ମୁଖ୍ୟ ଖବର
ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ପୁଲିସ ଏସଆଇ (ସବ୍-ଇନ୍ସପେକ୍ଟର)ପରୀକ୍ଷା ହେବ । ବୁଧବାର ଏହି ସୂଚନା ଦେଇଛନ୍ତି ଓଡିଶା ୟୁନିଫର୍ମଡ୍ ସର୍ଭିସ ଷ୍ଟାଫ୍ ସିଲେକ୍ସନ କମିଶନ (ଓୟୁଏସଏସଏସସି) ଅଧ୍ୟକ୍ଷ ରଶ୍ମିରଂଜନ ସ୍ୱାଇଁ । ସେ କହିଥିଲେ, ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଏପରିକି ବୟସ ଗଡ଼ି ଯାଇଥିଲେ ବି ଆଶାୟୀ ପରୀକ୍ଷା ଦେଇ ପାରିବେ । ପରୀକ୍ଷା ଢାଞ୍ଚା ଓ ସିଲାବସରେ କୌଣସି ପରିବର୍ତ୍ତନ ହେବନାହିଁ ।
ଅପରପକ୍ଷେ, ଏସଆଇ ପରୀକ୍ଷା ଆୟୋଜନ କରିବା ଦାବିରେ ଆଶାୟୀମାନେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଥିଲେ । ଷ୍ଟୁଡେଣ୍ଟ୍ ଏଗ୍ନେଷ୍ଟ କରପସନ୍ ନେତୃତ୍ୱରେ ଶହଶହ ଆଶାୟୀ ଭୁବନେଶ୍ୱରସ୍ଥିତ ଓୟୁଏସ୍ଏସ୍ଏସ୍ସି ଅଫିସ ସମ୍ମୁଖରେ ଧାରଣା ଦେଇ ପରୀକ୍ଷା ଆୟୋଜନ ପାଇଁ ଦାବି କରିଥିଲେ । ଦୀର୍ଘ ୩ ମାସ ହେବ ଓୟୁଏସ୍ଏସ୍ଏସ୍ସି ଗଠନ ହାଇଥିଲେ ମଧ୍ୟ ତାହାର ୱେବସାଇଟ୍ ପ୍ରସ୍ତୁତ ହୋଇପାରିନାହିଁ । ଏପରିକି ଦୀର୍ଘ ୨ବର୍ଷ ଧରି ପ୍ରସ୍ତୁତି କରୁଥିବା ପିଲାଙ୍କ ପରୀକ୍ଷା କେବେ ହେବ, ସେନେଇ ମଧ୍ୟ କେହି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି ।
ନୂତନ ଭାବେ କାର୍ଯ୍ୟାଳୟ ଖୋଲିଥିଲେ ମଧ୍ୟ ତାର ନାମକରଣ ମଧ୍ୟ ହୋଇପାରିନି । ଫଳରେ ସଂଗଠନ ଆବାହକ ବିଭୁତି ଭୂଷଣ ମହାପାତ୍ର ଆଜି ଅଫିସର ନାମକରଣ କରିବା ସହ କଳା ରିବନ୍ କାଟି ଅଫିସ୍ ଉଦ୍ଘାଟନ କରି ଅଭିନବ ଭାବେ ପ୍ରତିବାଦ କରିଥିଲେ । ଆଶାୟୀଙ୍କ ଆନ୍ଦୋଳନ ଖବର ପାଇ ଓୟୁଏସ୍ଏସ୍ଏସ୍ସି ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ଧାରଣାସ୍ଥଳକୁ ଆସି ଆଶାୟୀଙ୍କ ସହ ଆଲୋଚନା କରିଥିଲେ । ପରୀକ୍ଷା ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ସମସ୍ତେ ଓହରିଥିଲେ ।
Comments ସମସ୍ତ ମତାମତ