Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଛାତ୍ର ସଂସଦ ନିର୍ବାଚନ: ନିର୍ବାଚନୀ ଖର୍ଚ୍ଚ ୫ ହଜାରରୁ ଅଧିକ କରିପାରିବେନି

    Share on :
    ajab-Image
    Date: Oct 6, 2026    Views: 2751

    ଭୁବନେଶ୍ୱର: ଛାତ୍ର ସଂସଦ  ନିର୍ବାଚନ ପାଇଁ ବିଗୁଲ୍‌ ବାଜିଛି । ୯ରେ  ପ୍ରାର୍ଥୀପତ୍ର ନାମାଙ୍କନ ହେବ । ୧୫ ତାରିଖରେ  ନିର୍ବାଚନ ହେବ । କିନ୍ତୁ ଉଚ୍ଚଶିକ୍ଷା ବିଭାଗ ପୂର୍ବ ନିର୍ବାଚନ ପ୍ରକ୍ରିୟାର ନିର୍ଦ୍ଦେଶାବଳୀକୁ ଅନୁସରଣ  କରିଛି । ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଛାତ୍ରଛାତ୍ରୀମାନେ ନିର୍ବାଚନରେ ପ୍ରାର୍ଥୀ  ହୋଇପାରିବେ ନାହିଁ । ସେହିପରି ପ୍ରାର୍ଥୀଙ୍କ  ବୟସସୀମା ୧୭ରୁ ୨୨ ବର୍ଷ ରହିବ । ଏତିକି ନୁହେଁ ପ୍ରତି ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା  ନିର୍ବାଚନରେ ଖର୍ଚ୍ଚ କରିପାରିବେ । ଏନେଇ  ବିସ୍ତୃତ ନିର୍ଦ୍ଦେଶାବଳୀ,  ପ୍ରାର୍ଥୀଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡ, ନିର୍ବାଚନୀ  ଖର୍ଚ୍ଚ, ଆଚରଣ ବିଧି,  ଅଭିଯୋଗ ନିବାରଣ ସେଲ୍‌,  ମନୋନୟନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ  ଜାରି କରିଛି । ସଂପୂର୍ଣ୍ଣ ଭାବେ ଲିଙ୍ଗ୍‌ଡୋ କମିଶନରଙ୍କ  ସୁପାରିଶ ନିର୍ବାଚନ ପ୍ରକ୍ରିୟାରେ ପାଳନ କରାଯିବ ବୋଲି  ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।

    ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ  କହୁଛି, ପିପିପି ମୋଡ୍‌ରେ ଥିବା ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମର ଛାତ୍ରଛାତ୍ରୀ ପ୍ରାର୍ଥୀ କିମ୍ବା ଭୋଟର ଭାବେ ଅଂଶଗ୍ରହଣ କରିପାରିବେ ନାହିଁ । ଯୋଗ୍ୟତା ମାନଦଣ୍ଡରେ ରହିଛି, ପ୍ରାର୍ଥୀ ପାଇଁ ନାମାଙ୍କନ ଭରୁଥିବା ଛାତ୍ରଛାତ୍ରୀଙ୍କ ବୟସ ମସୀମା ଯୁକ୍ତ ତିନି  (ସ୍ନାତକ) ସ୍ତରରେ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ରହିବ । ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କ ପାଇଁ ବୟସ  ସର୍ବାଧିକ ୨୫ ବର୍ଷ ରହିବ । ସେହିପରି ନିର୍ବାଚନ  ଲଢ଼ୁଥିବା ବର୍ଷରେ ପ୍ରାର୍ଥୀଙ୍କ କୌଣସି ବିଷୟରେ  ବ୍ୟାକ୍‌ (ଏକାଡେମିକ୍‌ ଏରିଅର) ନଥିବା ଆବଶ୍ୟକ ।  ସେହିପରି ନିର୍ବାଚନରେ ଭାଗ ନେବା ସର୍ବନିମ୍ନ ୭୫  ପ୍ରତିଶତ ଉପସ୍ଥାନ ଥିବା ବାଧ୍ୟତାମୂଳକ । ଜଣେ ପ୍ରାର୍ଥୀ  କୌଣସି ପଦବି ଅର୍ଥାତ୍‌ ସଭାପତି, ଉପସଭାପତି,  ସାଧାରଣ ସଂପାଦକ, ଆସିଷ୍ଟାଣ୍ଟ ସଂପାଦକ, ସାଂସ୍କୃତିକ ସଂପାଦକ, କ୍ରୀଡ଼ା ସଂପାଦକ ଭଳି ପଦବି ପାଇଁ ଥରେ  ନିର୍ବାଚନ ଲଢ଼ିପାରିବେ । କିନ୍ତୁ କାର୍ଯ୍ୟକାରୀ ସଦସ୍ୟ  ଭଳି ପଦବି ପାଇଁ ସର୍ବାଧିକ ଦୁଇଥର ନିର୍ବାଚନ ଲଢ଼ିପାରିବେ । ପ୍ରାର୍ଥୀଙ୍କ ବିରୋଧରେ କୌଣସି  ଅପରାଧିକ ରେକର୍ଡ, ଦଣ୍ଡ ବିଧାନ କିମ୍ବା ଶିକ୍ଷାନୁଷ୍ଠାନ  ଦ୍ୱାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇନଥିବା  ଆବଶ୍ୟକ । ସଂପୃକ୍ତ ଅନୁଷ୍ଠାନରେ ସାମ୍‌ସ ମାଧ୍ୟମରେ  ନାମ ଲେଖାଇଥିବା ନିୟମିତ ବା ସେଲ୍ଫ ଫାଇନାନ୍ସିଂ  ଛାତ୍ରଛାତ୍ରୀ ପ୍ରାର୍ଥୀ ହୋଇପାରିବେ । ମାତ୍ର ଦୂରନିରନ୍ତର  ଶିକ୍ଷା କିମ୍ବା ପିପିପି ମୋଡ୍‌ର ଛାତ୍ରଛାତ୍ରୀ ଯୋଗ୍ୟ  ବିବେଚିତ ହେବେ ନାହିଁ ।
    ​​​​​​​
    ଉଚ୍ଚଶିକ୍ଷା ବିଭାଗ ଏହା ମଧ୍ୟ କହିଛି, ଜଣେ  ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଯାଏ ଖର୍ଚ୍ଚ  କରିପାରିବେ । ଫଳାଫଳ ଘୋଷଣାର ଦୁଇ ସପ୍ତାହ  ମଧ୍ୟରେ ସମସ୍ତ ଖର୍ଚ୍ଚ ହିସାବ କର୍ତ୍ତୃପକ୍ଷଙ୍କୁ  ଦାଖଲ  କରିବେ । ଏହା ଏଚ୍‌ଆଇଏମ୍‌ଏସ୍‌ ପୋର୍ଟାଲ୍‌ରେ  ସର୍ବସାଧାରଣ କରାଯିବ । ସେହିପରି ଆଚରଣ  ବିଧିକୁ ସମସ୍ତେ ମାନିବେ । ଯେଉଁଥିରେ ଜାତି, ଧର୍ମ, ଭାଷା କିମ୍ବା ସଂପ୍ରଦାୟ ଆଧାରରେ ଉତ୍ତେଜନା ସୃଷ୍ଟି  କରୁନଥିବା ଆଚରଣ କିମ୍ବା ଭୋଟ ଭିକ୍ଷା ସଂପୂର୍ଣ୍ଣ ନିଷିଦ୍ଧ  କରାଯାଇଛି । ଧର୍ମାନୁଷ୍ଠାନକୁ ପ୍ରଚାର ପାଇଁ ବ୍ୟବହାର  କରାଯିବ ନାହିଁ । ସୋସିଆଲ ମିଡିଆରେ ଅଶ୍ଲୀଳ ଭାଷା,  ମିଥ୍ୟା ସୂଚନା, ବ୍ୟକ୍ତିଗତ ଆକ୍ଷେପ କିମ୍ବା ଏଆଇ ଦ୍ୱାରା  ପ୍ରସ୍ତୁତ ନକଲି ବିଷୟବସ୍ତୁ ପ୍ରସାରଣ ଉପରେ କଡ଼ା  କଟକଣା ଲଗାଯାଇଛି । ଛପା ପୋଷ୍ଟର, ପାମ୍ପଲେଟ୍‌  ବ୍ୟବହାରକୁ ବାରଣ କରାଯାଇଛି । କେବଳ କଲେଜ କର୍ତ୍ତୃପକ୍ଷ ନିର୍ଦ୍ଧାରଣ କରିଥିବା ସ୍ଥାନରେ ହାତ ତିଆରି  ପୋଷ୍ଟର ଲଗାଯାଇପାରିବ। ଲାଉଡସ୍ପିକର, ଗାଡ଼ି କିମ୍ବା ପଶୁଙ୍କୁ ବ୍ୟବହାର କରି ଶୋଭାଯାତ୍ରା କରାଯିବ ନାହିଁ । କ୍ୟାମ୍ପସ ବାହାରେ କୌଣସି ପ୍ରଚାର କିମ୍ବା ଶୋଭାଯାତ୍ରା  କରାଯିବ ନାହିଁ। ପୁଲିଂ କେନ୍ଦ୍ରର ୧୦୦ ମିଟର ପରିସର  ମଧ୍ୟରେ ପ୍ରଚାର କିମ୍ବା ଭୋଟ ଶେଷ ହେବାର ପୂର୍ବ ୨୪  ଘଣ୍ଟା ମଧ୍ୟରେ କୌଣସି ସଭା କରାଯାଇପାରିବ ନାହିଁ ।    

    ଭୋଟ ଶେଷ ହେବାର ୪୮ ଘଣ୍ଟା ମଧ୍ୟରେ  ପୁଲିଂ ଅଞ୍ଚଳ ସଫା କରିବା ପ୍ରାର୍ଥୀଙ୍କ ମିଳିତ ଦାୟିତ୍ୱ  ବୋଲି ବିଭାଗ ସ୍ପଷ୍ଟ କରିଛି । ନଚେତ୍‌ ପ୍ରତି ପ୍ରାର୍ଥୀଙ୍କ  ଉପରେ ୧୫୦୦ ଟଙ୍କାର ଜରିମାନା ଲାଗୁ ହେବ ।  ଆବଶ୍ୟକ ସ୍ଥଳରେ ଭାରତୀୟ ନ୍ୟାୟ ସଂହିତା,  ୨୦୨୩ର ଧାରା ୧୯୬ ଓ ନବମ ଅଧ୍ୟାୟ ଧାରା ୧୬୯ରୁ  ୧୭୭ର ବ୍ୟବସ୍ଥା ଲାଗୁ ହେବ । କୌଣସି ପ୍ରକାରର  ଆଇନଶୃଙ୍ଖଳା ବିପର୍ଯ୍ୟୟ ବା ଅପରାଧିକ ଘଟଣା  ଘଟିଲେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସର୍ବାଧିକ ୬ଘଣ୍ଟା  ମଧ୍ୟରେ ପୁଲିସକୁ ଜଣାଇବେ । ଜିଲ୍ଲା ନୋଡାଲ୍‌  ଅଧିକାରୀମାନେ ନିର୍ବାଚନ ପ୍ରକ୍ରିୟାକୁ ତଦାରଖ  କରିବେ ।    

    ଏହା ମଧ୍ୟ କୁହାଯାଇଛି, ପ୍ରତି ଶିକ୍ଷାନୁଷ୍ଠାନରେ  ଛାତ୍ର କଲ୍ୟାଣ ଡିନ୍‌ ଦାୟିତ୍ୱରେ ଥିବା ପ୍ରଫେସରଙ୍କ  ଅଧ୍ୟକ୍ଷତାରେ ଏକ ଅଭିଯୋଗ ନିବାରଣ ସେଲ୍‌ ଗଠନ  କରାଯିବ । ଏଥିରେ ଜଣେ ବରିଷ୍ଠ ଅଧ୍ୟାପକ, ଜଣେ  ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଶେଷ ବର୍ଷର ଦୁଇଜଣ  ଛାତ୍ରଛାତ୍ରୀ ସଦସ୍ୟ ରହିବେ । ଫଳାଫଳ ଘୋଷଣାର ୩  ସପ୍ତାହ ମଧ୍ୟରେ ଛାତ୍ରଛାତ୍ରୀ ନିର୍ବାଚନ ସଂପର୍କିତ ଅଭିଯୋଗ  ଦାଖଲ କରିପାରିବେ । ଅଭିଯୋଗ ମିଳିବାର ୨୪ ଘଣ୍ଟା  ମଧ୍ୟରେ ଏହି ସେଲ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଅନୁଷ୍ଠାନର ମୁଖ୍ୟ ଏହାର ଆପିଲେଟ୍‌ କର୍ତ୍ତୃପକ୍ଷ ରହିବେ ।

    Maximum 500 characters

    ରାଜନୀତି View all

    Find Us on Facebook