ମୁଖ୍ୟ ଖବର
କର୍ଣ୍ଣାଟକ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଗୁରୁବାର ନିଜ ପଦରୁ ଇସ୍ତଫା ଦେଇପାରନ୍ତି। କଂଗ୍ରେସ ହାଇକମାଣ୍ଡଙ୍କ ଚାପ ଏବଂ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ମଧ୍ୟରେ ଏହି ବଡ଼ ନିଷ୍ପତ୍ତି ସାମ୍ନାକୁ ଆସିଛି।
ସୂତ୍ର ଅନୁସାରେ, ଗୁରୁବାର ସକାଳ ପ୍ରାୟ ୧୧ଟା ସମୟରେ ସିଦ୍ଧରମେୟା ନିଜର ଇସ୍ତଫା ଦେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସିଦ୍ଧରମେୟା ଗୁରୁବାର କର୍ଣ୍ଣାଟକ ରାଜ୍ୟପାଳ ଥାୱରଚନ୍ଦ ଗେହଲଟଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ଏହି ସାକ୍ଷାତକାର ସମୟରେ ସେ ଇସ୍ତଫା ଦେବାର ସମ୍ଭାବନା ରହିଛି।
ଇସ୍ତଫା ପୂର୍ବରୁ ଆସନ୍ତାକାଲି ସକାଳେ ସିଦ୍ଧରମେୟା ନିଜ ବେଙ୍ଗାଲୁରୁ ବାସଭବନରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀଙ୍କ ପାଇଁ ଏକ ବ୍ରେକଫାଷ୍ଟ ବୈଠକର ଆୟୋଜନ କରିଛନ୍ତି, ଯାହା ରାଜନୈତିକ ସରଗରମକୁ ଦ୍ୱିଗୁଣିତ କରିଛି।
ରିପୋର୍ଟ ଅନୁସାରେ, ସିଦ୍ଧରମେୟାଙ୍କ ସ୍ଥାନରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଉପ-ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ସବୁଠାରୁ ଆଗରେ ରହିଛନ୍ତି।
କର୍ଣ୍ଣାଟକ କଂଗ୍ରେସ ପ୍ରଭାରୀ ରଣଦୀପ ସୁରଜେୱାଲା ଆସନ୍ତାକାଲି ବେଙ୍ଗାଲୁରୁ ଗସ୍ତ କରିବେ। ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଏବଂ ଉତ୍ତେଜନାକୁ ରୋକିବା ପାଇଁ ସେ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ।
Comments ସମସ୍ତ ମତାମତ