ମୁଖ୍ୟ ଖବର
ଭୁବନେଶ୍ବର : ହୋଲିରେ ଅଘଟଣ। ହୋଲି ଖେଳି ସାରି ନଦୀରେ ଗାଧୋଇବା ବେଳେ ବୁଡିଯାଇ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଗାଧୋଇବା ବେଳେ ମହାନଦୀ, ବ୍ରାହ୍ମଣୀ ଓ ଯୋକଡିଆା ଖରସ୍ରୋତା ନଦୀରେ ବୁଡିଯାଇ ୩ ଜଣଙ୍କ ମୃତ୍ୟୁ ହୋଇଛି। ହୋଲି ଖେଳି ସାରି ବଡମ୍ବା ମହାନଦୀରେ ଗାଧୋଉଥିବା ବେଳେ ବୁଡିଯାଇ ଜଣେ ଯୁବକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ତୁଣପୁର ଗାଁର ଜୀବନ ବେହେରା।
ସେହିପରି ଯାଜପୁର ରେ ହୋଲି ଅଘଟଣ। ରଙ୍ଗ ଖେଳି ସାରି ନଦୀରେ ଗାଧୋଉଥିବା ବେଳେ ଜଣେ ନାବାଳକଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ଯାଜପୁର ରୋଡ ଥାନା ଯୋକଡିଆ ନିକଟ ଖରସ୍ରୋତା ନଦୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ଜଣେ ଯୁବକ ବୁଡିଯାଇଥିଲେ। ପରେ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ବ୍ୟାସନଗର ଅଞ୍ଚଳର ସଂଗ୍ରାମ ଅଜିତାଭ ଦାସ ହୋଇଥିବା ବେଳେ ସେ ଏକ ଘରୋଇ ବ୍ୟାଙ୍କରେ କାର୍ୟ୍ୟ କରୁଥିବା ଜଣାପଡିଛି।
ସେହିପରି ଯଖପୁରା ଥାନା ଦିଗାମ୍ବରପୁର ନିକଟରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ରଙ୍ଗ ଖେଳି ସାରି ନାବାଳକ ଜଣକ ନଦୀରେ ଗାଧୋଉଥିବା ବେଳେ ଘଟିଥିଲା ଏହି ଅଘଟଣ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦାନଗଦି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ନାବାଳକ ସ୍ଥାନୀୟ ଯଖପୁରା ଅଞ୍ଚଳର ସମରଜିତ୍ ମଲିକ ବୋଲି ଜଣାପଡ଼ିଛି। ତେବେ ଉଭୟଙ୍କ ମୃତଦେହ ଉଦ୍ଧାର କରି ଉଭୟ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଏହି ଘଟଣାକୁ ନେଇ ଉଭୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Comments ସମସ୍ତ ମତାମତ