ମୁଖ୍ୟ ଖବର
ଆମ ରାଜ୍ୟର ଜଣେ ନେତା କଥାକଥାକେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚଉଦପୁରୁଷ ଉଝାଳନ୍ତି । ପାଟି ଖୋଲିଲା ମାତ୍ରେ ବିସ୍ଫୋରଣ ହୁଏ । ସକାଳୁ ସକାଳୁ ତାଙ୍କରି ପାଖରେ ଗଣମାଧ୍ୟମର ଭିଡ଼ ବି ଜମିଯାଏ । ଢ଼ିଙ୍କିଶାଳରୁ ଢେ଼ଙ୍କାନାଳ, ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁ ବିଷୟରେ ନିଜକୁ ପୋଖତ ବୋଲି ଭାବନ୍ତି । ସେହି ନେତାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କର ଭିତିରି କାରବାରକୁ ନେଇ ରାଜନୀତିକ ଅଳିନ୍ଦରେ ବି ଟୁପୁରୁଟାପୁରୁ ଆରମ୍ଭ ହୋଇଯାଇଛି । ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସେ ସରକାରଙ୍କ ଉପରେ ଜମେଇକି ବର୍ଷିଥିଲେ । ପରେପରେ ତାଙ୍କ ପାଖକୁ ଜଣେ ପାୱାରଫୁଲ ନେତା ଫୋନ କରିଥିଲେ । ସେହି ସମୟରେ ସେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିଲେ । କିନ୍ତୁ ପାୱାରଫୁଲ ନେତାଙ୍କ ଫୋନ ପାଇବା ପରେ ସେ ଏତେ ଉତ୍ସାହିତ ହୋଇଯାଇଥିଲେଯେ, ନିଜ କାମଦାମ ଛାଡ଼ି ସିଧାସଳଖ ପାୱାରଫୁଲ ନେତାଙ୍କ ପାଖରେ ପହଁଚି ଯାଇଥିଲେ । ନେତାଙ୍କ ସହ ତାଙ୍କର ପ୍ରାୟ ପନ୍ଦର କୋଡ଼ିଏ ମିନିଟ ଧରି ଗପସପ ହୋଇଥିଲା । କ’ଣ କଥା ହେଲାକେଜାଣି, ସେଠାରୁ ଫେରିବା ପରେ ତାଙ୍କର ଦିଲଖୁସ ହୋଇଯାଇଥିଲା । ତାଙ୍କ ପକେଟ ବି ବେଶ ଉଚ୍ଚା ଦିଶୁଥିଲା ବୋଲି ତାଙ୍କର ଜଣେ ଖାସ ବ୍ୟକ୍ତି ଆମକୁ ସୂଚନା ଦେଇଛନ୍ତି । ବାସ ଟଙ୍କା, ମୁହଁ କରିଦିଏ ବଙ୍କା । ଯେଉଁ ମୁହଁରେ ସେ ସରକାରଙ୍କ ବିରୋଧରେ ବର୍ଷୁଥିଲେ ହଠାତ ସେହି ମୁହଁରେ ୟୂଟୁର୍ଣ୍ଣ କରିଦେଇଥିଲେ । ବାଘ ଗର୍ଜନ ବଦଳରେ ବିଲେଇ ଭଳି ସେ ମିଅାଁଉ ମିଅାଁଉ ହେବା ଘଟଣାକୁ ତାଙ୍କର ସମର୍ଥକମାନେ ବି ଗ୍ରହଣ କରିପାରୁନାହାନ୍ତି ।
Comments ସମସ୍ତ ମତାମତ