ମୁଖ୍ୟ ଖବର
କୋଲକାତା: ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଆଜି ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଅପରାହ୍ନ ୧୧ଟାରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ଏନ୍ଡିଏର ବହୁ ନେତା ଯୋଗଦେବେ ।କୋଲକାତାର କନଭେନସନ ସେଣ୍ଟର ଠାରେ ଶୁକ୍ରବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଛି । ବୈଠକ ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁଙ୍କ ନାମ ଘୋଷଣା କରିଛନ୍ତି । ଏଥିସହ ସେ ଶୁଭେନ୍ଦୁଙ୍କୁ ଫୁଲମାଳ ପିନ୍ଧାଇ ଆଲିଙ୍ଗନ କରିଥିଲେ । ଶୁଭେନ୍ଦୁ ମୁଣ୍ଡ ନୁଆଁଇ ଶାହଙ୍କ ଠାରୁ ଆଶୀର୍ବାଦ ଲୋଡ଼ିଥିଲେ । ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶୁଭେନ୍ଦୁ ଲୋକଭବନକୁ ଯାଇ ରାଜ୍ୟପାଳ ଆର.ଏନ୍ ରବିଙ୍କୁ ସାକ୍ଷାତ କରି ସରକାର ଗଠନ ଲାଗି ଦାବି ଜଣାଇଛନ୍ତି । ଏଥିସହ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ରାଜ୍ୟପାଳ ତାଙ୍କୁ ସରକାର ଗଠନ ଲାଗି ଆମନ୍ତ୍ରଣ କରିଛନ୍ତି। ଶନିବାର ସେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଅପରାହ୍ନ ୧୧ଟାରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହଙ୍କ ସମେତ ଏନ୍ଡିଏର ବହୁ ନେତା ଯୋଗଦେବେ ।
୫୬ ବର୍ଷୀୟ ଶୁଭେନ୍ଦୁ ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଭବାନୀପୁର ଆସନରୁ ହରାଇଛନ୍ତି । ଏଥିସହ ସେ ନନ୍ଦିଗ୍ରାମରୁ ଦ୍ୱିତୀୟଥର ପାଇଁ ମଧ୍ୟ ନିର୍ବାଚିତ ହୋଇଛନ୍ତି । ୨୦୨୧ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମରୁ ମମତାଙ୍କୁ ହରାଇଥିଲେ । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜ୍ୟର ୨୯୪ ଆସନରୁ ବିଜେପି ୨୦୭ ଆସନ ପାଇ ସରକାର ଗଠନ କରିବାକୁ ଯାଉଛି । ବିଧାୟକ ଦଳ ବୈଠକୁ ସମ୍ବୋଧିତ କରି ଶାହ କହିଥିଲେ ଯେ ବେଙ୍ଗଲର ଜନତା ବିଜେପି ଉପରେ ଭରସା ଓ ବିଶ୍ୱାସ ରଖି ପ୍ରଚଣ୍ଡ ବହୁମତରେ ଜିତାଇଛନ୍ତି । ତେଣୁ ଆମେ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାକୁ ଚେଷ୍ଟା କରିବୁ । କେବଳ ବେଙ୍ଗଲ ନୁହେଁ ସମଗ୍ର ଦେଶରୁ ଜଣଜଣ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ତଡ଼ିବୁ । ଏହା ଧ୍ରୁବୀକରଣର ପ୍ରସଙ୍ଗ ନୁହେଁ । ଦେଶର ସୁରକ୍ଷା ସହ ଜଡ଼ିତ । ବିଜେପି ବିଧାୟକଙ୍କ ଜିତିବାର ବ୍ୟବଧାନ ହାରାହାରି ୨୮ ହଜାର ରହିଛି । ୩ରୁ ୭୭ ଏବଂ ୭୭ରୁ ୨୦୭ର ଯାତ୍ରା ଅଭୂତପୂର୍ବ ରହିଛି । ୯ ଜିଲ୍ଲାରେ ଟିଏମ୍ସି ଖାତା ଖୋଲିପାରି ନାହିଁ । ଦିଦିଙ୍କ ଅସ୍ତିତ୍ୱର ଚିହ୍ନବର୍ଣ୍ଣ ନାହିଁ । ଶୁଭେନ୍ଦୁ ତାଙ୍କୁ ନିଜ ଘରେ ହରାଇଲେ । ତେବେ ଏହି ବିଜୟ ଯେତିକି ଆନନ୍ଦ ଦାୟକ, ତାର ରାସ୍ତା ଅସହ୍ୟ ପୀଡ଼ାରେ ଭରା । ଏହି ବିଜୟର ଶ୍ରେୟ ସେ ଦଳର ୩୨୧ ଜଣ ଦିବଂଗତ କାର୍ୟ୍ୟକର୍ତ୍ତାଙ୍କୁ ଦେଇଛନ୍ତି । କହିଛନ୍ତି ସେମାନେ ରାଜ୍ୟରେ ବିଜେପିକୁ ମଜଭୁତ କରିବା ଲାଗି ଜୀବନ ଦେଇଛନ୍ତି ।
Comments ସମସ୍ତ ମତାମତ