ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ପ୍ରଥମ ଥର ସଂସଦକୁ ଯାଇଥିବା ସସ୍ମିତଙ୍କୁ ମନୋନୀତ କରିଛନ୍ତି । ତାଙ୍କ ସହ ଆଉ ୫ ଜଣ ସାଂସଦ ଏ ପ୍ୟାନେଲରେ ସ୍ଥାନ ପାଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଏ ପ୍ୟାନେଲରୁ ଜଣେ ସାଂସଦ ଅଧ୍ୟକ୍ଷତା କରି ଗୃହ ପରିଚାଳନା କରିବେ । ଦୀର୍ଘ ୨୦ ବର୍ଷ ମଧ୍ୟରେ ଏହି ସମ୍ମାନ ଜନକ ପଦ ପାଇଁ ମନୋନୀତ ହେବାରେ ସସ୍ମିତ ହେଉଛନ୍ତି ପ୍ରଥମ ସାଂସଦ ।
ପ୍ରଥମ କରି ବିଜୁ ଜନତା ଦଳର ସାଂସଦ ଭାବେ ରାଜ୍ୟସଭାକୁ ଯାଇ ନିଜର ବିତର୍କ ଶୈଳୀରେ ଗୃହ ଦୃଷ୍ଟି ଆକର୍ଷଣ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି ଡ.ପାତ୍ର । ମହିଳା ସଂରକ୍ଷଣ ବିଲ, ଓଡ଼ିଶାକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା, ପୋଲାଭରମ ପ୍ରକଳ୍ପ ବନ୍ଦ, କୋଇଲା ରୟାଲଟି ବୃଦ୍ଧି, ସ୍ୱଳ୍ପ ଶକ୍ତି ସେସରୁ ଓଡ଼ିଶାକୁ ୬୦ ପ୍ରତିଶତ ପାଣ୍ଠି ପ୍ରଦାନ ସହ ଓଡ଼ିଶା ସ୍ୱାର୍ଥ ସମ୍ବଳିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବର୍ଷକ ମଧ୍ୟରେ ସସ୍ମିତ ରାଜ୍ୟସଭାରେ ଉଠାଇଛନ୍ତି । ଓଡ଼ିଶାର ସ୍ୱରକୁ ଅଧିକ ଶାଣିତ କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସର୍ବିଆରେ ଆୟୋଜିତ ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନ (ଆଇପିଓ) ସମ୍ମିଳନୀରେ ଭାରତୀୟ ସାଂସଦ ଭାବେ ସେ ଯୋଗ ଦେଇଥିଲେ । ନିଜର ନିଆରା ବିତର୍କ ପାଇଁ ଗୃହରେ ବହୁବାର ଭେଙ୍କେୟାଙ୍କ ପ୍ରଶଂସା ପାଇଥିବା ଡ.ପାତ୍ର ରାଜ୍ୟସଭାରେ ଦଳର ମୁଖ୍ୟ ସଚେତକ ସହ ଗଣମାଧ୍ୟମ ସଂଯୋଜକ ଓ ମୁଖପାତ୍ରର ଗୁରୁ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ତାଙ୍କୁ ଏ ପ୍ୟାନେଲରେ ସ୍ଥାନ ମିଳିଥିବାରୁ ସସ୍ମିତ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ଏବଂ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି ।
Comments ସମସ୍ତ ମତାମତ