Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବିବାଦରେ ସୁଧାଂଶୁ ଷଡ଼ଙ୍ଗୀ: ନୋଟିସ ପାଠାଇଲା କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ, କାହିଁକି ଜାଣନ୍ତୁ

    Share on :
    ajab-Image
    Date: May 28, 2026    Views: 2988

    ଭୁବନେଶ୍ୱର: ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଡ଼ୁଆ ବଢ଼ିଛି । ଲିଭର ଖରାପ ହେବା ପାଇଁ ଆୟୁର୍ବେଦିକ ଔଷଧ ଦାୟୀ ବୋଲି ଗତମାସରେ ଦେଇଥିବା ଏକ ମନ୍ତବ୍ୟ ତାଙ୍କୁ ମହଙ୍ଗା ପଡ଼ିଛି। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ତାଙ୍କୁ କଡ଼ା ନୋଟିସ୍ ପଠାଇ ତୁରନ୍ତ ନିଜ ବୟାନ ସପକ୍ଷରେ ବିଶ୍ୱାସଯୋଗ୍ୟ ଚିକିତ୍ସା ପ୍ରମାଣ ଓ ସହାୟକ ଦସ୍ତାବିଜ ଦିଅ ନଚେତ୍ ସାର୍ବଜନୀନ ଭାବେ ନିଜର ମନ୍ତବ୍ୟକୁ ଫେରସ୍ତ ନିଅ ବୋଲି କହିଛି।
     ଆଇପିଏସ୍ ଶ୍ରୀ ଷଡ଼ଙ୍ଗୀ ପ୍ରାୟ ୬ବର୍ଷ ପୂର୍ବେ ଭୁବନେଶ୍ୱର ପୁଲିସ କମିଶନର ଥିବାବେଳେ ‘ଯେଉଁପୁଅ ରୋଷେଇ ଜାଣିନି ତାକୁ ବାହା ହୁଅ ନାହିଁ’ କହି ଦେଇ ବିବାଦୀୟ ହୋଇଥିଲେ।
    ଆୟୁଷ ମନ୍ତ୍ରଣାଳୟର ଅନୁସଚିବ ମଦନଲାଲ ମୀନା ମଙ୍ଗଳବାର ଅଗ୍ନିଶମ ଡିଜି ଶ୍ରୀ ଷଡ଼ଙ୍ଗୀଙ୍କୁ ନୋଟିସ୍ ପଠାଇଛନ୍ତି। ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଘର ଅଭିଯୋଗ ଓ ଭିଡିଓ ତଥ୍ୟକୁ ଆଧାର କରି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆଧାରରେ ଔଷଧ ନୀତି(ଡ୍ରଗସ ପଲିସି)ର ଅନୁସଚିବ ମଦନଲାଲ ପଠାଇଥିବା ନୋଟିସରେ ମନ୍ତ୍ରଣାଳୟ ନିଜର କଡ଼ା ଆଭିମୁଖ୍ୟ ପୋଷଣ କରିଛି।ଯଦି ଡିଜି ଶ୍ରୀ ଷଡ଼ଙ୍ଗୀ ନିଜ ବୟାନ ସପକ୍ଷରେ କୌଣସି ଦୃଢ଼ ଦସ୍ତାବିଜ କିମ୍ବା ବିଶ୍ୱାସଯୋଗ୍ୟ ପ୍ରମାଣ ଦେଇନପାରିବେ ତା’ହେଲେ ତୁରନ୍ତ ନିଜର ଏହି ବୟାନକୁ ପ୍ରତ୍ୟାହାର କରନ୍ତୁ। ଲିଭରଜନିତ ରୋଗ ସାଧାରଣତଃ ଆୟୁର୍ବେଦିକ ଔଷଧ ପାଇଁ ହୋଇଥାଏ, ମଦ ସେବନ ଯୋଗୁଁ ହୁଏନାହିଁ ବୋଲି ଶ୍ରୀ ଷଡ଼ଙ୍ଗୀ ଦେଇଥିବା ଗଣମାଧ୍ୟମ କାର୍ୟ୍ୟକ୍ରମରେ ବୟାନ ପାଇଁ ତାଙ୍କୁ ଏହି ନୋଟିସ୍ ଜାରି ହୋଇଛି।କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଏହି ଚିଠିର ନକଲ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସମେତ ଆୟୁଷ ମନ୍ତ୍ରଣାଳୟର ସଚିବ, ଆୟୁଷ ମନ୍ତ୍ରଣାଳୟର ଉପଦେଷ୍ଟାଙ୍କୁ ପଠାଇଛନ୍ତି। ଏମାନଙ୍କ ବ୍ୟତୀତ ମନ୍ତ୍ରଣାଳୟ ପାଖରେ ଅଭିଯୋଗ କରିଥିବା ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଘକୁ ମଧ୍ୟ ଏକ ନକଲ ପଠାଇଛନ୍ତି ।

    ଉଲ୍ଲେଖଯୋଗ୍ୟ, ଗତମାସ ଅର୍ଥାତ୍ ଏପ୍ରିଲ ୨୪ତାରିଖରେ ଏକ ୱେବଚ୍ୟାନେଲର କାର୍ୟ୍ୟକ୍ରମରେ ଅଗ୍ନିଶମ ଡିଜି ଶ୍ରୀ ଷଡ଼ଙ୍ଗୀ ଯୋଗ ଦେଇ ଲିଭର ସୁରକ୍ଷା ପ୍ରସଙ୍ଗରେ ନିଜର ମତ ରଖିଥିଲେ। ସେ କହିଥିଲେ ଯେ, ଭାରତବର୍ଷରେ ଅଧିକାଂଶ ଲିଭର ସମସ୍ୟା ମଦ ଯୋଗୁଁ ହୁଏ ନାହିଁ, ବରଂ ଏହା ବିଭିନ୍ନ ପ୍ରକାର ଔଷଧ, ବିଶେଷକରି ଆୟୁର୍ବେଦିକ ଔଷଧ ସେବନ ଦ୍ୱାରା ହିଁ ହୋଇଥାଏ। ଆୟୁର୍ବେଦିକ ଔଷଧରେ କେଉଁ ପ୍ରକାର ଧାତୁ ବା ଚେରମୂଳି ମିଶୁଛି ତାହାର କୌଣସି ସଠିକ୍ ବୈଜ୍ଞାନିକ ଆଧାର ନଥାଏ ଓ ଏହାକୁ ଖାଇବା ଦ୍ୱାରା ଲିଭର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ଲିଭର ଅଧା ଖରାପ ହେଲେ ମଧ୍ୟ ମଣିଷ ଜାଣିପାରେ ନାହିଁ ଓ ଶେଷ ସମୟବେଳକୁ କିଛି କରିହୁଏ ନାହିଁ ବୋଲି ସେ କହିଥିଲେ । 

    ତାଙ୍କର ଏହି ବୟାନ ସଂକ୍ରାନ୍ତ ଭିଡିଓ ଭାଇରାଲ ହେବାପରେ ଅଲ ଓଡ଼ିଶା ଆୟୁଷ ଛାତ୍ର ସଂଘ ଏହାକୁ ନେଇ କଡ଼ା ଆପତ୍ତି ଉଠାଇଥିଲା। ସଂଘର ସଭାପତି ଗିରିଧାରୀ ବିଶ୍ୱାଳ ଓ ସାଧାରଣ ସମ୍ପାଦକ ବିଭୁନନ୍ଦ କାର୍ମୀଙ୍କ ନେତୃତ୍ୱରେ ଗତ ଏପ୍ରିଲ ୨୪ ତାରିଖ ଦିନ ହିଁ କେନ୍ଦ୍ର ଆୟୁଷ ମନ୍ତ୍ରୀ, ସଚିବ ଓ ଓଡ଼ିଶା ଆୟୁଷ ନିର୍ଦ୍ଦେଶକଙ୍କୁ ଇମେଲ ଜରିଆରେ ଏହି ଅଭିଯୋଗ ପତ୍ର ପଠାଯାଇଥିଲା।

    ଆୟୁଷ ଛାତ୍ର ସଂଘ ନିଜ ଆପତ୍ତିିରେ ଦର୍ଶାଇଥିଲେ ଯେ, ଆୟୁର୍ବେଦ ହେଉଛି ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଓ ଏକ ସମ୍ପୂର୍ଣ୍ଣ ବୈଜ୍ଞାନିକ ଚିକିତ୍ସା ପଦ୍ଧତି। ଜଣେ ଦାୟିତ୍ୱବାନ ଉଚ୍ଚପଦସ୍ଥ ସରକାରୀ ଅଫିସର ବିନା କୌଣସି ପ୍ରମାଣରେ ସାର୍ବଜନୀନ ମଂଚରେ ଏଭଳି ନକାରାତ୍ମକ ବୟାନ ଦେବା ଦ୍ୱାରା ଚିକିତ୍ସିତ ହେଉଥିବା ଲକ୍ଷ ଲକ୍ଷ ରୋଗୀଙ୍କ ମଧ୍ୟରେ ଅଯଥା ଭୟ ଓ ସନ୍ଦେହ ସୃଷ୍ଟି ହେଉଛି ଏବଂ ପାରମ୍ପରିକ ଚିକିତ୍ସାର ସୁନାମ ନଷ୍ଟ ହେଉଛି। ତେଣୁ ଏହି ମାମଲାରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ ପାଇଁ ସେମାନେ ଦାବି କରିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook