Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସଣ୍ଡେ ଅନ୍ ସାଇକେଲ’ ରାଲି ସହ ଉଦ୍‌ଯାପିତ ହେଲା ଜାତୀୟ କ୍ରୀଡ଼ା ଦିବସ

    Share on :
    ajab-Image
    Date: Aug 31, 2026    Views: 2929

    ଭୁବନେଶ୍ୱର: ଏକ ସୁସ୍ଥ, ସବୁଜ ଏବଂ ଫିଟ୍ ଓଡ଼ିଶା ଗଢ଼ିବା ଲକ୍ଷ୍ୟରେ  ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ର ଉଦ୍‌ଯାପନୀ ଉତ୍ସବ ଅବସରରେ ‘ସଣ୍ଡେ ଅନ୍ ସାଇକେଲ’ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସାଇକେଲ ରାଲିକୁ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ, ଯାହା ଏକାମ୍ର କାନନ ଛକରୁ ବାହାରି ଉତ୍କଳ ହସ୍ପିଟାଲ ପର୍ଯ୍ୟନ୍ତ ଯାଇ ପୁନର୍ବାର ଆରମ୍ଭ ସ୍ଥଳକୁ ଫେରିଥିଲା। କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଅଗଷ୍ଟ ୨୮ ରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ଉତ୍ସବ, ଆଜି ଏହାର ତୃତୀୟ ସ୍ତମ୍ଭ 'ମୁଭ୍' (ଗତି) ମାଧ୍ୟମରେ ଶେଷ ହୋଇଛି। "ଏକ୍ ଘଣ୍ଟା ଖେଲ୍ କେ ମୈଦାନ୍ ମେଁ" ଆହ୍ୱାନ କ୍ରମେ ପ୍ରଥମ ଦିନ 'ଶ୍ରଦ୍ଧାଞ୍ଜଳି' ଏବଂ ଦ୍ୱିତୀୟ ଦିନ 'ପ୍ଲେ' (ଖେଳ) କାର୍ଯ୍ୟକ୍ରମରେ ଲୋକଙ୍କର ବିପୁଳ ସହଯୋଗ ଦେଖିବାକୁ ମିଳିଥିଲା।

    ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ 'ଫିଟ୍ ଇଣ୍ଡିଆ' ଆନ୍ଦୋଳନ ସହ ଓଡ଼ିଶାକୁ ଆଗେଇ ନେବାର ବଡ଼ ଦାୟିତ୍ୱ ଥିବାବେଳେ, ଏହି ବର୍ଷାଟିଆ ରବିବାରରେ କୌଣସି ଓଜର-ଆପତ୍ତି ନରଖି କେବଳ ଫିଟ୍‌ ଓ ସକ୍ରିୟ ରହିବାର ଦୃଢ଼ ଉତ୍ସାହ ନେଇ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜେ ସାଇକେଲ ଚଲାଇ ସମ୍ମୁଖରୁ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ମନ୍ତ୍ରୀଙ୍କ ସହ ଶୋଭାଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଅଂଶଗ୍ରହଣକାରୀ ବର୍ଷାକୁ  ଚିନ୍ତା ନକରି ପ୍ରତିକୂଳ ପରିସ୍ଥିତିରେ ବି ଫିଟନେସ୍‌ ପ୍ରତି ନିଜର ନିଷ୍ଠା ଦେଖାଇ ଅନ୍ୟମାନଙ୍କ ପାଇଁ ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିଛନ୍ତି। ଏହିଭଳି ପ୍ରଶଂସନୀୟ ଆଭିମୁଖ୍ୟ ନିଶ୍ଚିତ ଭାବେ ରାଜ୍ୟର ଅନ୍ୟ ନାଗରିକଙ୍କୁ ସମସ୍ତ ବାହାନା ଭୁଲି ଏହି ଅଭିଯାନରେ ଯୋଡ଼ିହେବା ପାଇଁ ଅନୁପ୍ରାଣିତ କରିବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ "ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା" ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବ।

    ସମାବେଶକୁ ସମ୍ବୋଧିତ କରି ମାନ୍ୟବର କ୍ରୀଡ଼ା ମନ୍ତ୍ରୀ କହିଥିଲେ ଯେ, "ଆମେ ପ୍ଲେ-ଷ୍ଟେସନ୍‌ ବଦଳରେ ଖେଳପଡ଼ିଆ ଉପରେ ଏବଂ ସ୍କ୍ରିନ୍‌ ଟାଇମ୍‌ ବଦଳରେ ଆକ୍ଟିଭିଟି ଟାଇମ୍‌  ଉପରେ ଗୁରୁତ୍ୱ ଦେବା ଉଚିତ୍।" ଏହାସହ ସେ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟ ଓ ଡୋପିଂ ଭଳି କୁଅଭ୍ୟାସରୁ ଦୂରେଇ ରହି ଖେଳକୁ ନିଜ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍କ୍ରିନ୍‌ ବ୍ୟବହାର କମାଇବା, ପେଟ୍ରୋଲ-ଡିଜେଲ ଯାନ ଉପରେ ନିର୍ଭରଶୀଳତା ହ୍ରାସ କରି ସବୁଜ ପରିବେଶ ଗଢ଼ିବା ଏବଂ ଦୈନନ୍ଦିନ ସାଇକେଲ ଚାଳନା ଦ୍ୱାରା ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା।

    ସୋସିଆଲ ମିଡିଆ ମାଧ୍ୟମରେ ଏହି ଫିଟନେସ୍ ଆନ୍ଦୋଳନକୁ ଅଧିକ ବ୍ୟାପକ କରିବା ପାଇଁ #FitIndiaNSD2026, #KhelegaBharatJeetegaBharat, #FitIndia ଏବଂ #KhelibaOdishaJitibaOdisha ଭଳି ହ୍ୟାସଟ୍ୟାଗ୍ ସହ ଫଟୋ ଓ ଭିଡିଓଗୁଡ଼ିକୁ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ସେୟାର କରାଯାଇଥିଲା, ଯାହା ସାରା ଦେଶରେ ସୁସ୍ଥ ଓ ସବୁଜ ଓଡ଼ିଶାର ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇପାରିଛି।

    ଏହି ପ୍ରେରଣାଦାୟକ ସାଇକେଲ ଶୋଭାଯାତ୍ରାରେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂହ ପୁନିଆ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟା କୁମାର ସ୍ୱାଇଁ ଓ ଶ୍ରୀ ସୁଧାକର ନାୟକ, ସି.ଆଇ.ଏସ୍‌. ଏଫ୍(CISF) ର କମାଣ୍ଡାଣ୍ଟ ଶ୍ରୀ ରାକେଶ ଚୌଧୁରୀ ଏବଂ ଶ୍ରୀ ଧନଞ୍ଜୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ 'ମାଇଁ ଭାରତ',ଏନ୍.ଏସ୍.ଏସ୍ , ଏନ୍.ଡି.ଆର୍.ଏ.ଏଫ୍ (NDRAF) ର ସ୍ୱେଚ୍ଛାସେବୀ, ଏବଂ ସାଧାରଣ ଲୋକ  ଆଦି ସାମିଲ ହୋଇଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook