ମୁଖ୍ୟ ଖବର
କଟକ/ଭଦ୍ରକ: କାଲ ମାରି ଯାଉଛି ଶରୀର । କାମ କରୁନି ଗୋଡ଼ ହାତ । ପ୍ରବଳ ଶୀତ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଉପକୂଳରୁ ଉପାନ୍ତ, ଆଭ୍ୟନ୍ତରୀଣରୁ ନେଇ ପଶ୍ଚିମ ଓ ଉତ୍ତର ଓଡ଼ିଶା ଜାଡ଼ରେ ଥରୁଛି ।ଶୀତର ପ୍ରକୋପ ବଢ଼ିଥିବା ବେଳେ ସ୍କୁଲ୍ ପିଲାଙ୍କ ପାଇଁ ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ଭୀଷଣ ଶୀତକୁ ଦେଖି ବିଦ୍ୟାଳୟ ସମୟରେ ପ୍ରଶାସନ ପରିବର୍ତ୍ତନ ଆଣିଛି । ଥଣ୍ଡା ପାଇଁ ଶନିବାର ପିଲାଏ ଆଉ ସକାଳୁଆ ସ୍କୁଲ୍ ଯିବେ ନାହିଁ ।
ଏନେଇ ଭଦ୍ରକ ସହ କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଥଣ୍ଡା ପାଇଁ ମର୍ଣ୍ଣିଂ ସ୍କୁଲ୍ ପରିବର୍ତ୍ତେ ପିଲାଏ ଦିନ ୧୦ଟାରେ ବିଦ୍ୟାଳୟକୁ ପଢ଼ିବାକୁ ଯିବେ । ପ୍ରବଳ ଥଣ୍ଡା ଓ ଘନ କୁହୁଡ଼ିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।ଅନ୍ୟଦିନ ଭଳି ଶନିବାର ସକାଳ ୧୦ଟାରୁ ୪ ପର୍ଯ୍ୟନ୍ତ ସ୍କୁଲ୍ ଖୋଲା ରହିବ । କଟକ ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଜିଲ୍ଲାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ ।ସେହିଭଳି ଭଦ୍ରକ ଜିଲ୍ଲା ପ୍ରଶାସନ ମଧ୍ୟ ଶୀତ ପାଇଁ ସମାନ ନିଷ୍ପତ୍ତି ନେଇଛି । ଶନିବାର ପିଲାଏ ସକାଳୁ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସିବେ ନାହିଁ । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶନିବାର ସକାଳୁଆ ସ୍କୁଲ୍ ପରିବର୍ତ୍ତେ ଦିନ ୧୦ଟାରେ ଆରମ୍ଭ ହେବ ପାଠପଢ଼ା ।
ଏନେଇ ଭଦ୍ରକ ଜିଲ୍ଲାପାଳ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଫେବ୍ରୁଆରୀ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାରେ ଶନିବାର ସକାଳୁଆ ସ୍କୁଲ୍ ହେବ ନାହିଁ । ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ଅଭିଭାବକ ସ୍ଵାଗତ କରିଛନ୍ତି ।
Comments ସମସ୍ତ ମତାମତ