ମୁଖ୍ୟ ଖବର
ଆବୁଧାବି : ଚଳିତ ଏସିଆ କପ୍ର ଗ୍ରୁପ୍ ବି’ରେ ଶନିବାର ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ । ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଲଙ୍କା ଓ ବାଂଲାଦେଶ ଆବୁଧାବି ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍ରେ ସାମ୍ନା ସାମ୍ନି ହେବେ । ଉଭୟ ଦଳ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଛି । ପ୍ରାୟତଃ ପ୍ରତ୍ୟେକ ବଡ଼ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଲଢ଼େଇ ଓ ବାକ୍ ଯୁଦ୍ଧ ଦେଖିବାକୁ ମିଳେ । ଶନିବାର ମଧ୍ୟ ଏକ ଜୋରଦାର ଲଢ଼େଇ ହେବା ଆଶା କରାଯାଉଛି ।
ବାଂଲାଦେଶ ଇତି ମଧ୍ୟରେ ଗୋଟିଏ ମ୍ୟାଚ୍ ଜିତି ୨ ପଏଣ୍ଟ ଅର୍ଜନ କରିସାରିଛି । ଶ୍ରୀଲଙ୍କା ଶନିବାର ଅଭିଯାନ ଆରମ୍ଭ କରିବ ଓ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଗତ ଜୁଲାଇ ମାସରେ ଉଭୟ ଦଳ ମଧ୍ୟରେ ଏକ ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳାଯାଇଥିଲା । ବାଂଲାଦେଶ ୨-୧ରେ ଉକ୍ତ ସିରିଜ ଜିତିଥିଲା ।
ବାଂଲାଦେଶର ବୋଲିଂ ବିଭାଗ ଶୃଙ୍ଖଳିତ ରହିଛି । ବିଶେଷ କରି ପେସ୍ ବାହିନୀ ଶୃଙ୍ଖଳିତ ବୋଲିଂ କରୁଛନ୍ତି । ବ୍ୟାଟିଂରେ ଉନ୍ନତି ଆବଶ୍ୟକ । ଲିଟନ ଦାସ ଚମତ୍କାର ଫର୍ମରେ ରହିଛନ୍ତି । ହଂକଂ ବିପକ୍ଷ ପ୍ରଥମ ମ୍ୟାଚରେ ସେ ଅର୍ଦ୍ଧଶତକ ଅର୍ଜନ କରି ଦଳକୁ ଜିତାଇଥିଲେ । ଶନିବାର ମଧ୍ୟ ତାଙ୍କ ବ୍ୟାଟ୍ରୁ ଉପଯୋଗୀ ଇନିଂସ ଆଶା କରାଯାଉଛି ।
ଶ୍ରୀଲଙ୍କା ଓପନର ପଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ମାତ୍ର ୱାନିଣ୍ଡୁ ହସରଙ୍ଗାଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ତାଙ୍କ ବୋଲିଂ ବାଂଲାଦେଶ ପାଇଁ ଚିନ୍ତାର କାରଣ ସାଜିବା ନିଶ୍ଚିତ ।
ଆବୁଧାବି ପିଚ୍ ସ୍ପିନରଙ୍କୁ ବେଶ ସହାୟତା କରିବ । ପିଚ୍ ମନ୍ଥର ରହିଲେ ମଧ୍ୟ ଏଠାରେ ବଡ଼ ସ୍କୋର ସମ୍ଭବ ହୋଇପାରିବ । ତଥାପି ବୋଲରମାନେ ମ୍ୟାଚ୍ ଫଳାଫଳ ନିର୍ଦ୍ଧାରଣ କରିବେ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
Comments ସମସ୍ତ ମତାମତ