Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭୋଟର ତାଲିକାରୁ ୫୮ ଲକ୍ଷରୁ ଅଧିକ ନାମ ବାଦ୍, ମମତାଙ୍କ ସିଟ୍‌ରୁ ୪୪ ହଜାର ଭୋଟର ଗାଏବ

    Share on :
    ajab-Image
    Date: Dec 14, 2025    Views: 3282

    କୋଲକାତା: ପଶ୍ଚିମବଙ୍ଗରେ ଭୋଟର ତାଲିକା ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର୍)ର ପ୍ରଥମ ପର୍ୟ୍ୟାୟ ପରେ ନିର୍ବାଚନ କମିଶନ (ଇସି) ନିର୍ବାଚନ କ୍ଷେତ୍ରୱାରୀ ତଥ୍ୟ ଜାରି କରିଛନ୍ତି । ଏହା ଅନୁସାରେ, ରାଜ୍ୟର ଭୋଟର ତାଲିକାରୁ ୫୮ ଲକ୍ଷରୁ ଅଧିକ ନାମ ହଟାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭବାନୀପୁର ଆସନରୁ ୪୪,୭୮୭ ଭୋଟରଙ୍କ ନାମ କଟିଛି । ଏଠାରେ ଚଳିତବର୍ଷ ଜାନୁଆରୀରେ ୧,୬୧,୫୦୯ ମତାଦାତା ଥିଲେ ।

    ସେହିଭଳି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନନ୍ଦିଗ୍ରାମ ଆସନରୁ ୧୦,୫୯୯ ନାମ ଭୋଟର ତାଲିକାରୁ ହଟାଯାଇଛି । ଏଠାରେ ଏସ୍ଆଇଆର୍ ପୂର୍ବରୁ ୨,୭୮,୨୧୨ ଭୋଟର ଥିଲେ । ଜିଲ୍ଲାୱାରୀ ତଥ୍ୟରେ ଦକ୍ଷିଣ ୨୪ ପ୍ରଗଣା ସବା ଉପରେ ରହିଛି । ଏଠାରେ ୮ ଲକ୍ଷ ୧୬ ହଜାରରୁ ଅଧିକ ଭୋଟରଙ୍କ ନାମ ହଟିଛି । ଏହି ଅଞ୍ଚଳ ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଗଡ଼ ବିବେଚନା କରାଯାଏ । ସେ ଡାଏମଣ୍ଡ ହାର୍ବର ଆସନରୁ ଗତ ଲୋକସଭା ନିର୍ବାଚନରେ ୭ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

    ବିଜେପି ମୁଖପାତ୍ର ଅମିତ ମାଲବୀୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିସେମ୍ବର ୧୧ରେ ପ୍ରଥମ ପର୍ୟ୍ୟାୟର ଶେଷ ଦିନରେ ନିଜ ଏସ୍ଆଇଆର୍ ଫର୍ମ ପୂରଣ କରିଥିଲେ । ମାଲବୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ମମତା କିଛି ଘଣ୍ଟା ପୂର୍ବରୁ ଗୋଟିଏ ରାଲିରେ ମିଛ ଦାବି କରିଥିଲେ କି ସେ ଫର୍ମ ଦାଖଲ କରିନାହାନ୍ତି କିମ୍ବା କରିବେ ନାହିଁ । କିନ୍ତୁ ସେ ପ୍ରକୃତରେ ଫର୍ମ ଦେଇସାରିଛନ୍ତି । ମମତା ପୁନର୍ବାର ଲୋକଙ୍କୁ ଭୁଆଁ ବୁଲାଇ ନିଜ ପ୍ରବୃତ୍ତିର ପରିଚୟ ଦେଇଛନ୍ତି । ବେଙ୍ଗଲର ବୈଧ ମତଦାତା ରହିବା ପାଇଁ ସେ ଫର୍ମ ପୂରଣ କରିଥିଲେ ।

    ନିର୍ବାଚନ କମିଶନଙ୍କ ତଥ୍ୟ ମୁତାବକ, ପଶ୍ଚିମବଙ୍ଗର ୨୯୪ ବିଧାନସଭା ଅଞ୍ଚଳରେ ସର୍ବାଧିକ ନାମ କୋଲକାତାର ଚୌରଙ୍ଗୀ ଏବଂ କୋଲକାତା ପୋର୍ଟ ଭଳି ଅଞ୍ଚଳରେ କଟିଛି। ଚୌରଙ୍ଗୀ ବିଧାନସଭା କ୍ଷେତ୍ରରେ ୭୪,୫୫୩ ନାମ ହଟାଯାଇଛି । ଏଠାରେ ତୃଣମୂଳ କଂଗ୍ରେସ ବିଧାୟକ ନୟନା ବନ୍ଦୋପାଧ୍ୟାୟ ଜିତିଥିଲେ । କୋଲକାତା ପୋର୍ଟରୁ ମୋଟ ୬୩,୭୩୦ ନାମ ହଟିଛି । ଏହାର ପ୍ରତିନିଧିତ୍ୱ ବରିଷ୍ଠ ମନ୍ତ୍ରୀ ଫିରହାଦ ହକିମ କରୁଛନ୍ତି ।

    ସେହିଭଳି ମନ୍ତ୍ରୀ ଅରୂପ ବିଶ୍ୱାସଙ୍କ ଟଲୀଗଞ୍ଜରେ ୩୫,୩୦୯ ନାମ କଟିଛି । ସବୁଠୁ କମ୍ ନାମ ବାଙ୍କୁରା ଜିଲ୍ଲାର କୋତୁଲପୁରରୁ ହଟାଯାଇଛି । ଏଠାରେ ୫,୬୭୮ ନାମ ହଟିଥିବା ଜଣାପଡ଼ିଛି । ଇସିଙ୍କ ମୁତାବକ, ଭୋଟରଙ୍କ ମୃତ୍ୟୁ, ଅନ୍ୟ ସ୍ଥାନକୁ ସ୍ଥାୟୀ ସ୍ଥାନାନ୍ତରଣ ହେବା ଏବଂ ବେଆଇନ ଭାବେ ଏଣ୍ଟ୍ରି ଆଦିକୁ ଦୃଷ୍ଟିରେ ରଖାଯାଇ ନାମ ହଟାଯାଇଛି । ଅଧିକାରୀଙ୍କ ଅନୁସାରେ, ବିଜେପିର ପ୍ରମୁଖ ବିଧାୟକଙ୍କ ଅଞ୍ଚଳ ମଧ୍ୟରେ ନନ୍ଦିଗ୍ରାମରୁ ସର୍ବାଧିକ ନାମ କଟିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook