ମୁଖ୍ୟ ଖବର
ରାଞ୍ଚି (ଝାଡ଼ଖଣ୍ଡ): JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ଦୀର୍ଘ 17 ଦିନ ଧରି ଝାଡ଼ଖଣ୍ଡରେ ଛାତ୍ର ଅନ୍ଦୋଳନ ଚାଲିଛି । ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସରକାର ଓ ଛାତ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିନାହିଁ । ଛାତ୍ରଛାତ୍ରୀମାନଙ୍କ ଅଧିକାଂଶ ଦାବି ଉପରେ ଏକ ସହମତିରେ ପହଞ୍ଚିଛନ୍ତି ଝାଡ଼ଖଣ୍ଡ ସରକାର । 14ତମ JPSC ପ୍ରିଲିମିନାରୀ ପରୀକ୍ଷା 2023 ଓ 2025 ବ୍ୟାକଲଗ୍ ପରୀକ୍ଷା ବାତିଲ କରିବାକୁ ସରକାର ରାଜି ହୋଇଛନ୍ତି । ମାତ୍ର, CBI ତଦନ୍ତ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଶେଷ କରିବେ ନାହିଁ ବୋଲି ଛାତ୍ରନେତା ଅଡ଼ି ବସିଛନ୍ତି ।
ଧାରଣାରତ ଛାତ୍ରଛାତ୍ରୀମାନେ ଆଜି ରାଞ୍ଚିରେ ରାଜ୍ୟ ବିଧାନସଭା ଘେରାଉ ଡାକରା ଦେଇଛନ୍ତି। ଏଥିପାଇଁ ଝାଡ଼ଖଣ୍ଡର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଛାତ୍ରଛାତ୍ରୀ ରାଞ୍ଚି ପହଞ୍ଚିବାରେ ଲାଗିଛନ୍ତି। ଛାତ୍ରଛାତ୍ରୀମାନେ ଟ୍ରେନ ଏବଂ ବସ୍ ଯୋଗେ ପହଞ୍ଚୁଥିବା ଦେଖିବାକୁ ମିଳୁଛି । ଛାତ୍ରଛାତ୍ରୀଙ୍କ ବିଧାନସଭା ଚାଲ ଡାକରାକୁ ନେଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି (ସୋମବାର) ହେବାକୁ ଥିବା ଛାତ୍ରମାନଙ୍କ ବିଧାନସଭା ଅଭିମୁଖେ ପଦଯାତ୍ରା ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଛାତ୍ର ସଂଗଠନ ପ୍ରତିନିଧିମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବେ ଏବଂ କୌଣସି ହିଂସା କିମ୍ବା ଭଙ୍ଗାରୁଜାରେ ଲିପ୍ତ ରହିବେ ନାହିଁ ।
ରାଜ୍ୟ ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁ କହିଛନ୍ତି ଯେ, ସରକାର 14ତମ JPSC ପ୍ରିଲିମିନାରୀ ପରୀକ୍ଷା ଏବଂ2023 ଓ 2025 ବ୍ୟାକଲଗ୍ ପରୀକ୍ଷା ବାତିଲ କରିବାକୁ ରାଜି ହୋଇଛନ୍ତି । ସରକାର କଥିତ ଆର୍ଥିକ ଅନିୟମିତତାର ତଦନ୍ତ, ଅପରାଧିକ ଦିଗଗୁଡ଼ିକର CID ତଦନ୍ତ ଏବଂ 90 ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବା ସୁନିଶ୍ଚିତ କରିବା ପାଇଁ ଏକ ଫାଷ୍ଟ-ଟ୍ରାକ୍ କୋର୍ଟ ସ୍ଥାପନ ପାଇଁ ମଧ୍ୟ ରାଜି ହୋଇଛନ୍ତି ।
ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ସୁପାରିଶ କରିବା ପାଇଁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (Indian School of Mines) ଧାନବାଦ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ-ରାଞ୍ଚି ଏବଂ XLRI ର ପ୍ରତିନିଧିମାନଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯିବ । ତଥାପି, JSSC CGL ପରୀକ୍ଷା ବାତିଲ ଏବଂ CBI ତଦନ୍ତ ପାଇଁ ଛାତ୍ରମାନଙ୍କ ଦାବି ଉପରେ କୌଣସି ସହମତି ହୋଇପାରି ନାହିଁ ।
ଅନ୍ୟପକ୍ଷରେ, ରବିବାର ନିଯୁକ୍ତି ପରୀକ୍ଷାରେ ଅନିୟମିତତାର ଅଭିଯୋଗରେ ପ୍ରତିବାଦ ମଧ୍ୟରେ ଝାଡ଼ଖଣ୍ଡ ପବ୍ଲିକ୍ ସର୍ଭିସ୍ କମିଶନ (JPSC)ର ତିନି ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି । JPSC ସଦସ୍ୟ, ଅଜିତା ଭଟ୍ଟାଚାର୍ଯ୍ୟ, ଜମିଲ ଅହମ୍ମଦ, ଏବଂ ଅନିମା ହାଂସଦା ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ସେମାନଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ସେମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି ।
Comments ସମସ୍ତ ମତାମତ