ମୁଖ୍ୟ ଖବର
ଭୁବନେଶ୍ଵର : ଓଡ଼ିଶାରେ ସ୍ଥଗିତ ଥିବା ମେଟ୍ରୋ ରେଳ ପ୍ରକଳ୍ପର ପୁନରୁଦ୍ଧାର କରି ତୁରନ୍ତ କାର୍ୟ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର। ପୂର୍ବ ସରକାରଙ୍କ ଦ୍ଵାରା ଶିଳାନ୍ୟାସ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ବନ୍ଦ ନକରିବାକୁ ସେ ଦାବି କରିଛନ୍ତି। ଗତକାଲି କ୍ୟାବିନେଟରେ ଜୟପୁର, ରାଜସ୍ଥାନର ମେଟ୍ରୋ ପ୍ରକଳ୍ପ ଅନୁସାରେ ଓଡ଼ିଶାରେ ମେଟ୍ରୋକୁ ଅନୁମୋଦନ କରିବା ପାଇଁ ଚିଠି ଲେଖିଛନ୍ତି। ଜୟପୁର ମେଟ୍ରୋ (ରାଜସ୍ଥାନ)କୁ କେନ୍ଦ୍ରର ପାଣ୍ଠି ଅନୁମୋଦନ ମଡେଲ୍ ଅଧୀନରେ ଓଡ଼ିଶା ମେଟ୍ରୋ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଚିଠିରେ ଉଲ୍ଲେଖ ରହିଛି।
ସସ୍ମିତ ପାତ୍ର କହିଛନ୍ତି ଯେ, ଗତକାଲି କେନ୍ଦ୍ର ସରକାର କ୍ୟାବିନେଟରେ ଜୟପୁର ମେଟ୍ରୋ ଫେଜ-୨ ପାଇଁ ୧୩ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଏସପିଭି ଅନୁଯାୟୀ ପାଖାପାଖି ସାଢେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ବହନ କରିବେ ଏବଂ ରାଜସ୍ଥାନ ସରକାର ବାକି ସାଢେ ୬କୋଟିର ଖର୍ଚ୍ଚ ବହନ କରିବେ। ଅପର ପକ୍ଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଓଡ଼ିଶା ମେଟ୍ରୋ (ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପୁରୀ) ପ୍ରୋଜେକ୍ଟର ଖର୍ଚ୍ଚ ୨୦୨୪ ମସିହାରେ ଥିଲା ୬,୨୫୫ କୋଟି ଟଙ୍କା। ଯାହାକି ଜୟପୁରର ମେଟ୍ରୋ ମଡେଲ ଠାରୁ ଅଧାରୁ ଆହୁରି କମ୍। ଯଦି ଜୟପୁର ମଡେଲରେ କେନ୍ଦ୍ର ସରକାର ଅଧା ଖର୍ଚ୍ଚ ବହନ କରିପାରିବେ ତାହେଲେ ଡବଲ ଇଞ୍ଜିନ୍ ସରକାରରେ ମାତ୍ର ୩ ହଜାର କୋଟି ବହନ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ।
ସସ୍ମିତ ପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହ ସମନ୍ଵୟ ରକ୍ଷା କରି ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ଆଗେଇ ନିଅନ୍ତୁ। ଏହି ପ୍ରକଳ୍ପ ବନ୍ଦ କରିବା ଦ୍ଵାରା ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବ। ପୁରୀ-ଖୋର୍ଦ୍ଧା-ଭୁବନେଶ୍ୱର-କଟକ କରିଡର ସହିତ ଓଡ଼ିଶା ମେଟ୍ରୋ ଓଡ଼ିଶାବାସୀଙ୍କୁ ସୁରକ୍ଷିତ, ଦ୍ରୁତ ଯାତ୍ରା ସହିତ ଲାଭଦାୟକ କରିବ। ଛାତ୍ର ଏବଂ ଯୁବକମାନଙ୍କୁ ଶିକ୍ଷା ଏବଂ ଚାକିରି ପାଇଁ ଉତ୍ତମ ସୁବିଧା ମିଳିବ। ବରିଷ୍ଠ ନାଗରିକମାନଙ୍କୁ ଅଧିକ ଆରାମଦାୟକ ପରିବହନ ସୁବିଧା ମିଳିବ। ଏହା ପ୍ରମୁଖ ସ୍ଥାନଗୁଡ଼ିକୁ ସଂଯୋଗ କରୁଥିବାରୁ ପର୍ୟ୍ୟଟନ ମଧ୍ୟ ବୃଦ୍ଧି ପାଇବ। ଛୋଟ ବ୍ୟବସାୟକୁ ପ୍ରୋତ୍ସାହନ ମିଳିବ। ଭିଡ଼ ହ୍ରାସ କରି ଆର୍ଥିକ ବିକାଶକୁ ଆଗେଇ ନେବ। ତେଣୁ ଓଡ଼ିଶା ମେଟ୍ରୋ ପ୍ରକଳ୍ପକୁ ବାତିଲ କରିବାର ନିଷ୍ପତ୍ତିର ପୁନର୍ବିଚାର କରି ଭାରତ ସରକାରଙ୍କ ସହିତ ପରାମର୍ଶ କରି ଓଡ଼ିଶାରେ ଜୟପୁର ପାଣ୍ଠି ମଡେଲ ଗ୍ରହଣ କରିବାକୁ ସସ୍ମିତ ଦାବି କରିଛନ୍ତି।
Comments ସମସ୍ତ ମତାମତ