ମୁଖ୍ୟ ଖବର
ନୂଆଦିଲ୍ଲୀ: ଆସାମ ଆକାଶରେ ଅଘଟଣ, ଦୁର୍ଘଟଣାଗ୍ରସ୍ତ ହେଲା ସୁଖୋଇ ଯୁଦ୍ଧ ବିମାନ । ଭାରତୀୟ ବାୟୁସେନାର ସୁଖୋଇ Su-30MKI ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଆସାମର କାର୍ବି ଆଂଲୋଙ୍ଗ ଅଞ୍ଚଳରେ ଘଟିଥିବା ବାୟୁସେନା ପକ୍ଷରୁ ସୂଚନା ମିଳିଛି । ବିମାନଟି ଏକ ଟ୍ରେନିଂ ମିଶନରେ ଥିବା ସମୟରେ ଏହି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ୍ ଶହୀଦ ହୋଇଥିବା ବାୟୁସେନା ପକ୍ଷରୁ ଶୁକ୍ରବାର ନିଶ୍ଚିତ କରାଯାଇଛି । ଆସାମର ଯୋରହାଟଠାରୁ ପ୍ରାୟ ୬୦ କିଲୋମିଟର ଦୂର କାର୍ବି ଆଂଲୋଙ୍ଗ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାର୍ଚ୍ଚ ୫ ତାରିଖ ସନ୍ଧ୍ୟା ପ୍ରାୟ ୭:୪୨ ମିନିଟ୍ରେ ବିମାନର ରାଡାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କହିରଖୁଛୁ ଯେ, ଆସାମର ଯୋରହାଟ ଏୟାରପୋର୍ଟରୁ ବିମାନଟି ଉଡ଼ାଣ ଭରିଥିଲା । ଭାରତୀୟ ବାୟୁସେନାର ସୂଚନା ଅନୁଯାୟୀ, ଶହୀଦ ହୋଇଥିବା ଦୁଇ ପାଇଲଟ୍ ହେଲେ ସ୍କ୍ଵାଡ୍ରନ୍ ଲିଡର୍ ଅନୁଜ ଓ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକର ।
ରକ୍ଷା ମନ୍ତ୍ରଣାଳୟର ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣଲ ମହେନ୍ଦ୍ର ରାୱତଙ୍କ ସୂଚନା ଅନୁଯାୟୀ, ବିମାନଟି ନିଖୋଜ ହେବା ପରେ ବାୟୁସେନା ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସନ୍ଧ୍ୟା ସମୟରେ ରଡାର ସହ ସମ୍ପର୍କ ଛିନ୍ନ ହେବା ପରେ ବିମାନଟି କ୍ରାସ୍ ହୋଇଥିବା ସ୍ପଷ୍ଟ ହୋଇଛି । ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ମିଳିବା ସହ ଦୁଇ ଜଣ ଯାକ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଦୁଃଖଦ ଘଟଣା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ବାୟୁସେନା ପକ୍ଷରୁ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
Comments ସମସ୍ତ ମତାମତ