Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଶ୍ରୀକ୍ଷେତ୍ରରେ ସାହିଯାତ : ପୁରୀ ଉତ୍ସବମୁଖର

    Share on :
    ajab-Image
    Date: Apr 7, 2025    Views: 7555

    ପୁରୀ : ପବିତ୍ର ରାମନବମୀଠାରୁ ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରରେ ସାହିଯାତ ଆରମ୍ଭ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି। ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତରେ ରାମାୟଣ କଥାବସ୍ତୁ ଉପରେ ଆଧାରିତ ଶ୍ରୀରାମ ଜନ୍ମଠାରୁ ରାମାଭିଷେକ ପର୍ୟ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ନୀତି ସହ ଅଙ୍ଗାଙ୍ଗୀ ଭାବେ ସାହିଯାତ ଜଡ଼ିତ।
    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସନାରେ ଏକ ଅଙ୍ଗ ଭାବେ ଶ୍ରୀରାମଳୀଳାକୁ ବିବେଚନା କରାଯାଏ। ଶ୍ରୀମନ୍ଦିରରେ ଏହି ଲୀଳା ପାଳନ ହେବା ସହ ଶ୍ରୀକ୍ଷେତ୍ରର ଆଠ ସାହିରେ ଯାତ ଅନୁଷ୍ଠିତ ହୋଇଥାଏ। ସାହିଯାତରେ ସମରକଳା, ଲୋକକଳା, ଲୋକନୃତ୍ୟ ଓ ସାଂସ୍କୃତିକ ପରମ୍ପରା ଦେଖିବାକୁ ମିଳିଥାଏ। ପୁରୀର ଆଠ ସାହି ଆଖଡ଼ା ପକ୍ଷରୁ ଏହି ଯାତ ଅନୁଷ୍ଠିତ ହୋଇଥାଏ। ଯାତରେ ରାମଜନ୍ମ, ଯଜ୍ଞରକ୍ଷା, ସୀତା ବିବାହ, ପର୍ଶୁରାମଙ୍କ କଳାହରଣ, ଶ୍ରୀରାମଙ୍କ ବନବାସ, ଲଙ୍କାପୋଡ଼ି, ସେତୁବନ୍ଧ ପ୍ରତିଷ୍ଠା, ରାବଣ ବଧ ଏବଂ ରାମାଭିଷେକ ଲୀଳା ହୋଇଥାଏ।
    ସାହିଯାତର ପ୍ରଥମ ଦିବସରେ ରବିବାର କାଳିକାଦେବୀ ସାହି ଆଖଡ଼ା ପକ୍ଷରୁ ରାମଜନ୍ମ ନୀତି ପ୍ରସ୍ତାବ ଆଗତ କରାଯିବା ସହ ଶ୍ରୀରାମ ଜନ୍ମ ନୀତି ସମ୍ପନ୍ନ ହୋଇଛି। ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଋଷ୍ୟଶୃଙ୍ଗ ଆଦି ବେଶଧାରୀମାନେ ସାହିରୁ ବାହାରି ପ୍ରଥମେ ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରିବା ସହ ଆଜ୍ଞାମାଳ ପ୍ରାପ୍ତ ହୋଇଥିଲେ। ପରେ ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀରାମ ଜନ୍ମ ନୀତିରେ ସାମିଲ ହୋଇଥିଲେ।
    ସେଠାରୁ ଚରୁଅନ୍ନ ଆଣି ମା’ଦକ୍ଷିଣକାଳୀଙ୍କୁ ଅର୍ପଣ କରାଯିବା ପରେ ବେଶଧାରୀମାନେ ବନ୍ଧୁସାହି, ମାଟିମଣ୍ଡପ ସାହି ପରିକ୍ରମା କରିଥିଲେ। ଏଥିସହ ନାଗା, ମେଢ଼ର ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ନାଗା, ନବଶିରା ସହିତ ବିଭିନ୍ନ ମେଢ଼ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
    ବୀରବାଦ୍ୟରେ କମ୍ପିଉଠିଥିଲା ଶ୍ରୀକ୍ଷେତ୍ର। ବିଭିନ୍ନ ଠାଣିରେ ମଜ୍ଜିଯାଇଥିଲେ ସାହି ଯୁବକ। ବୀରଦର୍ପ ଚାଲି, କଥାକୁହା ଆଖି ଓ ମନମତାଣିଆ ବେଶରେ ସମସ୍ତେ ବିଭୋର ହୋଇଥିବା ବେଳେ ମଲ୍ଲୀଫୁଲ ମାଳର ବାସ୍ନାରେ ମହକିଛି ଶ୍ରୀକ୍ଷେତ୍ର। ସାହିକୁ ରଙ୍ଗିନ ଆଲୋକରେ ସୁସଜ୍ଜିତ କରାଯାଇଥିଲା। ଆଠସାହି ଆଖଡ଼ାର ମୁରବିମାନେ ସାହିଯାତରେ ସାମିଲ ହୋଇଥିଲେ। ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଓ ସାତସାହି ମୁରବି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା।

    Maximum 500 characters

    ବିଶେଷ View all

    Find Us on Facebook