ମୁଖ୍ୟ ଖବର
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଳ ଥୱର ଚାନ୍ଦ ଗେହଲୋତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି। ଗୁରୁବାର ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ରାଜ୍ୟପାଳ ଗେହଲୋତ ଲୋକଭବନରେ ନଥିବା କାରଣରୁ ସେ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ସଚିବଙ୍କୁ ଦେଇ ଆସିଥିଲେ। ଶୁକ୍ରବାର ରାଜ୍ୟପାଳ ଲୋକଭବନକୁ ଫେରିବା ପୂର୍ବକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି। ଏହା ସହିତ ରାଜ୍ୟ ମନ୍ତ୍ରୀ ପରିଷଦକୁ ଭଙ୍ଗ ଘୋଷଣା କରିଛନ୍ତି। ତେବେ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପର୍ଯ୍ୟନ୍ତ ସିଦ୍ଧରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିବାକୁ ରାଜ୍ୟପାଳଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ସିଦ୍ଧରମେୟାଙ୍କ ସ୍ଥାନରେ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଦେବାକୁ ଦଳର ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରରେ କ୍ଷମତା ପରିବର୍ତ୍ତନ ନେଇ ଏବେ ନୂଆଦିଲ୍ଲୀରେ ମାନସମନ୍ଥନ ଚାଲିଛି। ଏଥିପାଇଁ ଶିବକୁମାର ଶୁକ୍ରବାର ନୂଆଦିଲ୍ଲୀରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି। ଶିବକୁମାରଙ୍କ ନେତୃତ୍ବରେ ରାଜ୍ୟରେ ଗଠନ ହେବାକୁ ଯାଉଥିବା ନୂଆ ସରକାରରେ କିଏ କେଉଁ ମନ୍ତ୍ରୀ ରହିବେ ତାହା ନୂଆଦିଲ୍ଲୀରେ ଚୂଡାନ୍ତ ହୋଇଛି।
ରିପୋର୍ଟ ଅନୁଯାୟୀ ଶନିବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଶିବକୁମାରଙ୍କୁ ବିଧିବଦ୍ଧ ଭାବେ ବିଧାୟକ ଦଳ ନେତା ନିର୍ବାଚନ କରାଯିବ। ଜୁନ୍ ୩ରେ ଶିବକୁମାର ରାଜ୍ୟର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହିତ ସରକାରରେ ୨ଜଣ ଉପମୁଖ୍ୟମନ୍ତ୍ରୀ ରହିବେ ବୋଲି ସୂଚନା ମିଳିଛି। ନୂଆ ମନ୍ତ୍ରିମଣ୍ଡଳରେ କଂଗ୍ରେସ ନେତୃବୃନ୍ଦ ଜାତି, କ୍ଷେତ୍ର ସହ ଅନ୍ୟ ରାଜନୈତିକ ସନ୍ତୁଳନ ରକ୍ଷା କରିବାକୁ ପ୍ରୟାସ କରୁଛନ୍ତି।
Comments ସମସ୍ତ ମତାମତ