ମୁଖ୍ୟ ଖବର
ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ଦଳ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ପୁସ୍ତକ ‘ବିଲଙ୍ଗିଙ୍ଗ୍ : ଏ ଜର୍ଣ୍ଣି ଅଫ୍ ଲଭ୍’ ମଙ୍ଗଳବାର ବଜାରକୁ ଆସିଛି। ଏହି ପୁସ୍ତକରେ ସୋନିଆ ଗାନ୍ଧୀ ନିଜ ପରିବାର, ବ୍ୟକ୍ତିଗତ ଜୀବନ ଏବଂ ରାଜନୈତିକ ଅନୁଭୂତି ସମ୍ପର୍କରେ ଅନେକ ଅକୁହା କଥା ସାମ୍ନାକୁ ଆଣିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସ୍ୱଭାବ ଓ ପରିବାର ସହ ତାଙ୍କ ସମ୍ପର୍କକୁ ନେଇ ପୁସ୍ତକରେ ଅନେକ କଥା ଲେଖିଛନ୍ତି। ସୋନିଆଙ୍କ ଲେଖା ଅନୁସାରେ, ଇନ୍ଦିରା ଗାନ୍ଧୀଙ୍କୁ ବେଳେବେଳେ ବହୁତ ରାଗ ଆସୁଥଲା। ସୋନିଆଙ୍କ ବର୍ଣ୍ଣନା ଅନୁସାରେ, ଇନ୍ଦିରା ଗାନ୍ଧୀଙ୍କୁ ଯେତେବେଳେ ରାଗ ଆସୁଥିଲା, ସେତେବେଳେ ତାଙ୍କର ବ୍ୟବହାର ବେଶ୍ କଠୋର ହୋଇଯାଉଥିଲା। କାହାକୁ ଘରର ଏକ କୋଣରେ ଛିଡ଼ା କରାଇ ଦେଉଥିଲେ ତ ଆଉ କାହା ସହ ଅନେକ ଦିନ ପର୍ଯ୍ୟନ୍ତ କଥା ହେଉନଥିଲେ। ତାଙ୍କର ଏହି ରାଗ ଓ ଶାସନ କରିବାର ଶୈଳୀ ପରିବାର ଭିତରେ ମଧ୍ୟ ଅନୁଭବ କରିବାକୁ ମିଳୁଥିଲା। ଏହି ଆତ୍ମଜୀବନୀରେ ଗାନ୍ଧୀ ପରିବାରର ଅନେକ ବ୍ୟକ୍ତିଗତ ଘଟଣା, ସମ୍ପର୍କ ଏବଂ ଜୀବନର ଉତ୍ଥାନ-ପତନ ସ୍ଥାନ ପାଇଛି। ସୋନିଆଙ୍କ ଏହି ପୁସ୍ତକ ଏବେ ରାଜନୈତିକ ଓ ସାହିତ୍ୟିକ ମହଲରେ ଆଲୋଚନାର ବିଷୟ ପାଲଟିଛି।
ସୋନିଆ ତାଙ୍କ ପୁସ୍ତକରେ ନିଜ ବ୍ୟକ୍ତିଗତ ଜୀବନ ସହିତ ୟୁପିଏ ଶାସନକାଳ, ପ୍ରଧାନମନ୍ତ୍ରୀ ପଦ ନ ଗ୍ରହଣ କରିବାର ନିଷ୍ପତ୍ତି ଏବଂ ମନମୋହନ ସିଂହଙ୍କ ସହ କିପରି କାମ କରୁଥିଲେ, ସେନେଇ ଅନେକ କଥା ଲେଖିଛନ୍ତି। ସୋନିଆଙ୍କ କହିବା ଅନୁଯାୟୀ, ୟୁପିଏ ସରକାର ସମୟରେ ଦାୟିତ୍ୱ ସ୍ପଷ୍ଟ ଭାବରେ ବିଭକ୍ତ ଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହ ସରକାର ଚଲାଉଥିଲେ, ଯେତେବେଳେ ସେ ନିଜେ କଂଗ୍ରେସ ଦଳକୁ ଚଲାଉଥିଲେ। ସେହି ସମୟରେ ସରକାର ଓ ଦଳ ମଧ୍ୟରେ ଯେଉଁ ସମୀକରଣ ଥିଲା, ତାହାକୁ ନେଇ ଅନେକ ରାଜନୈତିକ ଅଭିଯୋଗ ହୋଇଆସୁଥିଲା। ସୋନିଆ ତାଙ୍କ ପୁସ୍ତକରେ ସେହି ଅଭିଯୋଗମାନଙ୍କୁ ମଧ୍ୟ ଉତ୍ତର ଦେଇଛନ୍ତି। ପୂର୍ବରୁ କିଛି ପୁସ୍ତକ ଏବଂ ରାଜନୈତିକ ମତାମତରେ ଏହି ଦାବି କରାଯାଇଥିଲା ଯେ ସୋନିଆ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସରକାରୀ ଫାଇଲ୍ ଦେଖାଯାଉଥିଲା; କିନ୍ତୁ ସୋନିଆ ଏହାକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫାଇଲ୍ ଅଣାଯାଉଥିବା ଅଭିଯୋଗ ଦୁର୍ଭାବନାପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣ ମିଥ୍ୟା। ତେବେ ସରକାର ଗଠନ ସମୟରେ ସେ ନିଶ୍ଚିତ କିଛି ପରାମର୍ଶ ଦେଇଥିବା କଥା ସ୍ୱୀକାର କରିଛନ୍ତି। ସେହିପରି କ୍ଷମତାରୁ ଦୂରରେ ରହି ଦଳ ପାଇଁ ଦୀର୍ଘବର୍ଷ ଧରି କାମ କରୁଥିବା ନେତାଙ୍କୁ ଗୁରୁତ୍ବ ପ୍ରଦାନ କରାଯାଉଥିବା ସୋନିଆ ପୁସ୍ତକରେ ଲେଖିଛନ୍ତି।।
ସୋନିଆଙ୍କ ଅନୁଯାୟୀ, ୧୯୯୧ରେ ଭାରତୀୟ ଅର୍ଥନୀତିକୁ ଉଦାରୀକରଣର ଦିଗ ଦେଇଥିବା ଜଣେ ଅର୍ଥନୀତିଜ୍ଞ ଭାବେ ମନମୋହନ ସିଂହଙ୍କ ଛବି ଦୃଢ଼ ଥିଲା। ସେ ସମୟରେ ବାମଦଳମାନେ ୟୁପିଏ ସରକାରକୁ ବାହାରୁ ସମର୍ଥନ କରୁଥିଲେ। ଏପରି ସ୍ଥିତିରେ ମନମୋହନଙ୍କୁ ପ୍ରଧାନମନ୍ତ୍ରୀ କରିବା ଫଳରେ ଦେଶର ସ୍ଥିତିକୁ ନେଇ ଅର୍ଥନୈତିକଙ୍କ ମହଲରେ ଥିବା ଆଶଙ୍କା କମିପାରିବ ବୋଲି ଚିନ୍ତା କରାଯାଇଥିଲା।
Comments ସମସ୍ତ ମତାମତ