Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାହୁଲ ଓ ଖଡଗେଙ୍କୁ ଭେଟିଲେ ସିଦ୍ଦରମୈୟା

    Share on :
    ajab-Image
    Date: May 29, 2026    Views: 3123

    ନୂଆଦିଲ୍ଲୀ: ସିଦ୍ଦରମୈୟା କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଶୁକ୍ରବାର ଦିଲ୍ଲୀରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି। ସୂଚନା ଅନୁଯାୟୀ, ଏହି ସାକ୍ଷାତ ସମୟରେ ସେ ପାର୍ଟି ହାଇକମାଣ୍ଡଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ତାଙ୍କ ଦାବିର ତାଲିକା ବେଶ୍ ଲମ୍ବା ରହିଛି। ଡି.କେ. ଶିବକୁମାରଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ସରକାରରେ ତାଙ୍କ ପୁଅ ଯତୀନ୍ଦ୍ର ସିଦ୍ଦରମୈୟାଙ୍କୁ ସାମିଲ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବାକୁ ସେ ଦାବି କରିଛନ୍ତି। ରାଜ୍ୟସଭା ଓ କର୍ଣ୍ଣାଟକା ବିଧାନ ପରିଷଦ ନିର୍ବାଚନ ପାଇଁ ସିଦ୍ଦରମୈୟା ତାଙ୍କ ପସନ୍ଦର ପ୍ରାର୍ଥୀଙ୍କ ତାଲିକା ଦଳର ହାଇକମାଣ୍ଡଙ୍କୁ ଦେଇଛନ୍ତି। ସେହିପରି ଡି.କେ ଶିବକୁମାରଙ୍କ ମନ୍ତ୍ରିମଣ୍ଡଳରେ ତାଙ୍କ କେଉଁ ସମର୍ଥକମାନଙ୍କୁ ସ୍ଥାନ ମିଳିବ ଓ ସେମାନଙ୍କୁ କେଉଁ କେଉଁ ବିଭାଗ ଦିଆଯିବ, ତା’ର ତାଲିକା ମଧ୍ୟ ସେ ପ୍ରଦାନ କରିଥିବା ସୂଚନା ମିଳିଛି। 
    ସୂଚନା ଅନୁଯାୟୀ, ସିଦ୍ଦରମୈୟା ତାଙ୍କ ପୁଅଙ୍କୁ ଚିକିତ୍ସା ଶିକ୍ଷା ଏବଂ ପଛୁଆ ବର୍ଗ କଲ୍ୟାଣ, କିମ୍ବା ବିକଳ୍ପ ଭାବରେ ଶିଳ୍ପ କିମ୍ବା ଜଳ ସମ୍ପଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବାକୁ ଦାବି କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଜଳ ସମ୍ପଦ ବିଭାଗଟି ଶିବକୁମାରଙ୍କ ପାଖରେ ଥିଲା। ସିଦ୍ଦରମୈୟା ନିଜକୁ ପଛୁଆ ବର୍ଗଙ୍କ ବଡ଼ ନେତା ଭାବେ ସବୁବେଳେ ଉପସ୍ଥାପିତ କରିଆସିଛନ୍ତି। ତେଣୁ ସେ ପଛୁଆ ବର୍ଗ କଲ୍ୟାଣ ବିଭାଗ ତାଙ୍କ ପୁଅ ପାଇଁ ମାଗିବା ସ୍ୱାଭାବିକ କଥା। 
    ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଥିବା ସିଦ୍ଦରମୈୟା ରାଜ୍ୟସଭା ଯିବାକୁ ମନା କରି ଦେଇଛନ୍ତି। ରାଜ୍ୟସଭା ଯିବା ପାଇଁ ତାଙ୍କୁ କଂଗ୍ରେସ ହାଇକମାଣ୍ଡ ପ୍ରସ୍ତାବ ଦେଇଥିଲେ। ତେବେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ କର୍ଣ୍ଣାଟକା ରାଜନୀତିରେ ସକ୍ରିୟ ରହିବାକୁ ନିଜର ଇଚ୍ଛା ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଗତକାଲି ସିଦ୍ଦରମୈୟା କହିଥିଲେ,ମୁଁ ସକ୍ରିୟ ରାଜନୀତିରେ ରହିବି। ଜାତୀୟ ରାଜନୀତିରେ ମୋର କୌଣସି ଆଗ୍ରହ ନାହିଁ। ମୋତେ ରାଜ୍ୟସଭା ବିଷୟରେ ମଧ୍ୟ ପଚରାଯାଇଥିଲା। ମୁଁ ଏହାକୁ ମନା କରିଦେଲି। ମୁଁ କର୍ଣ୍ଣାଟକ ରାଜନୀତିରେ ହିଁ ରହିବାକୁ ଚାହେଁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook