Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦ୍ୱିତୀୟ ସେମିରେ ଭାରତ-ଇଂଲଣ୍ଡ ମଧ୍ୟରେ ଟକ୍କର

    Share on :
    ajab-Image
    Date: Nov 10, 2022    Views: 4054

    ସିଡନୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ଫାଇନାଲ୍‌ରେ ପ୍ରବେଶ କରିଛି । ବୁଧବାର ଅନୁଷ୍ଠିତ ପ୍ରଥମ ସେମି ଫାଇନାଲ୍‌ରେ ପାକିସ୍ତାନ ୭ ୱିକେଟ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଥିଲା । ଗୁରୁବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ୍‌ ଖେଳାଯିବ । ଏହି ମ୍ୟାଚ୍‌ର ବିଜେତା ୧୩ ତାରିଖରେ ହେବାକୁ ଥିବା ଫାଇନାଲ୍‌ରେ ପାକିସ୍ତାନକୁ ସାମ୍ନା କରିବ । ମେଲବର୍ଣ୍ଣ ଗ୍ରାଉଣ୍ଡ୍‌ରେ ଏହି ମ୍ୟାଚ୍‌ ଖେଳାଯିବ । ବିଶ୍ୱର ସର୍ବ ବୃହତ୍‌ ଗ୍ରାଉଣ୍ଡ୍‌ରେ ଆଉ ଏକ ଭାରତ-ପାକିସ୍ତାନ ମୁକାବିଲା ସମ୍ଭାବନା ଦେଖା ଦେଇଛି ।

    ଭାରତ-ଇଂଲଣ୍ଡ ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ଦ୍ୱିଗୁଣା ହୋଇସାରିଛି । ଗୁରୁବାର ଆଡିଲେଡ୍‌ ‘ହାଉସଫୁଲ୍‌’ ହେବା ନିଶ୍ଚିତ। ରଙ୍ଗ ବେରଙ୍ଗ ପୋଷାକ ସାଙ୍ଗକୁ ତ୍ରିରଙ୍ଗାରେ ଗ୍ୟାଲେରୀ ପୂରି ଉଠିବ । ଏବେ ବିରାଟ କୋହଲିଙ୍କ ସମେତ ସୂର୍ୟ୍ୟକୁମାରଙ୍କ ବ୍ୟାଟିଂ ଦେଖିବାକୁ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ୨୦୧୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭଳି ଇଂଲଣ୍ଡ ବିପକ୍ଷରେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଆଶା କରାଯାଉଛି । ଅସଲରେ ଦେଖିବାକୁ ଗଲେ ଜୋସ ବଟଲର ଓ ଭୁବନେଶ୍ୱର କୁମାରଙ୍କ ମଧ୍ୟରେ ଲଢ଼େଇ ହେବ। ଭୁବନେଶ୍ୱର ପୂର୍ବରୁ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ବଟଲରଙ୍କୁ ୫ଥର ଆଉଟ୍‌ କରିସାରିଛନ୍ତି ।

    ଏପଟେ ସେମି ଫାଇନାଲ ଜିତି ମେଲବର୍ଣ୍ଣରେ ଇତିହାସ ରଚିବାକୁ ପାକିସ୍ତାନ ଅପେକ୍ଷା କରିଛି । ପାକିସ୍ତାନ ପୂର୍ବରୁ ୨୦୦୯ରେ ବିଶ୍ୱକପ୍‌ ଚାମ୍ପିଅନ୍‌ ହୋଇଥିଲା । ଏଥର ପ୍ରାରମ୍ଭିକ ବିପର୍ୟ୍ୟୟ ସତ୍ତେ୍ୱ ଅବିଶ୍ୱସନୀୟ ଭାବେ ଟୁର୍ଣ୍ଣାମେଣ୍ଟକୁ ଫେରିଥିଲା । ଭାଗ୍ୟର ସହାୟତା ବଳରେ ସେମିରେ ପ୍ରବେଶ କରିବା ପରେ ପାକିସ୍ତାନର ସବୁ ତ୍ରୁଟି ସୁଧାରି ନେଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଧିପତ୍ୟ ଜାହିର କରିଥିଲା ।

    ନ୍ୟୁଜିଲାଣ୍ଡ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ପାକ୍‌ ବୋଲରଙ୍କ ଉଚିତ ମୁକାବିଲା କରିନପାରି ୪ ୱିକେଟ୍‌ ବିନିମୟରେ ୧୫୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ପାକିସ୍ତାନ ବୋଲରଙ୍କ ବିପକ୍ଷରେ ବଡ଼ ସଟ୍‌ ଖେଳିବାରେ ନ୍ୟୁଜିଲାଣ୍ଡ ବ୍ୟାଟର ବିଫଳ ହୋଇଥିଲେ । ଦଳ ପକ୍ଷରୁ ଡାରିଲ ମିଚେଲ ସର୍ବାଧିକ ୫୩(୩ଚୌକା, ୧ଛକା) ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ ୱିଲିୟମସନ ୪୬ ଓ ଡେଭନ କନୱେ ୨୧ ରନ୍‌ କରିଥିଲେ । ପାକିସ୍ତାନ ପକ୍ଷରୁ ସହିନ ଆଫ୍ରିଦି ୨ଟି ୱିକେଟ୍‌ ନେଇଥିଲେ ।

    ଜବାବରେ ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ପ୍ରଥମ ୱିକେଟ୍‌ରେ ୧୦୫ ରନ୍‌ ସଂଗ୍ରହ କରି ଦୃଢ ମୂଳଦୁଆ ପକାଇଥିଲା। ଶତକୀୟ ଓପନିଂ ଭାଗିଦାରୀ ପରେ ନ୍ୟୁଜିଲାଣ୍ଡର ଆଶା ମଉଳି ଯାଇଥିଲା । ଅବଶ୍ୟ ବାବର ୫୩ ଓ ରିଜୱାନ ୫୭ ରନ୍‌ କରି ଆଉଟ୍‌ ହୋଇଥିଲେ । ଯୁବ ବ୍ୟାଟର ମହମ୍ମଦ ହ୍ୟାରିସ୍‌ ୩୦ ରନ୍‌ର ଇନିଂସ ଖେଳିବା ଫଳରେ ପାକିସ୍ତାନର ବିଜୟ ସହଜ ହୋଇଯାଇଥିଲା।

    Maximum 500 characters

    ଖେଳ ଖବର View all

    Find Us on Facebook