ମୁଖ୍ୟ ଖବର
ନିଟ ପ୍ରଶ୍ନପତ୍ର ଲିକ ଓ କକ୍ରୋଚ ଜନତା ପାର୍ଟିର ସମର୍ଥକଙ୍କ ଉପରେ ପୁଲିସ୍ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ କଂଗ୍ରେସର ଜୋରଦାର ବିକ୍ଷୋଭ। ଆଜି ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି।
କଂଗ୍ରେସର ବରିଷ୍ଠ ନେତାମାନେ ବିକ୍ଷୋଭ କରୁଥିବାରୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ନିଜେ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି। ହେଲେ ରାହୁଲ ଗାନ୍ଧି ଓ କଂଗ୍ରେସର ବରିଷ୍ଠ ନେତାମାନେ ବିକ୍ଷୋଭ ସ୍ଥଳରୁ ଇଞ୍ଚେ ମଧ୍ୟ ଘୁଞ୍ଚି ନାହାନ୍ତି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ରାହୁଲ ଗାନ୍ଧି ଓ କଂଗ୍ରେସର ଅନ୍ୟ ନେତାମାନେ ଆହୁରି ଜୋରଦାର କରିଛନ୍ତି। ଶ୍ରୀ ପ୍ରଧାନଙ୍କ ଇସ୍ତଫା ବ୍ୟତୀତ ନିଟ ପ୍ରଶ୍ନପତ୍ର ଲିକ ଓ ସିଜେପି ସମର୍ଥକଙ୍କ ଉପରେ ଲାଠି ମାଡ଼ ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ବିବୃତି ରଖନ୍ତୁ ବୋଲି ଦଳ ଦାବି କରିଛି।
ଏଥିସହ ପୂରା ଘଟଣାକୁ ନେଇ ଗୃହରେ ବିତର୍କ, ଶିକ୍ଷାର୍ଥୀମାନେ କରୁଥିବା ଦାବିକୁ ଶୁଣିବା ଓ ସୋମବାର ସିଜେପିର ଶୋଭାଯାତ୍ରା ବେଳେ ଘଟିଥିବା ହିଂସାକାଣ୍ଡର ତଦନ୍ତ କରିବାକୁ ମଧ୍ୟ କଂଗ୍ରେସ ସରକାରଙ୍କୁ କହିଛି। ଏହି ୫ ଦାବି ନେଇ ଆଜି କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନ ବାହାରେ ବିକ୍ଷୋଭ କରୁଛି।
ବିକ୍ଷୋଭ ସମୟରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ନିଜ ସ୍ୱରକୁ ଶାଣିତ କରିଛନ୍ତି। ସେ ସମସ୍ତ ଦେଶଭକ୍ତମାନଙ୍କୁ ମୋଦିଙ୍କ ବାସଭବନ ଆଗରେ ଚାଲିଥିବା ଧାରଣାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।
ସେ କହିଛନ୍ତି, “ଶିକ୍ଷାର୍ଥୀଙ୍କ ଉପରେ ଆକ୍ରମଣ ପ୍ରତିଟି ଭାରତୀୟ ପରିବାର ଉପରେ ଆକ୍ରମଣ ସହ ସମାନ। ପ୍ରଧାନମନ୍ତ୍ରୀ ମୋଦି ଭାବୁଛନ୍ତି ଯେ ବିନା ଉତ୍ତରରେ ସେ ଖସିଯିବେ? ତାଙ୍କୁ କୌଣସି ପରିଣାମ ଭୋଗିବାକୁ ପଡ଼ିବ ନାହିଁ? କିନ୍ତୁ ସେ ଏଥିରୁ ରକ୍ଷା ପାଇବେ ନାହିଁ।
ଏଥର ଆଦୌ ନୁହେଁ। ଆମ ଶିକ୍ଷାର୍ଥୀମାନେ ନ୍ୟାୟ ପାଆନ୍ତୁ ବୋଲି ଭାବୁଥିବା ପ୍ରତି ଦେଶଭକ୍ତ ଭାରତୀୟଙ୍କୁ ମୁଁ ଆମ ଧାରଣାରେ ସାମିଲ ହେବାକୁ ନିମନ୍ତ୍ରଣ କରୁଛି। ଭାରତୀୟ ଶିକ୍ଷାର୍ଥୀଙ୍କ ସ୍ୱରକୁ କେବେ ହେଲେ ଅଣଦେଖା କରାଯାଇ ପାରିବ ନାହିଁ।”
Comments ସମସ୍ତ ମତାମତ