Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଛାତ୍ର ସଂସଦ ନିର୍ବାଚନ; ABVPର ୧୪୨ ଏବଂ BCJDର ୧୨୧ ପ୍ରାର୍ଥୀ ବିଜୟୀ

    Share on :
    ajab-Image
    Date: Oct 16, 2026    Views: 2305

    ଭୁବନେଶ୍ୱର,:  ରମାଦେବୀ ବିଶ୍ୱବିଦ୍ୟାଳୟ ଗଣତିକୁ ନେଇ  ଜୋରଦାର ହଙ୍ଗାମା । ସବୁଠି ପ୍ରତିବାଦ,  ରାସ୍ତାରୋକ ଆଉ ମୁହାଁମୁହିଁ ସ୍ଥିତି । କ୍ୟାମ୍ପସ  ଭିତର ବାହାର ପୁଲିସ ଛାଉଣୀ ।  ଘୋଷଣା ହୋଇଥିବା ୧୧ଟି  ବିଶ୍ୱବିଦ୍ୟାଳୟରୁ ଏବିଭିପି ୬ଟିରେ ସଭାପତି ପଦ ଦଖଲ କରିଛି । ବାକି ୫ଟିରେ  ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପ୍ରାର୍ଥୀ ବିଜୟୀ ହୋଇଥିବା ସଂପୃକ୍ତ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ବିକ୍ରମଦେବ,  ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର,  ଧରଣୀଧର ବିଶ୍ୱବିଦ୍ୟାଳୟରେ ଏବିଭିପିର ସଭାପତି ପ୍ରାର୍ଥୀ ନିର୍ବାଚିତ ହୋଇଥିବା ଦାବି କରାଯାଉଛି । ସେହିପରି ରେଭେନ୍ସା  ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ,  ମଧୁସୂଦନ ଆଇନ, ଫକୀରମୋହନ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ  ବିଶ୍ୱବିଦ୍ୟାଳୟରେ ବିସିଜେଡି ସଭାପତି  ପ୍ରାର୍ଥୀଙ୍କ ବିଜୟ ଦାବି କରାଯାଇଛି ।
    ଘୋଷଣା ହୋଇଥିବା ୨୮୫ଟି କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ  ନିର୍ବାଚନ ଫଳାଫଳରେ ଅଖିଳ ଭାରତୀୟ  ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ  ବିସିଜେଡି ମଧ୍ୟରେ ଏଥର କଡ଼ା ଟକ୍କର  ହୋଇଛି । ଏବିଭିପି ୧୪୨ଟି ସଭାପତି  ଆସନ ଦଖଲ କରିଥିବାବେଳେ ବିସିଜେଡି  ୧୨୧ଟିରେ ବାଜିମାତ୍‌ କରିଥିବା ଦାବି କରିଛନ୍ତି । ସେହିପରି ଏନ୍‌ଏସୟୁଆଇ  ପ୍ରାର୍ଥୀ ୫ଟି କଲେଜରେ ସଭାପତି ପଦରେ  ବିଜୟୀ ହୋଇଥିବା ସଂଗଠନ ପକ୍ଷରୁ  ଦାବି କରାଯାଇଛି । ୧୯ଟି କଲେଜରେ  ସଭାପତି ଆସନ ହାସଲ କରି ସ୍ୱାଧୀନ  ଏବଂ ଅନ୍ୟାନ୍ୟ ସଂଗଠନର ପ୍ରାର୍ଥୀ ଦମ୍‌ ଦେଖାଇଥିବା କୁହାଯାଇଛି ।

    ​​​​​​କଲେଜ ନିର୍ବାଚନ  ଲଢ଼େଇ ଛାତ୍ର ନେତାଙ୍କ ପତିଆରାରେ ଅଟକିଯାଇନି,  ଫଳାଫଳରେ ବିଧାୟକମାନଙ୍କ ଶକ୍ତି ପରୀକ୍ଷା ହୋଇଛି ।  ଅନେକ ବିଧାୟକ ଓ ବଡ଼ ନେତା ବି ନିଜ ଗଡ଼ରେ  ଝଟ୍‌କା ଖାଇଛନ୍ତି । କଲେଜ କ୍ୟାମ୍ପସ ଦବଦବା  ବିଧାୟକ/ବିଧାୟିକାଙ୍କ ହାତରୁ ଖସିଯାଇଛି । ଆଉ କିଛି  ସ୍ଥାନରେ ଦଳ ସମର୍ଥିତ ପ୍ରାର୍ଥୀ ବିରୋଧରେ ବିଦ୍ରୋହୀ  ପ୍ରାର୍ଥୀ ଦେଇ କିଛି ବିଧାୟକ ନିଜ ଟେକ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଏବିଭିପିକୁ ବଡ଼ ସଫଳତା ମିଳିଥିବା କୁହାଯାଉଛି । ଛାତ୍ର  ସଂଗଠନଗୁଡ଼ିକର ଦାବି ଅନୁସାରେ କେନ୍ଦୁଝରରେ ଏବିଭିପିକୁ ୧୫ଟି ସଭାପତି ଆସନ ଓ ବିସିଜେଡିକୁ  ୩ଟି ଆସନ ମିଳିଛି । ଗଞ୍ଜାମରେ ଏବିଭିପି ପ୍ରାର୍ଥୀ ୨ଟି  ବିଶ୍ୱବିଦ୍ୟାଳୟ ଓ ୨୫ଟି କଲେଜରେ ସଭାପତି ଆସନ  ଜିତିଥିବା ଦାବି କରାଯାଉଛି । ଜିଲ୍ଲାରେ ବିସିଜେଡିକୁ ୬ଟି  ସଭାପତି ଆସନ ମିଳିଛି । ସମ୍ବଲପୁରରେ ଏବିଭିପି  ୯, ବିସିଜେଡି ୨ଟି ସଭାପତି ପଦ ପାଇଥିବା ଦାବି  କରାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ବିସିଜେଡି ୧୦ଟି  ସଭାପତି ଆସନ ଜିତି ଦମ୍‌ ଦେଖାଇଥିବାବେଳେ  ଏବିଭିପି ୫ଟି ସଭାପତି ଆସନ ଦଖଲ କରିଛି ।  କଟକ ଜିଲ୍ଲାରେ ବିସିଜେଡି ୮ ଓ ଏବିଭିପି ୨ଟି  ଆସନ ଏବଂ କଟକ ସହରରେ ବିସିଜେଡିକୁ ୭ ଏବଂ  ଏବିଭିପିକୁ ୨ଟି ଆସନ ମିଳିଥିବା ସଂଗଠନଗୁଡ଼ିକ ଦାବି  କରିଛନ୍ତି । ଭୁବନେଶ୍ୱରର ୨ଟି ଯାକ ବିଶ୍ୱବିଦ୍ୟାଳୟ ବାଦ୍‌  ଏବିଭିପି ୬ଟି ଏବଂ ବିସିଜେଡି ଗୋଟିଏ ଆସନରେ  ସଭାପତି ଦଖଲ କରିଥିବା ଦାବି କରାଯାଉଛି । 

    ସୁନ୍ଦରଗଡ଼, ନୟାଗଡ଼, ଜଗତସିଂହପୁର,  ଭଦ୍ରକ, ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର,  ଗଜପତି ଆଦି ଜିଲ୍ଲାରେ ପୂରା ଟକରାଟକରି ଓ  ରୋମାଞ୍ଚକ ରହିଥିଲା ଏବିଭିପି-ବିସିଜେଡି ମଧ୍ୟରେ  ଲଢ଼େଇ । ନୂଆପଡ଼ା, ମାଲକାନଗିରି, କନ୍ଧମାଳ  ଜିଲ୍ଲାରେ ଏନଏସୟୁଆଇକୁ କିଛି ସଫଳତା ମିଳିଛି । ଗାଳିଗୁଲଜ, ଗୋଷ୍ଠୀ ସଂଘର୍ଷ, ରାସ୍ତାରୋକ,  ପୁଲିସ ଛାଉଣୀରେ ସରିଲା ଛାତ୍ର ସଂସଦ ନିର୍ବାଚନ । ୮ ବର୍ଷ ପରେ ଛାତ୍ର ସଂସଦ ଲଢ଼େଇ ଏତେ ତଗଡ଼ା  ଥିଲା, ହଙ୍ଗାମାରେ ରାତି ପାହିଗଲା । ସକାଳୁ ରାତି  ଯାଏ ଆଜି ରାଜ୍ୟବ୍ୟାପୀ କଲେଜ ନିର୍ବାଚନ ଧାଁ ଧପଡ଼  ଚାଲିଥିଲା ।  ବିଧାନସଭା ନିର୍ବାଚନ ଭଳି ରାତି ଅଧ  ଯାଏ ହଙ୍ଗାମା ଦେଖିବାକୁ ମିଳିଥିଲା । ଅନେକ ଜିଲ୍ଲାରେ  ଏବିଭିପି-ବିସିଜେଡି ମଧ୍ୟରେ ଜୋରଦାର ମୁହାଁମୁହିଁ  ସ୍ଥିତି ଦେଖିବାକୁ ମିଳିଛି । କଲେଜ କ୍ୟାମ୍ପସର ଏ ତାତି ରାଜ୍ୟ ରାଜନୀତିକୁ ବି ତତଲା କରିଦେଇଛି ।   ବିଳମ୍ବିତ ରାତି ଯାଏ ରମାଦେବୀ ମହିଳା  ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୋଟ ଗଣତି  ଅଙ୍କ ଛିଣ୍ଡିପାରିନଥିଲା । ଉତ୍ତେଜନାରେ କମ୍ପିଥିଲା କ୍ୟାମ୍ପସ  ଚୌହଦୀ । ରାତି ତମାମ ଲାଗି ରହିଥିଲା ଛକାପଞ୍ଝା ।

    Maximum 500 characters

    ରାଜନୀତି View all

    Find Us on Facebook