ମୁଖ୍ୟ ଖବର
ଭୁବନେଶ୍ୱର : ପ୍ରେମ ବିବାଦକୁ କେନ୍ଦ୍ର କରି ପ୍ରେମିକ ସାମ୍ନାରେ ଜଣେ ଯୁବତୀ ନିଜକୁ ଜାଳି ଦେଇଛନ୍ତି । ରାଜଧାନୀର ଇନ୍ଫୋସିଟି ଥାନା ଅଧୀନ ପଥରଗାଡ଼ିଆ ଅଞ୍ଚଳରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପଥରଗାଡ଼ିଆସ୍ଥିତ ଏକ କାଫେ ନିକଟରେ ମଙ୍ଗଳବାର ରାତିରେ ଏଭଳି ହୃଦୟ ବିଦାରକ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । କାଫେ ଭିତରେ କ’ଣ ଏଭଳି ଘଟଣା ଘଟିଲା ଯାହାକୁ ନେଇ ଯୁବତୀ ଜଣକ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ତା’ର ଅନୁସନ୍ଧାନ ଚଳାଇଛି ପୁଲିସ । ଯୁବତୀ ଜଣଙ୍କ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି । ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ପରେ ଏମ୍ସରେ ଭର୍ତ୍ତି କରାଯାଇଛି । ଯୁବତୀ ଜଣକ ନୂଆପଲ୍ଲୀ ଥାନା ଅଞ୍ଚଳରେ ଏକ ନର୍ସିଂ ଇନ୍ଷ୍ଟିଚ୍ୟୁଟ୍ର କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ସ୍ଥାନୀୟ ଲୋକେ ଉକ୍ତ ଯୁବକକୁ ଅଟକାଇ ପୁଲିସ୍ ଜିମା ଦେଇଥିଲେ । ଯୁବକର ଘର ଅନୁଗୋଳ ବୋଲି ପୁଲିସ କହୁଛି ।
ପୁଲିସ୍ ସୂଚନା ମୁତାବକ, ଯୁବତୀଙ୍କର କିଛି ମାସ ତଳୁ ଉକ୍ତ ଯୁବକଙ୍କ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା । ମଙ୍ଗଳବାର ସେମାନେ ପଥରଗାଡ଼ିଆ ୨୦୦ ଫୁଟିଆ ରାସ୍ତାରେ ଥିବା ଏକ କାଫେରେ ପୁଣି ଏକାଠି ହୋଇଥିଲେ । ରାତି ପ୍ରାୟ ସାଢ଼େ ୯ଟା ବେଳେ ହଠାତ୍ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କକୁ ନେଇ କୌଣସି ମତାନ୍ତର ଦେଖାଦେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀ ଜଣଙ୍କ କାଫେ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଯନ୍ତ୍ରଣାରେ ଏଣେ ତେଣେ ଧାଇଁ ଶେଷରେ ତଳେ ପଡ଼ି ଛଟପଟ ହୋଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ତୁରନ୍ତ ପୁଲିସ୍କୁ ଜଣାଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଏକ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲକୁ ନେଇଥିଲା । ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ବର୍ଣ୍ଣ ୟୁନିଟ୍ରେ ରଖାଯାଇଛି । ଯୁବତୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ତେବେ ଡିସିପି ଶ୍ରବଣା ବିବେକ୍ ଏମ୍ଙ୍କୁ ପଚରାଯିବାରେ ସେ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯୁବତୀ ଜଣଙ୍କ ପେଟ୍ରୋଲ ନିଜ ଦେହରେ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ କ’ଣ ପାଇଁ ସେ ଏମିତି ଚରମ ନିଷ୍ପତ୍ତି ନେଇଥିଲେ ତାହା ବିଷୟରେ ଠିକ୍ ତଥ୍ୟ ମିଳି ନାହିଁ । ପୁରୁଷ ବନ୍ଧୁକୁ ପଚରାଉଚରା କରାଯାଉଛି । ସେ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି କି ନାହିଁ ସେନେଇ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଯାଞ୍ଚ ଚାଲିଛି । ଖୁବ୍ଶୀଘ୍ର ଘଟଣାର ସବୁ ସତ୍ୟ ଜଣାପଡ଼ିଯିବ ବୋଲି ସେ କହିଛନ୍ତି ।
Comments ସମସ୍ତ ମତାମତ