Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡ୍ରୋନ୍‌ ମାଡ଼ରେ ବୁଡ଼ିଲା ଭାରତୀୟ ଜାହାଜ

    Share on :
    ajab-Image
    Date: May 15, 2026    Views: 2848

    ନୂଆଦିଲ୍ଲୀ/ମସ୍କାଟ:ଓମାନ ଉପକୂଳ ନିକଟରେ ଏକ ଭାରତୀୟ ମାଲବାହୀ ଜାହାଜ ‘ହାଜି ଅଲ୍ଲୀ’ ଉପରେ ସନ୍ଦିଗ୍ଧ ଡ୍ରୋନ୍‌ କିମ୍ବା ମିଶାଇଲ ମାଡ଼ ହେବା ଫଳରେ ଏହା ସମୁଦ୍ରରେ ବୁଡ଼ିଯାଇଛି। ଏହି ଭୟଙ୍କର ଆକ୍ରମଣରୁ ଜାହାଜରେ ଥିବା ସମସ୍ତ ୧୪ ଜଣ ଭାରତୀୟ ନାବିକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଓମାନ କର୍ତ୍ତୃପକ୍ଷ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଭାରତ ସରକାର ଏହି ଘଟଣାକୁ ଅତି ନିନ୍ଦନୀୟ ଓ ‘ଅଗ୍ରହଣୀୟ’ ବୋଲି ଅଭିହିତ କରିଛନ୍ତି। ବୁଧବାର ଭୋର ପ୍ରାୟ ୩:୩୦ ସମୟରେ ଓମାନର ଉତ୍ତର ଉପକୂଳ ‘ଲିମା’ ନିକଟରେ ଏହି ଆକ୍ରମଣ ହୋଇଥିଲା। ଗୁଜରାଟର ଦେବଭୂମି ଦ୍ୱାରକା ଜିଲା ସଲାୟା ବନ୍ଦରରେ ପଞ୍ଜୀକୃତ ଏହି ଜାହାଜଟି ସୋମାଲିଆରୁ ଶାରଜା ଅଭିମୁଖେ ଗୋରୁ ନେଇ ଯାଉଥିଲା। ଜାହାଜଟି ଗତି କରୁଥିବା ସମୟରେ ଏକ ଅଜ୍ଞାତ ବିସ୍ଫୋରକ ବସ୍ତୁ (ସନ୍ଦିଗ୍ଧ ଡ୍ରୋନ୍‌) ଏହାକୁ ଧକ୍କା ଦେଇଥିଲା। ଫଳରେ ଜାହାଜରେ ନିଅଁା ଲାଗିଯାଇଥିଲା ଏବଂ ଭାରସାମ୍ୟ ହରାଇ ଏହା ସମୁଦ୍ରରେ ବୁଡ଼ିବାକୁ ଲାଗିଥିଲା।
    ନିଅଁା ଚାରିଆଡ଼େ ବ୍ୟାପିଯିବା ପୂର୍ବରୁ ଜାହାଜର ୧୪ ଜଣ ଯାକ ନାବିକ ତୁରନ୍ତ ‘ଡିଷ୍ଟ୍ରେସ୍‌ ସିଗନାଲ’ ପଠାଇବା ସହ ଲାଇଫ୍‌ ସପୋର୍ଟ ସାହାଯ୍ୟରେ ଜାହାଜରୁ ବାହାରି ଆସିଥିଲେ। ଓମାନ କୋଷ୍ଟ ଗାର୍ଡ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତଙ୍କୁ ସୁରକ୍ଷିତ ଭାବେ ‘ଦୀବା’ ବନ୍ଦରକୁ ନେଇ ଆସିଥିଲେ। ଜାହାଜ ମାଲିକ ସୁଲତାନ ଅହମ୍ମଦ ସାଙ୍ଘାର ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ସ୍ପଷ୍ଟ କରିଛନ୍ତି।
    ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଆକ୍ରମଣକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ‘ଏକ ଭାରତୀୟ ପତାକାଧାରୀ ଜାହାଜ ଉପରେ ଆକ୍ରମଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ। ବାଣିଜି୍ୟକ ଜାହାଜ ଏବଂ ସାଧାରଣ ନାବିକମାନଙ୍କୁ ଲଗାତର ଟାର୍ଗେଟ କରାଯାଉଥିବା ଘଟଣାକୁ ଆମେ ତୀବ୍ର ନିନ୍ଦା କରୁଛୁ।’
    ଗୋଟିଏ ସପ୍ତାହ ମଧ୍ୟରେ ଗୁଜରାଟ ସହ ଜଡ଼ିତ ଏହା ଦ୍ୱିତୀୟ ଜାହାଜ, ଯାହା ସମୁଦ୍ରରେ ବୁଡ଼ିଛି। ଏହା ପୂର୍ବରୁ ‘ଅଲ ଫୈଜ ନୁର ସୁଲେମାନୀ-୧’ ନାମକ ଅନ୍ୟ ଏକ ଜାହାଜ ହର୍ମୁଜ ପ୍ରଣାଳୀରେ ଚାଲିଥିବା ଆଞ୍ଚଳିକ ସଂଘର୍ଷ ଯୋଗୁ ବୁଡ଼ି ଯାଇଥିଲା। ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୋଗୁ ମଧ୍ୟରେ ଏହି ଆକ୍ରମଣ ଭାରତୀୟ ବ୍ୟବସାୟୀ ଓ ଜାହାଜ ମାଲିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଭାରତୀୟ ସେଲିଂ ଭେସେଲ୍ସ ଆସୋସିଏଶନ ସାଧାରଣ ସମ୍ପାଦକ ଆଦମ ଭାୟା ଉଦ୍ଧାର ହୋଇଥିବା ନାବିକମାନଙ୍କୁ ତୁରନ୍ତ ଭାରତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଓମାନ କର୍ତ୍ତୃପକ୍ଷ ଏହି ଆକ୍ରମଣ ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ ଜାରି ରଖିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook