଦ୍ୱିତୀୟ ମିଶନ ଜୁଲାଇ ୨୦୧୨ରେ ଆରମ୍ଭ ହୋଇଥିଲା । ସେ କାଜାଖସ୍ତାନରୁ ଅଭିଯାନ ୩୨/୩୩ ପାଇଁ ଉଡ଼ିଥିଲେ । ପରେ ମହାକାଶ ଷ୍ଟେସନ କମାଣ୍ଡର ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଶେଷ ମିଶନ ଜୁନ ୨୦୨୪ରେ ବୋଇଂର ଷ୍ଟାରଲାଇନରରେ ଥିଲା । ମହାକାଶ ଷ୍ଟେସନ (ISS) ର କମାଣ୍ଡ ଗ୍ରହଣ କରିଥିଲେ ଏବଂ ମାର୍ଚ୍ଚ ୨୦୨୫ରେ ପୃଥିବୀକୁ ଫେରି ଆସିଥିଲେ ।
ସୁନୀତା ୱିଲିୟମ୍ସଙ୍କ ପିତା ଜଣେ ନ୍ୟୁରୋଆନାଟୋମିଷ୍ଟ । ସେ ଗୁଜରାଟର ମେହସାଣା ଜିଲ୍ଲାର ଝୁଲାସନରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ପରେ ସେ ଆମେରିକା ଚାଲିଯାଇଥିଲେ ଓ ସ୍ଲୋଭେନିଆର ବୋନି ପାଣ୍ଡ୍ୟାଙ୍କୁ ବିବାହ କରିଥିଲେ। ସୁନିତା ଆମେରିକାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଆମେରିକୀୟ ନାଗରିକ।
Comments ସମସ୍ତ ମତାମତ