ମୁଖ୍ୟ ଖବର
ରାଉରକେଲା: ଗୋଟିଏ ପରେ ଗୋଟିଏ ରୂପରେ ଆସି ସର୍ବଦା ଚର୍ଚ୍ଚାର ରହୁଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ। ପୂର୍ବରୁ ଗଣେଶ ପୂଜା ଭସାଣି ଉତ୍ସବ ମଞ୍ଚରେ ‘ମେ ହୁଁ ଡନ୍ଟ୍ଟ ଗୀତରେ ନାଚିବା, କୱାଲି କାର୍ୟ୍ୟକ୍ରମରେ ଟଙ୍କା ଉଡ଼ାଇବା, ରକ୍ତଦାନ ଶିବିରରେ ଛୁଞ୍ଚିଫୋଡ଼ି କର୍ମୀଙ୍କ ହାତରୁ ରକ୍ତ ଟାଣିବା, ମୀନାକ୍ଷି ଧରଙ୍କ ଜୟନ୍ତୀରେ ଗୀତଗାଇବାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ସୋମବାର ସିଭିଟାଉନସିପସ୍ଥ ଗୁରୁଦ୍ବାରରେ ଆୟୋଜିତ ପ୍ରକାଶ ଉତ୍ସବରେ ସାରଦା ଆଉ ଏକ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି। ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରଷିବା ସହ ସେମାନଙ୍କ ବାସନ ମାଜିଥିଲେ। ସୋମବାର ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସାହେବ ଶ୍ରୀ ଗୁରୁ ରାମଦାସ ଜୀ ମହାରାଜଙ୍କ ଗୁରୁମତ୍ କୀର୍ତ୍ତନ ସମାଗମ କାର୍ୟ୍ୟକ୍ରମରେ ଶ୍ରମମନ୍ତ୍ରୀ ସାରଦା ଯୋଗ ଦେଇଥିଲେ। ଗୁରୁଦ୍ବାର କମିଟିର କର୍ମକର୍ତ୍ତାଙ୍କ ସହ ସାମାଜିକ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ପ୍ରଥମେ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରଷିଥିଲେ। ପରେ ସେମାନଙ୍କ ବାସନଗୁଡ଼ିକୁ ଗୋଟିଏ ପରେ ଗୋଟିଏ ମାଜିଥିଲେ। ମନ୍ତ୍ରୀଙ୍କ ଏଭଳି କାର୍ୟ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ଆଗକୁ ବିଧାନସଭା ନିର୍ବାଚନ ଆସୁଥିବାରୁ ମନ୍ତ୍ରୀ ସାରଦା ନିଜର ପ୍ରଚାରପ୍ରସାର ପାଇଁ ଏଭଳି କାମ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ନିର୍ବାଚନ ଯେତିକି ପାଖେଇ ଆସୁଛି, ଶ୍ରମମନ୍ତ୍ରୀ ବିଭିନ୍ନ କାର୍ୟ୍ୟକ୍ରମ ଯୋଗେଦେଇ ଭିନ୍ନଭିନ୍ନ ଅବତାରରେ ଅବତୀର୍ଣ୍ଣ ହେଉଛନ୍ତି।
Comments ସମସ୍ତ ମତାମତ