ମୁଖ୍ୟ ଖବର
ଭୁବନେଶ୍ବର: ପୁଲିସ ସବ୍ ଇନ୍ସପେକ୍ଟର (ଏସଆଇ) ପରୀକ୍ଷା ଦୁର୍ନୀତି ମାମଲାର ତଦନ୍ତ ସମୟରେ କଳା ତାଲିକାଭୁକ୍ତ ହୋଇଥିବା ସିଲିକନ୍ ଟେକ୍ ଲାବ୍ ପ୍ରା.ଲି.କୁ ପୂର୍ବରୁ କ୍ରାଇମ୍ବ୍ରାଞ୍ଚ କ୍ଳିନଚିଟ୍ ଦେଇଥିବା ଭଳି ତଥ୍ୟ ସମ୍ମୁଖକୁ ଆସିଛି। ତେଣୁ ସିଲିକନ୍ ଟେକ୍ ଲାବ୍ର ଚରିତ୍ର ପଞ୍ଜିକା ଯାଞ୍ଚ କରି ସଚ୍ଚୋଟତା ଓ ବିଶ୍ୱସନୀୟତା ସମ୍ପର୍କରେ କ୍ଳିନଚିଟ୍ ରିପୋର୍ଟ ଦେଇଥିବା କ୍ରାଇମ୍ବ୍ରାଞ୍ଚର ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି। ତରବରିଆ ତଦନ୍ତ ସାରି ୫ ଦିନ ଭିତରେ କ୍ରାଇମ୍ବ୍ରାଞ୍ଚ ରିପୋର୍ଟ ଦେଇଥିବାରୁ ସଂସ୍ଥାର ଏଭଳି ଚଞ୍ଚକତା ଜଣାପଡ଼ିନଥିଲା ବୋଲି ଅଭିଯୋଗ ହୋଇଛି। ସେପଟେ ସିଲିକନ୍ ଟେକ୍ ଲାବ୍ ଓଡ଼ିଶା ସମେତ ୫ ରାଜ୍ୟରେ ୧୪ ପରୀକ୍ଷା ପରିଚାଳନା କରିଛି।
ଓଡ଼ିଶାରେ ହୋଇଥିବା କାରାଗାର ୱାର୍ଡର ଓ ଉଚ୍ଚ ନ୍ୟାୟାଳୟର ଏଏସ୍ଓ ପରୀକ୍ଷାକୁ ସିଲିକନ ଟେକ୍ ଲାବ୍ ପରିଚାଳନା କରିଥିଲା ବୋଲି ଜଣାପଡ଼ିଛି। ସିଲିକନ ଟେକ୍ ଲାବ୍କୁ ତୃତୀୟ- ପକ୍ଷ ଭାବେ ପ୍ରଶ୍ନପତ୍ର ପ୍ରସ୍ତୁତ, ମୁଦ୍ରଣ ଓ ପରୀକ୍ଷା ପରିଚାଳନାରେ ନିୟୋଜିତ କରିବାକୁ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି)ର ଅନୁମୋଦନ ଲୋଡ଼ିଥିଲା ଆଇଟିଆଇ ଲି.। ୨୦୨୫ ଜୁଲାଇ ୩୧ରେ ସିଲିକନ୍ ଟେକ୍ ଲାବ୍ର ସମ୍ପୂର୍ଣ୍ଣ ପୃଷ୍ଠଭୂମି ଓ ଅଖଣ୍ଡତା ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠି ଲେଖି ଅନୁରୋଧ କରିଥିଲା ଓପିଆର୍ବି। ଅଗଷ୍ଟ ୪ରେ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଦୀପ୍ତିମୟୀ ମଲ୍ଲିକ ତାଙ୍କ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ସିଲିକନ୍ ଟେକ୍ ଲାବ୍ ବିରୋଧରେ କୌଣସି ନକାରାତ୍ମକ ମନ୍ତବ୍ୟ ରିପୋର୍ଟରେ ଉଲ୍ଲେଖ ନଥିଲା।
ସେହି ଆଧାରରେ ସିଲିକନ ଟେକ୍ ଲାବ୍କୁ ଏସ୍ଆଇ ନିଯୁକ୍ତି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ, ମୁଦ୍ରଣ ସହ ପରୀକ୍ଷା ପରିଚାଳନା ଦାୟିତ୍ବ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚର ଯାଞ୍ଚ ରିପୋର୍ଟରେ ସିଲିକନ୍ ଟେକ୍ ଲାବ୍କୁ ସାରାଦେଶର ସରକାରୀ ସ୍ତରରେ ଉତ୍ତମ ଆଇଟି ସେବା ପ୍ରଦାନକାରୀ ଭାବରେ ବର୍ଣ୍ଣନା କରାଯାଇଥିଲା। ଏହି ସଂସ୍ଥା ଉଭୟ ଅନ୍ଲାଇନ୍ (କମ୍ପ୍ୟୁଟର ବେସଡ୍ ଟେଷ୍ଟ) ଓ ଅଫ୍ଲାଇନ୍ (ଓଏମ୍ଆର୍) ପରୀକ୍ଷା ପରିଚାଳନା କରିବାରେ ଦକ୍ଷ ଥିଲା ବୋଲି କ୍ରାଇମ୍ବ୍ରାଞ୍ଚ ରିପୋର୍ଟ ଦର୍ଶାଇଥିଲା। ଅନ୍ୟପକ୍ଷରେ ସଂସ୍ଥା ବିରୋଧରେ ପୂର୍ବରୁ ଆପରାଧିକ ମାମଲା ପଞ୍ଜିକୃତ ହୋଇନଥିଲା।
ପ୍ରମାଣ ପାଇବା ପରେ ସଂସ୍ଥାର ନିର୍ଦେଶକ ସୁରେଶ ନାୟକକୁ ଗିରଫ କରିଛୁ ବୋଲି କ୍ରାଇମ୍ବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ସିଲିକନ ଟେକ୍ ଲାବ୍ର ନିର୍ଦେଶକ ସୁରେଶ ସମେତ ୧୩୧ ଜଣଙ୍କୁ ଗିରଫ କରାଯାଇଛି।
Comments ସମସ୍ତ ମତାମତ