Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶିଶିର ସରସ ମେଳା ଗ୍ରାମୀଣ ଆତ୍ମଶକ୍ତିର ପ୍ରାଣବନ୍ତ ପ୍ରତିଛବି: ମନ୍ତ୍ରୀ

    Share on :
    ajab-Image
    Date: Jan 11, 2026    Views: 3019

    ଭୁବନେଶ୍ବର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ପକ୍ଷରୁ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି ମେଗା ‘ଶିଶିର ସରସ-୨୦୨୬’।  ଶନିବାର ସନ୍ଧ୍ୟାରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ  ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ହାତରେ ଏହି ମେଳାର ଭବ୍ୟ ଉଦ୍ଘାଟନ ହୋଇଛି।  ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ସ୍ୱୟଂସହାୟକ ଗୋଷ୍ଠୀ ଓ ଉତ୍ପାଦକମାନେ ନିଜ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।

    ଶିଶିର ସରସ ମେଳା ସ୍ୱାବଲମ୍ବନ ଓ ଆତ୍ମନିର୍ଭରଶୀଳତାର ଏକ ଅନନ୍ୟ ମଞ୍ଚ। ‘ବିକଶିତ ଓଡ଼ିଶା ବିକଶିତ ଭାରତ’ ଓ ‘ଆତ୍ମନିର୍ଭର ଭାରତ’  ଦିଗରେ ଏହା ଗ୍ରାମୀଣ ଆତ୍ମଶକ୍ତିର ପ୍ରାଣବନ୍ତ ପ୍ରତିଛବି। ଏହି ମେଳା ମାଧ୍ୟମରେ ଗ୍ରାମାଞ୍ଚଳର କାରିଗର ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନେ ନିଜ ପରିଶ୍ରମର ଯଥୋଚିତ ମୂଲ୍ୟ ପାଇ ଆର୍ଥିକ ଭାବେ ସଶକ୍ତ ହେଉଛନ୍ତି। ସ୍ଥାନୀୟ ଉତ୍ପାଦ କ୍ରୟ କରି ‘ଭୋକାଲ୍ ଫର୍ ଲୋକାଲ୍’କୁ ସାକାର କରିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆହ୍ୱାନ ଦେଇଛନ୍ତି।

    କାର୍ଯ୍ୟକ୍ରମରେ ଯୋଗଦେଇ ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, ପାରମ୍ପରିକ କାରିଗରୀ ସଂରକ୍ଷଣ ଓ ସାଂସ୍କୃତିକ ଐତିହ୍ୟ ପୁନରୁତ୍ଥାନରେ ଓରମାସର ଭୂମିକାକୁ ପ୍ରଶଂସା କରିଥିଲେ। ଏହି ମେଳା ଗ୍ରାମାଞ୍ଚଳର ହସ୍ତଶିଳ୍ପକୁ ସହରୀ ବଜାର ସହ ସିଧାସଳଖ ଯୋଡ଼ି ତୃଣମୂଳ ସ୍ତରର ଉତ୍ପାଦକଙ୍କୁ ନୂଆ ସୁଯୋଗ ଦେଉଛି। ଗୋବରରୁ ଗୃହସଜ୍ଜା ସାମଗ୍ରୀ ପରି ନବୀନ ହସ୍ତଶିଳ୍ପ ତିଆରି ମାଧ୍ୟମରେ ସ୍ଥାୟୀ ଜୀବିକା ସୃଷ୍ଟି ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ଆର୍ଥିକ ସଶକ୍ତିକରଣ ସମ୍ଭବ ହେଉଛି ବୋଲି ସେ ମତ ପ୍ରକାଶ କରିଥିଲେ।

    ଏହି ସମାରୋହରେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଉପସ୍ଥିତ ରହି ମେଳାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ିକରଣରେ ଏହାର ଭୂମିକାକୁ ପ୍ରଶଂସା କରିଥିଲେ। ଏଥି ସହିତ ଓରମାସ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ମୋନିକା ପ୍ରିୟଦର୍ଶିନୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓରମାସ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ସିଂହ ଧନ୍ୟବାଦ ଜ୍ଞାପନ କରିଥିଲେ।    

    ଏହି ମେଗା ମେଳାରେ ଓଡ଼ିଶାର ୩୦ ଜିଲ୍ଲା ସହିତ ଦେଶର ଅନ୍ୟ ୨୦ଟି ରାଜ୍ୟର କାରିଗର ଓ ଉତ୍ପାଦକମାନେ ଅଂଶଗ୍ରହଣ କରିଛନ୍ତି, ଯାହାକି ଏକ ‘ମିନି ଇଣ୍ଡିଆ ବଜାର’ର ଭ୍ରମ ସୃଷ୍ଟି କରୁଛି। ମେଳା ପରିସରରେ ୩୪୦ଟି ବିକ୍ରୟ ଷ୍ଟଲ୍ ସ୍ଥାପିତ ହୋଇଥିବା ବେଳେ, ଫୁଡ୍ ଜୋନ୍‌ରେ ପରିଦର୍ଶକମାନଙ୍କ ଭାରି ଭିଡ଼ ଦେଖିବାକୁ ମିଳୁଛି। ‘ଭୋକାଲ୍ ଫର୍ ଲୋକାଲ୍’ ଆହ୍ୱାନକୁ ସାକାର କରୁଥିବା ଏହି ମେଳା ମାଧ୍ୟମରେ ସ୍ୱଦେଶୀ ଓ ଜିଆଇ ଟ୍ୟାଗ୍‌ପ୍ରାପ୍ତ ସମ୍ବଲପୁରୀ ଓ ସୁବର୍ଣ୍ଣପୁର ହସ୍ତତନ୍ତ, କୋରାପୁଟର କଳାଜିରା ଚାଉଳ ଓ ସୁନ୍ଦରଗଡ଼ର ମିଲେଟ ପରି ଉତ୍ପାଦ ଜାତୀୟ ସ୍ତରରେ ପରିଚୟ ପାଉଛି। ଚଳିତ ବର୍ଷ ଏହି ମେଗା ମେଳା ମାଧ୍ୟମରେ ପ୍ରାୟ ୩୦ କୋଟି ଟଙ୍କାର ବ୍ୟବସାୟ ସାଧନର ଲକ୍ଷ୍ୟ ରଖାଯାଇଛି।

    ମେଳା ଅବସରରେ ପ୍ରତିଦିନ ସନ୍ଧ୍ୟାରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ବଲିଉଡ୍‌ର କଣ୍ଠଶିଳ୍ପୀ ଦିବ୍ୟ କୁମାର ଓ ଓଲିଉଡର ଲୋକପ୍ରିୟ କଳାକାରଙ୍କ ପ୍ରସ୍ତୁତି ସହ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତିରେ ‘ହ୍ୟୁମାନ ସାଗର ନାଇଟ୍’ କାର୍ଯ୍ୟକ୍ରମ ଏହି ମେଳାର ଏକ ବିଶେଷ ଆକର୍ଷଣ ସାଜିବ। ଏହା ସହ ମେଳା ପରିସରରେ ତିଆରି କରାଯାଇଥିବା ‘ସେଲ୍ଫି ପଏଣ୍ଟ’ ଓ ଶିଶୁମାନଙ୍କ ପାଇଁ ବିଶେଷ ‘ପ୍ଲେ ଜୋନ୍’ ପରିବାରସହ ଆସୁଥିବା ପରିଦର୍ଶକଙ୍କୁ ଆକର୍ଷିତ କରୁଛି।

    ଚଳିତବର୍ଷ ମେଳା ପରିସରକୁ ପରିଷ୍କାର, ସୁସଜ୍ଜିତ ଓ ପ୍ଲାଷ୍ଟିକ–ମୁକ୍ତ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ପରିସରର ପ୍ରବେଶପଥ ଓ ମୁଖ୍ୟ ରାସ୍ତାଗୁଡ଼ିକୁ ପାରମ୍ପରିକ ଝୋଟି କଳାରେ ସୁସଜ୍ଜିତ କରାଯାଇଥିବା ବେଳେ, ପରିଦର୍ଶକମାନଙ୍କ ସୁବିଧା ପାଇଁ ପାନୀୟ ଜଳ, ଯଥେଷ୍ଟ ଆଲୋକ ବ୍ୟବସ୍ଥା ଓ ସୁରକ୍ଷା ସହ ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରାଯାଇଛି। ଉଲ୍ଲେଖନୀୟ ଯେ, ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ଶିଶିର ସରସ–୨୦୨୬’ ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।

    Maximum 500 characters

    ତାଜା ଖବର View all

    Find Us on Facebook