Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କୃଷକଙ୍କୁ ପ୍ରତାରଣା କରିଛି ବିଜେପି: ସସ୍ମିତ

    Share on :
    ajab-Image
    Date: Nov 23, 2022    Views: 3242

    ଭୁବନେଶ୍ୱର: ଓଡିଶାର ଚାଷୀମାନେ ବର୍ଷ ବର୍ଷ ଧରି ବିଜେପି ଦ୍ୱାରା କିଭଳି ଠକି ହେଉଛନ୍ତି ସେ ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦେଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଡକ୍ଟର ପାତ୍ର କହିଛନ୍ତି ଯେ ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ସେମାନେ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୧.୫ ଗୁଣ ବୃଦ୍ଧି କରିବେ । ହେଲେ ସେମାନେ ତାହା କଲେ ନାହିଁ । ସେହିଭଳି ସେମାନେ କହିଥିଲେ ଯେ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବେ, ସେମାନେ କୃଷକଙ୍କୁ ପ୍ରତାରଣା କରିଛନ୍ତି, ପ୍ରତିଶ୍ରୁତି ଅନୁଯାୟୀ ସେଭଳି କିଛି କରିନାହାଁନ୍ତି ।

    ସଂସଦରେ ବିଜେପି ତିନୋଟି ଚାଷୀ ବିରୋଧୀ କୃଷି ଆଇନ ଆଣିଥିଲା ଯାହାକୁ କୃଷକଙ୍କ ବ୍ୟାପକ ବିରୋଧ ହୋଇଥିଲା ଏବଂ ୬୦୦ରୁ ଅଧିକ ଚାଷୀ ଏହି ଆନ୍ଦୋଳନରେ ପ୍ରାଣ ହରାଇଥିଲେ । ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ଦର ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ ବିଜେଡି ବିଧାୟକ ତଥା ଅନ୍ୟ ବିଧାୟକଙ୍କ ସହ ବିଜେପି ବିଧାୟକମାନେ ବି ସମର୍ଥନ କରିଥିଲେ । କିନ୍ତୁ ବର୍ତ୍ତମାନ ଏ ସଂକ୍ରାନ୍ତରେ ନିରବ ଅଛନ୍ତି । ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଯୋଗାଇବା ହେଉଛି ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଦାୟିତ୍ୱ ।

    କିନ୍ତୁ ସେମାନେ ଓଡିଶାର ଚାଷୀଙ୍କୁ ଆବଶ୍ୟକ ସାର ଦେଉନାହାନ୍ତି । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ୱ । କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି । ସେମାନେ ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଦେଲେ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିବା ଏବଂ ନିୟମିତ ଭାବେ ଯୋଗାଯୋଗ କରିବା ଏବଂ ଏଥିସହିତ ଚାଷୀଙ୍କ କ୍ରୋଧକୁ ଦେଖି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଶେଷରେ ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ।

    ଡକ୍ଟର ପାତ୍ର କହିଛନ୍ତି ଯେ ଯେତେବେଳେ ବିଜେଡି ସରକାର ଓଡିଶାର କୃଷକମାନଙ୍କୁ ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଦେବାକୁ ଚାହିଁଲେ, ସେମାନେ ଆଦର୍ଶ ଆଚରଣ ବିଧି ଏବଂ ଚାଲିଥିବା ଉପ-ନିର୍ବାଚନ ଆଳରେ ଏହାକୁ ବନ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ । ଏହି କାରଣରୁ, ଇନପୁଟ୍‌ ସବସିଡି ମଞ୍ଜୁର ହୋଇପାରିଲା ନାହିଁ । କିନ୍ତୁ ଏହି ନିର୍ବାଚନ ଶେଷ ହେବା ଏବଂ ଆଦର୍ଶ ଆଚରଣ ସଂହିତା ପ୍ରତ୍ୟାହାରର ପରଦିନ ଏହା ମଞ୍ଜୁର ହୋଇପାରେ ।

    ମୁଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରିବାକୁ ଚାହୁଁଛି, ଆପଣ ୨୦୧୮ରେ କହିଥିଲେ ଯେ ପଦମପୁର ରେଳ ଲାଇନକୁ ମଞ୍ଜୁର କରାଯାଇଛି । ସେହି ରେଳ ଲାଇନ ଏବେ କେଉଁଠାରେ ଅଛି? ଆପଣ ସେହି ରେଳ ଲାଇନକୁ ଗୋଟିଏ ଟଙ୍କା ମଧ୍ୟ ଦେଇନାହାଁନ୍ତି । ଯଦି ଏହା ପ୍ରତାରଣା ନୁହେଁ ତ ଆଉ କ’ଣ ? ପଦମପୁରର ଲୋକମାନେ ଏହା ଉପରେ ନଜର ରଖିଛନ୍ତି । ଆପଣ କେନ୍ଦୁପତ୍ର ଶ୍ରମିକଙ୍କୁ ପ୍ରତାରଣା କରିଛନ୍ତି, ଯେଉଁମାନେ କି ସାଧାରଣତଃ ବିପିଏଲ୍ ପରିବାରର ପୁରୁଷ ଏବଂ ମହିଳା ଅଟନ୍ତି ।

    ଯେତେବେଳେ କେନ୍ଦୁପତ୍ରରେ ଜିଏସ୍‌ଟି ୫ ପ୍ରତିଶତ ଥିଲା ସେତେବେଳେ ସେମାନେ ଭଲରେ ବଞ୍ଚିଥିଲେ । କିନ୍ତୁ ଆପଣ ଏହାକୁ ୧୮%କୁ ବୃଦ୍ଧି କରିଛନ୍ତି ଏବଂ ସେମାନଙ୍କର ରୋଜଗାରର ଉତ୍ସ ଉପରେ ଆକ୍ରମଣ କରିଛନ୍ତି । ଏହା ପ୍ରତାରଣା ନୁହେଁ କି? ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅତିରିକ୍ତ ଜିଏସ୍‍ଟି ବୃଦ୍ଧିକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି ଧ୍ୟାନ ଦେଇନଥିଲେ ।

    ଏହି ଗରିବ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରିଥିଲେ ମଧ୍ୟ କେନ୍ଦ୍ରର କେହି ସେମାନଙ୍କ କଥା ଶୁଣିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ବିଜେପିର ଅସଲ ମୁଖା ଏବେ ଖୋଲି ଯାଇଛି । କୃଷକ, କେନ୍ଦୁପତ୍ର ଶ୍ରମିକ ଏବଂ ସାମଗ୍ରିକ ଭାବେ ପଦମପୁରର ଲୋକମାନେ ସେମାନଙ୍କ ସହ ବିଜେପି କିଭଳି ଠକାମୀ କରିଛି ତାହାକୁ ଦେଖୁଛନ୍ତି । ଆଗାମୀ ଦିନରେ ସେମାନେ ବିଜେପିକୁ ଏହାର ଉଚିତ୍‍ ଜବାବ ଦେବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook