ମୁଖ୍ୟ ଖବର
କଟକ: କଟକର ରାଜନୀତିକ ପାଣିପାଗ ଘଡ଼ିକେ ବଦଳୁଛି। ଏବେ କଂଗ୍ରେସକୁ ନେଇ ବିଭିନ୍ନ ଆଲୋଚନା ଚାଲିଥିବାବେଳେ ଏହାରି ମଧ୍ୟରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ସଂକେତ ଦେଇଛନ୍ତି। ବାରବାଟୀ- କଟକ ବିଧାୟିକା ସୋଫିଆ ଫିର୍ଦୋସ କଂଗ୍ରେସ ଛାଡ଼ି ପାରନ୍ତି। ସେ ବାପା ମୋକିମ୍ ଦ୍ବାରା ଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି)ର ସଙ୍ଗଠନ ସମ୍ଭାଳି ପାରନ୍ତି। ମୋକିମ୍ କହିଛନ୍ତି ଯେ, ନୂତନ ସଙ୍ଗଠନ ହୋଇଥିବାରୁ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯାଉଛି। ଯେଉଁମାନେ ଚାହିଁବେ ଓଜେସିରେ ଯୋଗ ଦେଇପାରିବେ। ଲୋକ ପ୍ରତିନିଧିମାନେ ତାଙ୍କ କାର୍ୟ୍ୟକାଳ ନ ସରିବା ପର୍ୟ୍ୟନ୍ତ ଆସି ପାରିବେ ନାହିଁ। ଯେଉଁଥି ପାଇଁ ସୋଫିଆ ମଧ୍ୟ କଂଗ୍ରେସ ଦଳରେ ଅଛନ୍ତି। ସମୟକୁ ଅପେକ୍ଷା କରନ୍ତୁ କିଏ କାହା ସହ ଥିବ ଆପଣ ଦେଖିବେ ବୋଲି କହିଛନ୍ତି ମୋକିମ। ଆଗକୁ ମୋକିମଙ୍କ ଦଳରେ ଝିଅ ସୋଫିଆ ମଙ୍ଗ ଧରିବେ ବୋଲି ଏଥିରୁ ଏକ ପ୍ରକାର ସ୍ପଷ୍ଟ ହୋଇଛି।
ଅନ୍ୟପକ୍ଷରେ ପଖାଳ ଦିବସରେ ୫ କର୍ପୋରେଟର ପୂର୍ବତନ କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ବନ୍ଧୁ ମିଳନ କାର୍ୟ୍ୟକ୍ରମରେ ସାମିଲ ବିଷୟରେ ମୁହଁ ଖୋଲିଛନ୍ତି ବିଧାୟିକା ସୋଫିଆ। ସେ କହିଛନ୍ତି ଯେ, ସମ୍ପୃକ୍ତ କର୍ପୋରେଟରମାନେ ଆମ ନିଜ ଲୋକ। ତେଣୁ ସମୟ ଅନୁସାରେ ମତ ବଦଳିଲେ ବି ବ୍ୟକ୍ତିଗତ ସମ୍ପର୍କ ଏବଂ ସମ୍ମାନରେ କିଛି ଫରକ ପଡ଼ିବ ନାହିଁ। କଟକରେ କେବଳ ବ୍ୟକ୍ତିଗତ ସମ୍ପର୍କ ପାଇଁ ନିର୍ବାଚନ ଜିତୁଛୁ ବୋଲି ସୋଫିଆ କହିଛନ୍ତି।
କଟକ ନଗର କଂଗ୍ରେସରେ ବିଧାୟିକା ସୋଫିଆଙ୍କୁ ବାଦ୍ ଦେଇ ସଙ୍ଗଠନକୁ ଆଗକୁ ନେବାକୁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ପୂର୍ବରୁ ଯେଉଁ କର୍ପୋରେଟର ଏବଂ କର୍ମୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏବଂ ବିଧାୟିକା ସୋଫିଆଙ୍କ ସହ ସହଯୋଗୀ ଭାବେ କାମ କରୁଥିଲେ; ସେମାନେ ଏବେ ଶିବିର ବଦଳାଇଲେଣି। ଯାହାଦ୍ବାରା ମୋକିମ ଓ ସୋଫିଆଙ୍କ ସଙ୍ଗଠନ ଦୁର୍ବଳ ହେଉଥିବା ଚର୍ଚ୍ଚା ଧରିଥିବାବେଳେ ଏ ନେଇ ମୋକିମ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ ଦୁଇମାସ ତଳୁ କଂଗ୍ରେସରୁ ବହିଷ୍କାର ହୋଇ ଓଡ଼ିଶା ଜନତା କଂଗ୍ରେସ ତିଆରି କରିଛି। କଂଗ୍ରେସ ସହିତ ମୋର କୌଣସି ସମ୍ପର୍କ ନାହିଁ।
ତେଣୁ ସମ୍ପୃକ୍ତ କର୍ପୋରେଟର କଂଗ୍ରେସରେ ଅଛନ୍ତି। ସେମାନେ ଯାହା ନିଷ୍ପତ୍ତି ନେବେ ତାହା ତାଙ୍କର ବ୍ୟକ୍ତିଗତ। ନୂତନ ସଙ୍ଗଠନ ପାଇଁ କାର୍ୟ୍ୟ କରୁଛୁ ଏବଂ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଉଛୁ। ତେଣୁ ଯେଉଁମାନେ ଚାହିଁବେ ଓଡ଼ିଶା ଜନତା କଂଗ୍ରେସରେ ଯୋଗ ଦେଇପାରିବେ। ଓଡ଼ିଶା ଜନତା କଂଗ୍ରେସ ବିଜେପିର ବିକଳ୍ପ ଭାବେ କାର୍ୟ୍ୟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ସହ ଲଢ଼େଇ କରିବ। ବିଜେଡି ଓ କଂଗ୍ରେସ ସହ ଆମେ ନିଜକୁ ତୁଳନା କରୁନାହୁଁ। ଆସନ୍ତା ପୌର ନିର୍ବାଚନ ଓଡ଼ିଶା ଜନତା କଂଗ୍ରେସ ପାଇଁ ମାପ କାଠି ହେବ ବୋଲି ମୋକିମ କହିଛନ୍ତି। ଏପରିକି କଟକରେ କାହାର କିଭଳି ସଙ୍ଗଠନ ରହିଛି ତାହା ଆସନ୍ତା ଉତ୍କଳ ଦିବସରେ ଜଣାପଡ଼ିବ ବୋଲି ସେ କହିଛନ୍ତି।
Comments ସମସ୍ତ ମତାମତ