ମୁଖ୍ୟ ଖବର
ଭୁବନେଶ୍ବର : ବର୍ତ୍ତମାନ ସେବା, ସ୍ବାଭିମାନ ଏବଂ ସଂଗ୍ରାମର ସମୟ ଆସିଛି। ନବୀନ ପଟ୍ଟନାୟକ ସେବାର ଭାବନା ସହ ଓଡ଼ିଶାକୁ ଗଢ଼ିଥିଲେ। ଗତ ଦେଢ଼ବର୍ଷ ଭିତରେ ବିଜେପି ସରକାର ସୁନାର ଓଡ଼ିଶାକୁ ଭାଙ୍ଗି ଦେଇଛି ବୋଲି ବିଜେଡିର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି। ଶଙ୍ଖ ଭବନେର ଅନୁଷ୍ଠିତ ବିଜେଡିର ପ୍ରତିଷ୍ଠା ଦିବସ ସମାରୋହରେ ଡ. ପାତ୍ର କହିଲେ, ଯେଉଁ ସ୍ବାଭିମାନ ଓଡ଼ିଆ ଜାତିର ଥିଲା, ବିଜେପି ସରକାର ଆସିବା ପରେ ତାହା ଧୂଳିସାତ୍ ହୋଇଯାଇଛି। ସମର୍ପଣ ଭାବକୁ ବିଜେପି ଧ୍ବସ୍ତବିଧ୍ବସ୍ତ କରି ଦେଇଛି। ଏବେ ସଂଗ୍ରାମର ସମୟ ଆସିଛି। ବିଜେଡି ଓ ନବୀନ ବାବୁଙ୍କ ନେତୃତ୍ବରେ ଓଡ଼ିଶା ଆଗକୁ ବଢ଼ିବା ସହ ସମୃଦ୍ଧ ହେବ। ଓଡ଼ିଶାର ଭବିଷ୍ୟତ ବିଜେଡି ହିଁ ନିର୍ଣ୍ଣୟ କରିପାରିବ। ୨୪ ବର୍ଷରେ ବିଜେଡି ସରକାରର ଉପଲବ୍ଧି ସମ୍ପର୍କରେ ସେ କହିଲେ, ଗତ ୨୪ ବର୍ଷ ଭିତରେ ରାଜ୍ୟର ଜିଏସ୍ଡିପି ୧୮ ଗୁଣା ବୃଦ୍ଧି ପାଇଥିଲା। ମୁଣ୍ଡପିଛା ଆୟ ୧୬ ଗୁଣା ବୃଦ୍ଧି ହୋଇଥିଲା। ଭାରତବର୍ଷରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ୨୦ ହଜାର କୋଟି ଟଙ୍କାର ବଜେଟ୍ ଷ୍ଟାବିଲାଇଜେନ ଫଣ୍ଡ ଦେଇଥିଲା। ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବାରେ ଓଡ଼ିଶା ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲା। ସେହିପରି ବିପର୍ୟ୍ୟୟ ପରିଚାଳନା, ଜଙ୍ଗଲ ସଂରକ୍ଷଣ, ଏମଏସଏମଇ ବିକାଶ ଏବଂ କ୍ରୀଡ଼ା ଆଦି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଥିଲା। ସ୍ବାସ୍ଥ୍ୟ କ୍ଷେତ୍ରରେ ନବୀନ ବାବୁ ବିଏସକେୱାଇ ମାଧ୍ୟମରେ ସାଢ଼େ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି, ଶିକ୍ଷାନୁଷ୍ଠାନ ରୂପାନ୍ତରଣ ସହ ମେଡିକାଲ କଲେଜକୁ ଉନ୍ନତ କରାଯାଇଥିଲା। ହେଲେ ବିଜେପିର ଡବଲ ଇଞ୍ଜିନ ସରକାର ଏହାକୁ ବନ୍ଦ କଲା।
Comments ସମସ୍ତ ମତାମତ