Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଉତ୍ତରଦାୟିତ୍ୱ ମାଧ୍ୟମରେ ବିଧାନସଭା ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି : ବାଚସ୍ପତି

    Share on :
    ajab-Image
    Date: Jan 21, 2026    Views: 3268

    ଭୁବନେଶ୍ୱର: ଗଣତାନ୍ତ୍ରିକ ଶାସନର ମୂଳ ଆଧାର ହେଉଛି ଉତ୍ତରଦାୟିତ୍ୱ । ଉତ୍ତରଦାୟିତ୍ୱ ମାଧ୍ୟମରେ ହିଁ ବିଧାନସଭା ସବୁ ସମୟରେ ଜନସାଧାରଣଙ୍କ ବିଶ୍ୱାସ ବଜାୟ ରଖିବାରେ ସକ୍ଷମ ହୋଇଥାଏ ଓ ସାର୍ବଜନୀନ ବ୍ୟାପାରରେ ସ୍ୱଚ୍ଛତା ସୁନିଶ୍ଚିତ କରିଥାଏ ଏବଂ ସମ୍ବିଧାନର ସାର୍ବଭୌମିକତାକୁ ବଜାୟ ରଖେ । ବିଧାନସଭା କେବଳ ଏକ ଆଇନ ପ୍ରଣୟନକାରୀ ସଂସ୍ଥା ନୁହେଁ, ଏହା ବିଚାରବିମର୍ଶ, ତର୍କ-ବିତର୍କ, ଜନସାଧାରଣଙ୍କ ପ୍ରତିନିଧିତ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ବୋଲି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ପ୍ରକାଶ କରିଛନ୍ତି । 
    ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରେ ଆୟୋଜିତ ୮୬ତମ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଅବସରରେ ‘ଜନସାଧାରଣଙ୍କ ପ୍ରତି ବିଧାନସଭାର ଉତ୍ତରଦାୟିତ୍ୱ’ ଶୀର୍ଷକ ଆଲୋଚନାରେ ନିଜର ସୁଚିନ୍ତିତ ଅଭିବ୍ୟକ୍ତି ଉପସ୍ଥାପନ କରି ବାଚସ୍ପତି କହିଲେ ଯେ ଗଣତାନ୍ତ୍ରିକ ଅନୁଷ୍ଠାନର ସଂରକ୍ଷକ ଭାବେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରୁଛୁ । ଉତ୍ତରଦାୟିତ୍ୱ କେବଳ ଏକ ପ୍ରକ୍ରିୟାକରଣ ଆବଶ୍ୟକତା ନୁହେଁ ବରଂ ନୈତିକ ଏବଂ ସାମ୍ବିଧାନିକ ଦାୟିତ୍ୱ ତୁଲାଇବା ଦିଗରେ ଏକ ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତିମୂଳକ ପଦକ୍ଷେପ । ବିଧାନସଭା କାର୍ଯ୍ୟକ୍ରମର ଡିଜିଟାଲ ପ୍ରସାର ଉଭୟ ଗୃହ ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ସମ୍ପର୍କ ସ୍ଥାପନ କରିବା ସହ ଏଭଳି ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତି ଜନସାଧାରଣଙ୍କ ବିଶ୍ୱାସକୁ ଦୃଢ଼ୀଭୂତ କରିପାରିଛି ।
    ଏହି ଅବସରରେ ଉତ୍ତରପ୍ରଦେଶ ବିଧାନସଭାର ବାଚସ୍ପତି ଶ୍ରୀ ସତୀଶ ମହାନା ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଲୋକସଭାର ବାଚସ୍ପତି ଶ୍ରୀ ଓମ୍‌ ବିର୍ଲା ଉଦ୍‌ଘାଟନୀ ଅଭିଭାଷଣ ରଖିଥିଲେ । ରାଜ୍ୟସଭାର ଉପାଧ୍ୟକ୍ଷ ଶ୍ରୀ ହରିବଂଶ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ୍‌ ପଟେଲ ଉପସ୍ଥିତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ । ବିରୋଧୀ ଦଳ ନେତା ଶ୍ରୀ ମାତା ପ୍ରସାଦ ପାଣ୍ଡେ ନିଜର ଅଭିବ୍ୟକ୍ତି ଉପସ୍ଥାପନ କରିଥିଲେ । ଶେଷରେ ଉତ୍ତରପ୍ରଦେଶ ବିଧାନ ପରିଷଦର ଅଧ୍ୟକ୍ଷ ଶ୍ରୀ କୁଅଁର ମାନବେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ । 
    ଏଠାରେ ସୂଚନାଯୋଗ୍ୟ ଯେ ଲକ୍ଷ୍ନୌଠାରେ ୮୬ତମ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଓ ୬୨ତମ ବିଧାନସଭାର ସଚିବମାନଙ୍କର ସମ୍ମିଳନୀ ଜାନୁଆରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ଓ ସଚିବ ଶ୍ରୀ ସତ୍ୟବ୍ରତ ରାଉତ ପ୍ରମୁଖ ଯୋଗଦେଇଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook