ମୁଖ୍ୟ ଖବର
କଟକ: କଟକ ଏସ୍ସିବି ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣାରେ ଜାତୀୟ ମାନବାଧିକାର କମିସନ୍ (ଏନ୍ଏଚ୍ଆର୍ସି) ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି । ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା ମାମଲା ରୁଜୁ କରି ମୃତକଙ୍କ ପରିବାର ଏବଂ ଆହତଙ୍କୁ କ୍ଷତିପୂରଣ ସହ ଅଘଟଣ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରାର୍ଥନା କରି ଏନ୍ଏଚ୍ଆରସିରେ ଏହି ମାମଲା ରୁଜୁ କରିଥିଲେ । ଏନ୍ଏଚ୍ଆର୍ସି ସଦସ୍ୟ ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବଙ୍କୁ ୧୫ ଦିନ ଭିତରେ ସବିଶେଷ ରିପୋର୍ଟ ତଲବ କରିଛନ୍ତି ।
ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଭାବ ଯୋଗୁଁ ଏଭଳି ଅଘଟଣା ଘଟିଛି । ଏହା ମାନବାଧିକାରର ଚରମ ଉଲ୍ଲଙ୍ଘନ ଓ ସରକାରଙ୍କ ଗୁରୁତର ତ୍ରୁଟି । ମୃତକଙ୍କ ପରିବାରକୁ ୧ କୋଟି ଏବଂ ଆହତଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଶ୍ରୀ ଜେନା ପ୍ରାର୍ଥନା କରିଥିଲେ । କମିସନ ସଦସ୍ୟ ଜଷ୍ଟିସ୍ ଷଡ଼ଙ୍ଗୀଙ୍କ ତ୍ୱରିତ ପଦକ୍ଷେପ ପାଇଁ ଏଚ୍ଆର୍ଏଫ୍ ଆବାହକ ରାଜୀବ ପଟ୍ଟନାୟକ, ସାମାଜିକ କର୍ମୀ ପ୍ରସନ୍ନ ବିଷୋୟୀ କୃତଜ୍ଞତା ଜଣାଇଛନ୍ତି ।
Comments ସମସ୍ତ ମତାମତ