ମୁଖ୍ୟ ଖବର
ଭୁବନେଶ୍ୱର: ଆଜି ଭାରତ ବନ୍ଦ। ୧୪ଟି ଶ୍ରମିକ ସଂଗଠନ ଓ ୫ଟି ବାମପନ୍ଥୀ ଦଳ ୧୨ ଘଣ୍ଟିଆ ବନ୍ଦ ଡାକରା। ବ୍ୟାଙ୍କ, ବୀମା, ପୋଷ୍ଟାଲ, ପରିବହନ ଓ ନିର୍ମାଣ କର୍ମଚାରୀ ଧର୍ମଘଟରେ ସାମିଲ । ଖଣି ଓ ଶିଳ୍ପାଞ୍ଚଳରେ ଶ୍ରମିକ କାମ ବନ୍ଦ ରହିଛି । ହାଟବଜାର ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ତାଲା ଝୁଲିଛି ।ଏହି ସର୍ବଭାରତୀୟ ଧର୍ମଘଟକୁ ୫ ବାମପନ୍ଥୀ ଦଳ ଓ ୧୪ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ (ସିଟିୟୁ) ଓ ସ୍ୱାଧୀନ ସର୍ବଭାରତୀୟ ଫେଡେରେସନକୁ ନେଇ ଗଠିତ ଟ୍ରେଡ ୟୁନିୟନର ମିଳିତ ମଞ୍ଚ ପରିଚାଳନା କରିବ । ଚକଅଖ ପ୍ରାୟ ସବୁ ବନ୍ଦ ରହିଛି । ବିଜୁ ଶ୍ରମିକ ସାମ୍ମୁଖ୍ୟ ଏହି ଧର୍ମଘଟ ଡାକରାକୁ ନୈତିକ ସମର୍ଥନ ଜଣାଇଛି । ଟ୍ରେଡ୍ ୟୁନିୟନ ଓ ବାମପନ୍ଥୀ ଦଳଗୁଡିକ ସହ କଂଗ୍ରେସ ହରତାଳରେ ସାମିଲ ହୋଇଛନ୍ତି। ଧର୍ମଘଟରେ ରୋଗୀ ଚିକିତ୍ସା, ଆମ୍ବୁଲାନ୍ସ ସେବା, ସମ୍ବାଦ ସରବରାହ, ଅଗ୍ନିଶମ ସେବା ଓ ଜଳଯୋଗାଣରେ ବ୍ୟାଘାତ ହେବନି ବୋଲି ଶ୍ରମିକ ନେତାମାନେ ସ୍ପଷ୍ଟ କରିଛନ୍ତି ।
ଅଟୋରିକ୍ସା, ଟ୍ୟାକ୍ସି ଓ ଅନ୍ୟ ପରିବହନ ସେବା ଠପ୍ ହୋଇଛି । ପେଟ୍ରୋଲ ପମ୍ପ ମଧ୍ୟ ଓଳିଏ ପାଇଁ ବନ୍ଦ ରହିବ । ଶ୍ରମିକମାନେ ଶିଳ୍ପ କାରଖାନାରେ ୨୪ ଘଣ୍ଟିଆ କାମ ବନ୍ଦ କରିିବେ । ମିଳିତ ମଞ୍ଚର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଓ ବାମପନ୍ଥୀ ଦଳର ନେତାମାନେ ଓଡି଼ଶାରେ ଧର୍ମଘଟକୁ ସଫଳ ପାଇଁ ଆହ୍ୱାନ ଦେଇଛନ୍ତି ।
ସେମାନେ ଅଭିଯୋଗ କରିଛନ୍ତି, ଦେଶରେ ବେକାରୀଙ୍କ ସଂଖ୍ୟା ବଢ଼ିଚାଲିଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ ଏବେ ଆକାଶଛୁଆଁ । ଶ୍ରମିକଙ୍କ ମଜୁରିର ପରିମାଣ କମିବାରେ ଲାଗିଛି । ସଂଗଠନ ଦାବି କରିଛି ଯେ ଶ୍ରମିକ ସ୍ୱାର୍ଥ ବିରୋଧୀ ୪ଟି ଶ୍ରମ କୋଡ଼ ରଦ୍ଦ କର । "ଭିବି ଜି ରାମ ଜି’ ଆଇନକୁ ରଦ୍ଦ କରି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ୍ର ପୁନଃ ଲାଗୁ କର । ଶ୍ରମିକଙ୍କ ମାସିକ ସର୍ବନିମ୍ନ ମଜୁରୀ ୨୬ହଜାର ଟଙ୍କା, ଶ୍ରମିକ ବିରୋଧୀ ଶ୍ରମ ଶକ୍ତି ନୀତି- ୨୦୨୫ ରଦ୍ଦ, ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ବନ୍ଦ, ଘରୋଇ ସେକ୍ଟର ଆଣବିକ ଶକ୍ତି (ଶାନ୍ତି) ବିଲ ରଦ୍ଦ, ଏନପିଏସ୍ ଓ ୟୁପିଏସ୍ ରଦ୍ଦ କରି ପୁରୁଣା ପେନସନ ସ୍କିମ ପୁନଃ ଲାଗୁ, କୃଷକ ବିରୋଧୀ କୃଷି ଆଇନ ପ୍ରତ୍ୟାହାର କର । ବିଦ୍ୟୁତ ସଂଶୋଧନ ବିଲ୍, ବିହନ ବିଲ, ଶିକ୍ଷା ସଂକୋଚନକାରୀ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ, ସବ୍କା ବୀମା ସବ୍କା ରକ୍ଷା ବିଲ ରଦ୍ଦ ଦାବିରେ ଏହି ଧର୍ମଘଟ ଆହ୍ୱାନ ଦିଆଯାଇଛି ।
ଭାରତ ବନ୍ଦ ଡାକରାକୁ ନଜରରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ କୃଷି ଭବନ ସହ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ ଅଫିସରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି ଯେ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।
Comments ସମସ୍ତ ମତାମତ