Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ହେବ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର !

    Share on :
    ajab-Image
    Date: Aug 25, 2026    Views: 2939

    ଭୁବନେଶ୍ବର: ମହାକାଶ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ପାଇଁ ରହିଛି ବଡ଼ ସୁଯୋଗ । ରାଜ୍ୟରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିବା ନେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଥିବା ନେଇ ମନ୍ତ୍ରୀ କହିଛନ୍ତି । ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ବା ଓର୍‌ସାକ୍‌ରେ ଗତକାଲି (ସୋମବାର) ଆୟୋଜିତ 'ଜାତୀୟ ମହାକାଶ ଦିବସ' ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି । ନିକଟରେ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା ହୋଇଥିବା ସେ କହିଛନ୍ତି ।

    ମହାକାଶ ଓ ବିଜ୍ଞାନ କ୍ଷେତ୍ରରେ ରାଜ୍ୟର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବିଜ୍ଞାନ ଭବନ, ଓର୍‌ସାକ୍‌ର ନୂତନ କୋଠା ଏବଂ ଜିଆଇଏସ୍‌ ଲ୍ୟାବ୍‌ ପ୍ରତିଷ୍ଠା କରାଯିବ । ଏହା ମାଧ୍ୟମରେ ବିଜ୍ଞାନ, ମହାକାଶ ଓ ଭୂ-ସ୍ଥାନିକ ପ୍ରଯୁକ୍ତି କ୍ଷେତ୍ରରେ ଗବେଷଣାକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି ।ରାଜ୍ୟର ବିକାଶରେ ଉପଗ୍ରହଭିତ୍ତିକ ପ୍ରଯୁକ୍ତିର ଭୂମିକାକୁ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଓର୍‌ସାକ୍‌ ମାଧ୍ୟମରେ ଚାଷଜମି, ଭୂତଳ ଜଳ ଓ ଖଣିଜ ସମ୍ପଦ ସମ୍ପର୍କରେ ବିଭିନ୍ନ ତଥ୍ୟ ହାସଲ କରାଯାଉଛି । ଏହି ତଥ୍ୟର ଉପଯୋଗ ଦ୍ୱାରା ଅନେକ କ୍ଷେତ୍ରରେ ସରକାରୀ ରାଜସ୍ୱ ସଞ୍ଚୟ କରାଯାଇପାରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

    କେବଳ ସରକାରୀ ସଂସ୍ଥା ନୁହେଁ, ରାଜ୍ୟର ଷ୍ଟାର୍ଟଅପ୍‌ ଗୁଡ଼ିକ ମଧ୍ୟ ମହାକାଶ ଓ ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ନିଜ ଦକ୍ଷତା ଦେଖାଉଛନ୍ତି । ଓଡ଼ିଶାର ଷ୍ଟାର୍ଟଅପ୍‌ ଦ୍ୱାରା ନିର୍ମିତ ଡ୍ରୋନ୍‌ ଭଳି ଉପକରଣ ଦେଶର ପ୍ରତିରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ନେଇ ମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ଭବିଷ୍ୟତରେ ଓଡ଼ିଶାର ବୈଜ୍ଞାନିକମାନେ ଏହି କ୍ଷେତ୍ରରେ ଆହୁରି ବଡ଼ ଅବଦାନ ରଖିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।
     

    ଅନ୍ୟପକ୍ଷରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ କହିଛନ୍ତି, "ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ଲଗାତାର ଅଗ୍ରଗତି କରୁଛି । କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଞ୍ଜାମ, ବଲାଙ୍ଗୀର ଓ ରାଉରକେଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା କରାଯାଇଛି ।" ଛାତ୍ରଛାତ୍ରୀମାନେ ଏସବୁ କେନ୍ଦ୍ର ପରିଦର୍ଶନ କରି ମହାକାଶ, ଗ୍ରହ ଓ ନକ୍ଷତ୍ର ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ ପ୍ରତ୍ୟେକ ବିଷୟ ପ୍ରତି ଜିଜ୍ଞାସୁ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

    ଓଡ଼ିଶାରେ ଉପଗ୍ରହ ଉତ୍‌କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ଯଦି ଆକାର ନିଏ, ତେବେ ଏହା ରାଜ୍ୟର ମହାକାଶ ବିଜ୍ଞାନ, ଗବେଷଣା, ଷ୍ଟାର୍ଟଅପ୍‌ ଓ ଯୁବ ବୈଜ୍ଞାନିକଙ୍କ ପାଇଁ ନୂଆ ଦିଗ ଖୋଲିପାରେ ।

     
     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook