ମୁଖ୍ୟ ଖବର
ଭୁବନେଶ୍ୱର : ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଉ ଦୁଇ ଜଣଙ୍କୁ ନୟାଗଡ଼ ଜିଲ୍ଲାର ରଣପୁର ଜଙ୍ଗଲରୁ ଗିରଫ କରିଛି। ସେମାନେ ହେଲେ ବାଲିଅନ୍ତା ଅଞ୍ଚଳର ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ ରାଣା । ଏମାନେ ଗତ ୭ ତାରିଖରୁ ଫେରାର ଥିଲେ । ଗତ ୭ ତାରିଖରେ ସୌମ୍ୟ ଓ ତାଙ୍କ ସାଙ୍ଗ ଓମପ୍ରକାଶ ଭୁବନେଶ୍ୱର ସତ୍ୟବିହାର ଆସୁଥିଲାବେଳେ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ନିକଟରେ ଦୁଇ ଜଣ ଯୁବତୀଙ୍କ ସହ ଦୁର୍ଘଟଣା ହୋଇଥିଲା । ଏହାକୁ ନେଇ ସେଠାରେ ଦେଖାଯାଇଥିବା ଉତ୍ତେଜନା ବେଳେ ଲୋକମାନେ ପିଟି ପିଟି ସୌମ୍ୟଙ୍କୁ ହତ୍ୟା କରିଥିଲେ । କାଳିଆ ଓ ରଞ୍ଜିତ କାଠ ଫାଳିଆରେ ଆକ୍ରମଣ କରିଥିଲେ । ତା’ପରେ ଉଭୟ ରଣପୁର ସମ୍ପର୍କୀୟଙ୍କ ଘରେ ଲୁଚିଥିଲେ । ଦିନରେ ରୁମରେ ରହୁଥିଲାବେଳେ ରାତିରେ ଜଙ୍ଗଲରେ ରହୁଥିଲେ । କ୍ରାଇମବ୍ରାଞ୍ଚ ଟିମ୍ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କାଳିଆ ଓ ରଞ୍ଜିତଙ୍କୁ ମିଶାଇ ଏପର୍ଯ୍ୟନ୍ତ ଏହି ମାମଲାରେ ମୋଟ ୧୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ବାଲିଅନ୍ତା ଥାନା ପୁଲିସ୍ ପୂର୍ବରୁ ଗିରଫ କରିଥିଲା । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ପ୍ରାଥମିକତା ଭିତ୍ତିରେ ତଦନ୍ତ ଜାରି ରହିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି । ଏଥିରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମ ଟିମ୍ ପୁରା ଆକ୍ଟିଭ୍ ଅଛି । ଏହି ଘଟଣାରେ କାହାରିକୁ ବି ଛଡ଼ା ଯିବନି।
Comments ସମସ୍ତ ମତାମତ