ମୁଖ୍ୟ ଖବର
ଭୁବନେଶ୍ୱର: ଅତ୍ୟନ୍ତ ସମ୍ବେଦନଶୀଳ ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ତଦନ୍ତକୁ ସିବିଆଇ ଅତ୍ୟନ୍ତ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରିଛି । କେଳେଙ୍କାରୀର ଚେର ଖୋଜି ବାହାର କରିବାକୁ ସିବିଆଇ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରିଛି । ତେଣେ ପୂର୍ବରୁ ୪ ଜଣ ଅଭିଯୁକ୍ତଙ୍କୁ ମାରାଥନ୍ ଜେରା କରି ସିବିଆଇ ଅନେକ ରୋଚକ ତଥ୍ୟ ହସ୍ତଗତ କରିଥିବା ବେଳେ ଏବେ ଅନ୍ୟ ଏକ ଦଲାଲ ଅରବିନ୍ଦ ଦାସକୁ ରିମାଣ୍ଡରେ ଆଣି ତଥ୍ୟ ଉଗାଳୁଛି । ଜେରା ବେଳେ ଅଭିଯୁକ୍ତମାନଙ୍କଠାରୁ ସିବିଆଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । କେଳେଙ୍କାରୀରେ ଆନ୍ତଃରାଜ୍ୟ ଲିଙ୍କ୍ ପାଇଥିବା ବେଳେ ସିବିଆଇ ଖୁବଶୀଘ୍ର ରାଜ୍ୟ ବାହାରକୁ ଯାଇ ତଦନ୍ତକୁ ଆହୁରି ବ୍ୟାପକ କରିବ ବୋଲି କୁହାଯାଉଛି । ଇତିମଧ୍ୟରେ ଜେରାର ତଥ୍ୟରୁ ବହୁ ନୂଆ ଚରିତ୍ରଙ୍କ ଚେହେରା ସାମ୍ନାକୁ ଆସିଛି ।
ଦକ୍ଷ, ଅଭିଜ୍ଞ ଅଧିକାରୀମାନଙ୍କୁ ନେଇ ଗଠିତ ସିବିଆଇ ଟିମ୍ ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀରେ ନୂଆ ଚରିତ୍ରକୁ ସାମ୍ନାକୁ ଆଣିବାକୁ ସିବିଆଇ ତଦନ୍ତକୁ ଜୋରଦାର କରିଛି । ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ ରିମାଣ୍ଡରେ ଆଣି ଜେରା କରାଯିବାର ଯୋଜନା ହେଉଥିବା ବେଳେ ଅନୁରୂପ ଭାବେ ସୁରେଶ ନାୟକ, ମୁନ୍ନା ମହାନ୍ତି, ପ୍ରିୟଦର୍ଶିନୀ, ଏ.ଅଭିମନୁ୍ୟ ଦୋରା, ଶ୍ରୀକାନ୍ତ ମହାରଣା, ସାଗର କୁମାର ଗୌଡଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ଆଣିବାକୁ ସିବିଆଇ ନକ୍ସା ପ୍ରସ୍ତୁତ କରିଥିବା କୁହାଯାଉଛି ।
ଏସଆଇ ପରୀକ୍ଷା କେଳେଙ୍କାରୀର ଷଡ଼ଯନ୍ତ୍ରର ଖିଅ ଟଙ୍କା ଡିଲ୍ ଏବଂ ପ୍ରଚ୍ଛଦ ପଟରେ ରହି ଗୋଟିଚାଳନା କରୁଥିବା ବ୍ୟକ୍ତିଙ୍କ ଚେହେରାକୁ ସାମ୍ନାକୁ ଆଣିବାକୁ ଏକ ବିସ୍ତୃତ ଯୋଜନା କରାଯାଉଥିବା ଜଣାପଡ଼ିଛି । ସେହିପରି ଗିରଫ ପରୀକ୍ଷାର୍ଥ ଓ ସେମାନଙ୍କ ଅଭିଭାବକମାନେ ସିବିଆଇରେ ହାଜର ହୋଇ ନିଜର ପକ୍ଷ ରଖୁଛନ୍ତି । ପରୀକ୍ଷାର୍ଥୀଙ୍କୁ କିଏ ଯୋଗାଯୋଗ କରିଥିଲା, ଚାକିରୀ ପାଇଁ କେତେ ଟଙ୍କା ଡିଲ୍ ହୋଇଥିଲା, ପରୀକ୍ଷାର୍ଥୀମାନେ କିଭଳି ବିଶ୍ୱାସ କରି ଦଲାଲଙ୍କୁ ଟଙ୍କା ଦେଇଥିଲେ ଓ ସେ କାହାକୁ ଟଙ୍କା ଦେଇଥିଲା ସେ ସଂସପର୍କରେ ସିବିଆଇ ପରୀକ୍ଷାର୍ଥୀଙ୍କ ଜେରା କରି ତଥ୍ୟ ସଂଗ୍ରହ କରୁଛି । ଅପରପକ୍ଷରେ ସିବିଆଇ ରିମାଣ୍ଡରେ ଆଣି ଜେରା କରିଥିବା ୪ ଦଲାଲ ଯଥା ଲୋକନାଥ ସାହୁ, ତଫିମ ଅହମ୍ମଦ ଖାନ୍, ବିଶ୍ୱଜିତ୍ ହରିଚନ୍ଦନ ଓ ଏସଏସଜି ଯବାନ ବିଶ୍ୱରଞ୍ଜନ ସେନାପତିଙ୍କୁ ଜେରା ବେଳେ ମିଳିଥିବା ତଥ୍ୟକୁ ନେଇ ତର୍ଜମା କରାଯାଉଛି । ବିଶେଷକରି ଆକାଉଣ୍ଟରେ ଟଙ୍କା ଦେଣ ନେଣର ସୁରାଗ ମିଳିଥିବା ତଦନ୍ତ ବେଳେ ଆନ୍ତଃରାଜ୍ୟ ଲିଙ୍କ୍ ମିଳିଥିବା ବେଳେ ରାଜ୍ୟ ବାହାରକୁ ଯାଇ ସିବିଆଇ ତଦନ୍ତ କରିବବୋଲି ଜଣାପଡ଼ିଛି ।
ସୋମବାର ରିମାଣ୍ଡରେ ଅଣାଯାଇଥିବା ଦଲାଲ ଅରବିନ୍ଦ ଦାସଙ୍କୁ ଦ୍ୱିତୀୟ ଦିନ ପାଇଁ ସିବିଆଇ ମାରାଥନ୍ ଜେରା କରି ତଥ୍ୟ ଉଗାଳିଛି । ଆସନ୍ତାକାଲି ଅପରାହ୍ଣ ପର୍ଯ୍ୟନ୍ତ ସେ ସିବିଆଇର ହେପାଜତରେରହିବ । କୋଲକାତା ଦିଘାରେ ହେବାକୁ ଥିବା ପରୀକ୍ଷାର ଅରବିନ୍ଦ ଥିଲା ମୁଖ୍ୟ ଦଲାଲ । ଦିଘାରେ ପରୀକ୍ଷା ଦେବାକୁ ଚୁକ୍ତି କରିଥିବା ୧୧୦ ପରୀକ୍ଷାର୍ଥୀଙ୍କ ହୋଟେଲ୍ ବୁକିଂ କରି ରହଣି ଓ ମନ୍ଦିରରେ ଖାଇବା ବ୍ୟବସ୍ଥା ଅରବିନ୍ଦ ବୁଝୁଥିଲା ବୋଲି ଜେରାବେଳେ ଜଣାପଡ଼ିଛି ।
ସେ ପରୀକ୍ଷାର୍ଥୀଙ୍କୁ ଯୋଗାଡ଼ କରିବା ସହ ଟଙ୍କା ଡିଲ୍ରେ ମୁଖ୍ୟ ଭୂମିକା ନେଇଥିଲା । ପରୀକ୍ଷାର୍ଥୀଙ୍କ ସହ ସେ ନିୟମିତ ଯୋଗାଯୋଗ କରିବା ସହ ପ୍ରଶ୍ନପତ୍ର ପ୍ରଦାନ କରୁଥିଲା । ଏହା ବଦଳରେ ପରୀକ୍ଷାର୍ଥୀଙ୍କଠାରୁ ସେମାନଙ୍କ ଅସଲ ଶିକ୍ଷାଗତ ପ୍ରମାଣପତ୍ର ଏବଂ ବ୍ଲାଙ୍କ ଚେକ୍ ସଂଗ୍ରହ କରୁଥିଲା । ସେ ଯୋଗାଡ଼ କରିଥିବା ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ତାଲିକା ପ୍ରସ୍ତୁତ କରାଯାଇଛି । ସେମାନଙ୍କ ସହ ଅରବିନ୍ଦର ସାମ୍ନାସାମ୍ନି ଜେରା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।
ପ୍ରକାଶ ଥାଉକି ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିବିଆଇ ତଦନ୍ତ କରିବାକୁ ନିଷ୍ପତ୍ତି ନେଇ କେନ୍ଦ୍ରସରକାରଙ୍କୁ ସୁପାରିଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁପାରିଶକୁ ଗ୍ରହଣ କରି କେନ୍ଦ୍ରସରକାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଥିଲେ । କେନ୍ଦ୍ରସରକାରଙ୍କ ଅନୁମତି ପରେ ଭୁବନେଶ୍ୱର ସିବିଆଇ ଏହାର ଅଭିଜ୍ଞ, ଦକ୍ଷ ଓ ସଚ୍ଚୋଟ ଅଧିକାରୀମାନଙ୍କୁ ନେଇ ଟିମ୍ ଗଠନ କରିବା ସହ ତଦନ୍ତକୁ ଆଗକୁ ବଢାଇଥିଲା ।
Comments ସମସ୍ତ ମତାମତ