Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଛାତ୍ର ସଂସଦ ନିର୍ବାଚନ ଆଶା କ୍ଷୀଣ!

    Share on :
    ajab-Image
    Date: Sep 13, 2025    Views: 2546

    ଭୁବନେଶ୍ୱର: ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାର ଆଶା ମଉଳି ଯାଉଛି। ସାଧାରଣତଃ ଦୁର୍ଗାପୂଜା ଛୁଟି ପୂର୍ବରୁ ନିର୍ବାଚନ ହେଉଥିବାବେଳେ ଏହି ପ୍ରକ୍ରିୟା ନିମନ୍ତେ ଅନ୍ୟୂନ ୩ ସପ୍ତାହ ଲାଗିଥାଏ। ତେଣୁ ହାତରେ ଆଉ ସମୟ ନ ଥିବାରୁ ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ହୋଇ ନପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। କ୍ଷମତାକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ବିଜେପିର ଘୋଷଣା ପାଣିର ଗାର ପାଲଟିିବାକୁ ଯାଉଛି।ଛାତ୍ର ସଂସଦ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ଦୁଇଦିନ ପରେ ମତଦାତାଙ୍କ ଏକ ପ୍ରାଥମିକ ସୂଚୀ ପ୍ରକାଶ ପାଇଥାଏ। ମତଦାତା ସୂଚୀ ଉପରେ ଆପତ୍ତି ଅଭିଯୋଗ କରିବାକୁ ୩ଦିନ ସମୟ ଦିଆଯାଏ। ଏହା ପରଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥାଏ। ମତଦାତା ସୂଚୀ ପ୍ରକାଶ ପରେ ଆଶାୟୀଙ୍କୁ ନାମାଙ୍କନ ପାଇଁ ୩ ଦିନ ସମୟ ମିଳେ। ଏହା ପରଦିନ ପ୍ରାର୍ଥିପତ୍ର ଯାଞ୍ଚ କରିବା ସହ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଏ। ଏହି କ୍ରମରେ ପ୍ରଚାର କରିବା ପାଇଁ ପ୍ରାର୍ଥୀମାନେ ୭ରୁ ୮ଦିନ ସମୟ ପାଇଥା’ନ୍ତି। ନିର୍ବାଚନ ସରିବା ପରେ ଫଳ ଘୋଷଣା ସହ ଉଚ୍ଚ ଶିକ୍ଷାନୁଷ୍ଠାନରେ ଦୁର୍ଗାପୂଜା ଛୁଟି ହୋଇଥାଏ। ଏହି ସମସ୍ତ ପ୍ରକ୍ରିୟା ପାଇଁ ପ୍ରାୟ ୩ ସପ୍ତାହ ଲାଗିଥାଏ। ଏଣୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ସରକାରଙ୍କ ପାଖରେ ପର୍ୟ୍ୟାପ୍ତ ସମୟ ନ ଥିବାରୁ ନିର୍ବାଚନ ନ ହେବାର ଆଶଙ୍କା କ୍ରମଶଃ ଦୃଢ଼ୀଭୂତ ହେଉଛି।
    ଉଚ୍ଚ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଚଳିତ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ। ଏହାକୁ ନେଇ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା।  ହେଲେ  ଶିକ୍ଷାବର୍ଷକୁ ୫ମାସ ବିତିଥିଲେ ମଧ୍ୟ ଉଚ୍ଚ ଶିକ୍ଷା ବିଭାଗର ଶୈକ୍ଷିକ କ୍ୟାଲେଣ୍ଡର ପ୍ରକାଶ ପାଇ ନ ଥିବାରୁ ଛାତ୍ର ସଂସଦ ନିର୍ବାଚନ ଆଶା କ୍ଷୀଣ ହେଉଛି।

    Maximum 500 characters

    ରାଜନୀତି View all

    Find Us on Facebook