ମୁଖ୍ୟ ଖବର
ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପତ୍ନୀ ସୁନେତ୍ରା ପୱାର । ଶନିବାର ସନ୍ଧ୍ୟା ୫ଟାରେ ସୁନେତ୍ରା ଶପଥ ନେବେ ।ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ଅଜିତ ପୱାରଙ୍କ ପତ୍ନୀ ସୁନେତ୍ରା ଅଜିତ ପୱାର (ଜନ୍ମ ୧୮ ଅକ୍ଟୋବର ୧୯୬୩) । ସେ ଏବେ ମହାରାଷ୍ଟ୍ରରୁ ରାଜ୍ୟସଭା ସାଂସଦ ଭାବରେ କାର୍ୟ୍ୟ କରୁଛନ୍ତି । ସେ ଚଳିତ ଲୋକସଭା ନିର୍ବାଚନରେ ବାରାମତୀରୁ ସୁପ୍ରିୟା ସୋଲେଙ୍କ ବିପକ୍ଷରେ ଏନସିପିର ପ୍ରାର୍ଥୀ ଥିଲେ । ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ସହ ଅଜିତଙ୍କ ଦାୟିତ୍ଵରେ ଥିବା ଅବକାରୀ ଏବଂ କ୍ରୀଡ଼ା ବିଭାଗ ସମ୍ଭାଳିବେ । କିନ୍ତୁ ଅର୍ଥ ବିଭାଗ ଅସ୍ଥାୟୀ ଭାବରେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ପାଖରେ ରହିବ । ମାର୍ଚ୍ଚ ମାସରେ ବଜେଟ ଅଧିବେଶନ ହେବାକୁ ଥିବାରୁ ଫଡନାଭିସଙ୍କ ପାଖରେ ରହିବ । କିନ୍ତୁ ପରେ ଏନସିପିକୁ ଯିବ । ଫେବୃଆରୀ ୭ ତାରିଖରେ ହେବାକୁ ଥିବା ପୁଣେ ଜିଲ୍ଲା ପରିଷଦ ନିର୍ବାଚନ ପୂର୍ବରୁ ଦଳର ଦିଗ ନିର୍ଣ୍ଣୟ କରିବା ପାଇଁ ଦଳର ବରିଷ୍ଠ ନେତାମାନେ ସୁନେତ୍ରା ପୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବ ପରେ ପୱାର ପରିବାର ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇପୁଅ ଜୟ ଏବଂ ପାର୍ଥ ପୱାରଙ୍କର ରାଜନୀତିରେ ପରିପକ୍ଵତା ନଥିବାରୁ ସେମାନଙ୍କ କଥା ବିଚାର କରାଯାଇ ନଥିଲା । ଆଲୋଚନା ପରେ ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଭୂମିକା ଗ୍ରହଣ କରିବାକୁ ରାଜି ହୋଇଥିଲେ । ଶନିବାର ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ହେବ । ଏନସିପି କାର୍ୟ୍ୟାଳୟରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଦଳର ବରିଷ୍ଠ ନେତା ଭୁଜବଳ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଯଦି ତାଙ୍କର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ଉତ୍ସବ ଶନିବାର ଦିନ ହୁଏ ତେବେ ତାଙ୍କର କୌଣସି ଆପତ୍ତି ନାହିଁ ।
Comments ସମସ୍ତ ମତାମତ